ଭୁବନେଶ୍ୱର : ଅଦାଲତି କଟକଣା ହଟିପାରୁ ନଥିବାରୁ ଓଡିଶାରେ ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ନୂଆ ଶିକ୍ଷକ ନିଯୁକ୍ତି କରାଯାଇ ପାରୁନାହିଁ । ଏହି ସମସ୍ୟା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲାଗି ରହିବା ସମ୍ଭାବନା ଥିବା ପରିପ୍ରେକ୍ଷୀରେ ସରକାରୀ ବିଶ୍ୱବିଦ୍ୟାଳୟଗୁଡିକ ଅତିଥି ଅଧ୍ୟାପକମାନଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଓଡିଶା ସରକାର ବିଶ୍ୱବିଦ୍ୟାଳୟ ଆଇନ୍ରେ ସଂଶୋଧନ ଆଣି ବିଶ୍ୱବିଦ୍ୟାଳୟ ହାତରୁ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି କ୍ଷମତା କାଢି ନେଇଛନ୍ତି । ଶିକ୍ଷକମାନଙ୍କ ନିଯୁକ୍ତି ଓ ପଦୋନ୍ନତି ଦାୟିତ୍ୱ ରାଜ୍ୟ ଲୋକସେବା ଆୟୋଗକୁ ଦିଆଯାଇଛି । ଏହାର ବୈଧତା ଉପରେ ପ୍ରଶ୍ନବାଚୀ ଉଠାଇ ଓଡିଶା ହାଇକୋର୍ଟରେ ରୁଜୁ ମାମଲାରେ ରାଜ୍ୟ ସରକାର ଜିଣିଥିବାବେଳେ ତାହା ବିରୁଦ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।
ସୁପ୍ରିମ୍କୋର୍ଟ ମାମଲା ବିଚାରାଧିନ ଥିବା ଏବଂ ଏହି ମାମଲାରେ ରାଜ୍ୟ ସରକାର ଓ ରାଜ୍ୟ ଲୋକସେବା ଆୟୋଗ ପକ୍ଷଭୁକ୍ତ ହୋଇଥିବା ପରିପ୍ରେକ୍ଷୀରେ ଆୟୋଗ ବିଶ୍ୱବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ପାଇଁ ଚୟନ କରିପାରୁ ନାହିଁ । ସୁପ୍ରିମ୍କୋର୍ଟଙ୍କ ଅନ୍ତରୀଣ ଆଦେଶକୁ ବଦଳାଇବା କିମ୍ବା ମୂଳ ମାମଲାର ଫଏସଲା ଲାଗି ସମ୍ପୃକ୍ତ ପକ୍ଷମାନେ ସେଭଳି ଗ୍ରହଣଯୋଗ୍ୟ ଯୁକ୍ତି ସୁପ୍ରିମ୍କୋର୍ଟଙ୍କ ନିକଟରେ ଉପସ୍ଥାପନ କରିପାରୁ ନଥିବାରୁ ଦିଲ୍ଲୀରେ ମାମଲା ଝୁଲି ରହିଥିବାବେଳେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ଗବେଷକ ଓ ଛାତ୍ରଛାତ୍ରୀଙ୍କ ଭାଗ୍ୟ ମଧ୍ୟ ଅନିଶ୍ଚିତତା ବଳୟରେ ଝୁଲି ରହିଛି ।
ଆଇନ୍ ବିଶାରଦମାନେ କହୁଛନ୍ତି ଯେ ମେଡିକାଲ କଲେଜଗୁଡିକ ସଂକ୍ରାନ୍ତରେ ଏମସିଆଇର ଯେଭଳି ଭୂମିକା ରହିଛି ସେହିଭଳି ବିଶ୍ୱବିଦ୍ୟାଳୟଗୁଡିକ ସଂକ୍ରାନ୍ତରେ ୟୁଜିସିର ଭୂମିକା ରହିଛି । ସାରା ଦେଶରେ ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ଓ ପ୍ରଫେସର ନିଯୁକ୍ତି ଲାଗି ୟୁଜିସିର ମାର୍ଗନିର୍ଦ୍ଦେଶିକା ଆଧାରରେ ବିଶ୍ୱବିଦ୍ୟାଳୟମାନେ ଯୋଗ୍ୟ ଶିକ୍ଷକ ଚୟନ କରିଥାନ୍ତି ଏବଂ କୁଳାଧିପତିଙ୍କ ଅନୁମୋଦନ କ୍ରମେ ଏହି ପଦବୀରେ ନିଯୁକ୍ତି ଦିଆଯାଇଥାଏ ।
