Home News in Odia ଅଦାଲତ ଉପରେ ପୂଜା କମିଟିର ନଜର

ଅଦାଲତ ଉପରେ ପୂଜା କମିଟିର ନଜର

ଭୁବନେଶ୍ୱର : ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିର ଉଚ୍ଚତା ଘେନି କଟକରେ ଚାଲିଥିବା ଆନ୍ଦୋଳନ ଓ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ଉପରେ ଏବେ ସମଗ୍ର ରାଜ୍ୟର ପୂଜା କମିଟିଗୁଡିକର ନଜର । ଏ ପରିପ୍ରେକ୍ଷୀରେ କାହାର ମୂର୍ତ୍ତି କେତେ ଉଚ୍ଚା ହେବ ତାହା ଏବେ ଠାରୁ କେହି କିଛି କହିପାରୁ ନାହାନ୍ତି ।

ଗତବର୍ଷ କରୋନା ପରିପ୍ରେକ୍ଷୀରେ ମୃଣ୍ମୟ ମୂର୍ତ୍ତିର ଉଚ୍ଚତା ୪ଫୁଟ ମଧ୍ୟରେ ସୀମିତ ରଖିବା, ମଣ୍ଡପରେ ପରଦା ଟାଣି ଦୁର୍ଗାପୂଜା ପାଳନ କରିବା ଏବଂ ମଣ୍ଡପକୁ ଶ୍ରଦ୍ଧାଳୁଙ୍କୁ ଆସିବା ଉପରେ କଡା କଟକଣା ରଖି ପୂଜା କରାଯାଇଥିଲା । ଏ ସଂକ୍ରାନ୍ତରେ ଗତବର୍ଷ ମଧ୍ୟ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା ଏବଂ ହାଇକୋର୍ଟଙ୍କ ନିଦେର୍ଦ୍ଦଶ ମୁତାବକ ଦୁର୍ଗାପୂଜା ଉତ୍ସବ କରୋନା ମାର୍ଗନିର୍ଦ୍ଦେଶିକା ଆଧାରରେ ପ୍ରତିପାଳିତ ହୋଇଥିଲା ।

ଏବର୍ଷ କରୋନାର ତୃତୀୟ ଲହର ଆସିବା ଆଶଙ୍କା ଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଦୁର୍ଗାପୂଜା ପାଇଁ ମୂର୍ତ୍ତିର ଉଚ୍ଚତା ୪ଫୁଟ ମଧ୍ୟରେ ସୀମିତ ରଖିବା ସହ ପରଦା ଟାଣି ପୂଜା କରିବା ଓ ଅନ୍ୟାନ୍ୟ କଟକଣା ମଧ୍ୟ ଜାରି କରିଛନ୍ତି । ଏହା ବିରୁଦ୍ଧରେ କଟକର ପୂଜା କମିଟିଗୁଡିକ ଆପତ୍ତି ଉଠାଇ ମୂର୍ତ୍ତିର ଉଚ୍ଚତା ବଢାଇବା ଓ ମଣ୍ଡପରୁ ପରଦା ହଟାଇବା ଲାଗି ଦାବି କରୁଛନ୍ତି ।

ଏ ପ୍ରସଙ୍ଗରେ କଟକରେ ବନ୍ଦପାଳନ ହୋଇଥିବାବେଳେ ଗୋଟିଏ ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମଧ୍ୟ ମାମଲା ରୁଜୁ ହୋଇଛି । ଯଦି ରାଜ୍ୟ ସରକାର କଟକ ପାଇଁ କଟକଣା କୋହଳ କରିବେ ତେବେ ତାହାକୁ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସ୍ଥାନରେ କାହିଁକି ଲାଗୁ କରାନଯିବ ବୋଲି ପ୍ରଶ୍ନ ଉଠୁଛି । ତେବେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିବାରୁ ଅଦାଲତ କ’ଣ ନିଷ୍ପତ୍ତି ଶୁଣାଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଏବେ ଦୁର୍ଗାପୂଜା ପାଇଁ ଆଉ ମାସେରୁ କମ୍‍ ସମୟ ବାକି ଅଛି । ତେଣୁ ମୂର୍ତ୍ତି ର୍ନିମାଣ ଲାଗି ପୂଜା କମିଟିଗୁଡିକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଗତବର୍ଷ କଟକରେ ହାଇକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ମୂର୍ତ୍ତିର ଉଚ୍ଚତା ୪ଫୁଟ ମଧ୍ୟରେ ସୀମିତ ରଖାଯିବାକୁ ଥିଲେ ମଧ୍ୟ ଏହି ରାୟ ଆସିବା ବେଳକୁ କେତେକ ପୂଜା କମିଟି ଅଧିକ ଉଚ୍ଚତାର ମୂର୍ତ୍ତି ତିଆରି କରିସାରିଥିବାରୁ ସବୁ ମଣ୍ଡପ ପାଇଁ ସମାନ ନୀତି ଲାଗୁ କରାଯାଇ ପାରିନଥିଲା । ତେବେ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ଘେନି ଯେଉଁମାନେ ଗଭୀର ଆଶାବାଦୀ ସେମାନେ ଚାରିଫୁଟିଆ କିମ୍ବା ତାହାଠାରୁ କମ୍‍ ଉଚ୍ଚତାର ମୂର୍ତ୍ତି ତିଆରି କରିବାପାଇଁ ଏବେ ପ୍ରସ୍ତୁତ ନୁହନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ମହାରାଷ୍ଟ୍ରରେ କଡା କଟକଣା ମଧ୍ୟରେ ଗଣପତି ଉତ୍ସବ ପାଳିତ ହୋଇଛି । ତେବେ କେରଳରେ ଓନାମ ଓ ଉତ୍ତରପ୍ରଦେଶରେ କୁମ୍ଭମେଳା ବେଳକୁ କଟକଣା ଧର୍ମକୁ ଆଖିଠାର ଭଳି ରହିବାରୁ ଏହି ଦୁଇ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ବ୍ୟାପକ ହୋଇଥିଲା ଏବଂ ତାହାର କୁପ୍ରଭାବ ମଧ୍ୟ ସମଗ୍ର ଦେଶକୁ ଭୋଗିବାକୁ ପଡିଥିଲା ।

ଏବେ ଦୁର୍ଗାପୂଜା ପାଇଁ ଯଦି କଟକଣା କୋହଳ ହୁଏ ତେବେ କାର୍ତ୍ତିକେଶ୍ୱର, ଲକ୍ଷ୍ମୀପୂଜା, କାଳୀପୂଜା, ବିଶ୍ୱକର୍ମାପୂଜା ଆଦିପାଇଁ କଟକଣା କାହିଁକି କୋହଳ ହେବନାହିଁ ବୋଲି ସମ୍ପୃକ୍ତ ପୂଜା କମିଟିମାନେ ଆଶା ରଖିବା ସ୍ୱାଭାବିକ । ଏ ପରିପ୍ରେକ୍ଷୀରେ ବହୁ ପୂଜା କମିଟି ଦୁର୍ଗାପୂଜା ପାଇଁ କେଉଁ ଉଚ୍ଚତାର ମୂର୍ତ୍ତି ତିଆରି କରିବେ ସେଥିଘେନି ସାଂଘାତିକ ଦ୍ୱନ୍ଦରେ ପଡିଛନ୍ତି । (ତଥ୍ୟ)