ଗୁଜୁରାଟର ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟରେ ୟୁଜିସି ମାର୍ଗନିର୍ଦ୍ଦେଶିକାକୁ ଉଲ୍ଲଙ୍ଘନ କରାଯାଇ ରାଜ୍ୟ ସରକାରଙ୍କ ନୀତି ଆଧାରରେ ନିଯୁକ୍ତି ଦିଆଯିବା ଘଟଣା ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ଆସିଥିଲା ଏବଂ ଏହି ମାମଲାରେ ସୁପ୍ରିମ୍କୋର୍ଟ ୟୁଜିସିର ନିର୍ଦ୍ଧାରିତ ମାନଦଣ୍ଡ ଉପରେ ମୋହର ବସାଇଥିଲେ । ଏ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ଆଇନ୍ରେ ଓଡିଶା ଯେଉଁ ସଂଶୋଧନ ଆଣିଛି ତାହା କାଏମ ରହିବ ନା କାଟ୍ ଖାଇବ ସେ ସଂକ୍ରାନ୍ତରେ କେବଳ ସୁପ୍ରିମ୍କୋର୍ଟ ଶେଷ ନିଷ୍ପତ୍ତି ନେବେ ।
ଅନ୍ୟ ପକ୍ଷରେ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଉତ୍କଳ ସମେତ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତା କମୁଛି ଏବଂ ଏଥିଯୋଗୁଁ କେନ୍ଦ୍ରୀୟ ଅନୁଦାନ କମିବା ସହ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକର ସମ୍ମାନ ଉପରେ ପ୍ରଶ୍ନବାଚୀ ଉଠୁଛି । ଅନ୍ୟ ପକ୍ଷରେ ଅତିଥି ଅଧ୍ୟାପକମାନେ ଢେର କମ୍ ପଇସାରେ ନିୟୋଜିତ ହେଉଥିବାରୁ ଏବଂ ସେମାନେ ଗବେଷକମାନଙ୍କୁ ମାର୍ଗଦର୍ଶନ ଦେବାରେ ସମସ୍ୟା ଥିବାରୁ ପାଠପଢା ଓ ଗବେଷଣାରେ ବ୍ୟାଘାତ ସୃଷ୍ଟି ହେଉଛି ।
କେବଳ ସେତିକି ନୁହେଁ, ଶିକ୍ଷକମାନଙ୍କର ଛାତ୍ରଛାତ୍ରୀମାନଙ୍କ ଉପରେ ନିୟନ୍ତ୍ରଣ କମୁଛି । ଏବେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ପ୍ରାୟ ୬୦ ପ୍ରତିଶତ ପ୍ରଫସର ପଦବୀ ଖାଲି ପଡିଥିବାବେଳେ ମୋଟାମୋଟି ଭାବେ ସହସ୍ରାଧିକ ଶିକ୍ଷକ ପଦବୀ ଖାଲି ରହିଛି । ଅନେକ ବିଭାଗରେ ପ୍ରଫେସର ମଧ୍ୟ ନାହାନ୍ତି । ତେବେ ପାଲଟା ଯୁକ୍ତି ହେଉଛି ଯେ ରାଜ୍ୟରେ ଥିବା ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ଶିକ୍ଷକ ମରୁଡି ଲାଗି ରହିଛି । (ତଥ୍ୟ)