ଭୁବନେଶ୍ୱର : ବିଜେପି ନେତୃତ୍ୱାଧିନ ଏନ୍ଡିଏର ପ୍ରମୁଖ ନେତା ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଓଡିଶା ଗସ୍ତରେ ଆସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଓ ନେତୃତ୍ୱକୁ ଭୁରି ଭୁରି ପ୍ରଶଂସା କରିବା ସହ ପୁଣି ତାଙ୍କୁ ଏନ୍ଡିଏକୁ ଫେରିବାପାଇଁ ଗଣମାଧ୍ୟମରେ ନିବେଦନ କରିବା ଘଟଣା ରାଜ୍ୟଶାଖା ବିଜେପିକୁ ବେଶ୍ ଅପ୍ରସ୍ତୁତ କରିଛି ।
ଗୋଟିଏ ପଟେ ଜଣଙ୍କ ପରେ ଜଣେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରକୁ ବାରମ୍ବାର ପ୍ରଶଂସା କରୁଥିବାବେଳେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟ ଜାତୀୟ ସ୍ତରରେ ସମ୍ମାନିତ ହେଉଛି । ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ନୀତି ଆୟୋଗର ଉପାଧ୍ୟକ୍ଷ ବୈଠକରେ ଯୋଗ ଦେବାପାଇଁ ନବୀନଙ୍କୁ ନିମନ୍ତ୍ରଣ କରିବାଲାଗି ବ୍ୟକ୍ତିଗତ ଭାବେ ଓଡିଶା ଆସିବା ସହ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସଫଳତାର ପ୍ରଶସ୍ତିଗାନ କରି ଯାଇଛନ୍ତି । ଅନ୍ୟ ପଟେ ରାଜ୍ୟ ବିଜେପି ନେତୃତ୍ୱ ବିଧାନସଭା ଭିତରେ ଓ ବାହାରେ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରୁଥିବାବେଳେ କେନ୍ଦ୍ରମନ୍ତ୍ରୀମାନଙ୍କ ପ୍ରଶଂସା ସୂଚକ ବକ୍ତବ୍ୟ ଏଭଳି ସମାଲୋଚନାକୁ ଫିକା ପକାଇ ଦେଉଛି ।
ନିକଟରେ ଓଡିଶା ଗସ୍ତବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ନିର୍ବାଚନରେ ବିଜେପି କ୍ଷମତାକୁ ଫେରିବ ବୋଲି ପ୍ରଦେଶ କାର୍ଯ୍ୟକର୍ତ୍ତାମାନଙ୍କୁ ସ୍ୱତନ୍ତ୍ର ବୈଠକରେ ସୂଚନା ଦେବା ସହ ଏଥିଲାଗି ଜୋରଦାର ଉଦ୍ୟମ କରିବାଲାଗି ଗୁରୁମନ୍ତ୍ର ଦେଇଯାଇଛନ୍ତି । ଏହା ପୂର୍ବରୁ ୨୦୧୯ ନିର୍ବାଚନ ଲାଗି ବିଜେପି ବିଧାନସଭାରେ ଅନ୍ୟୁନ ୧୨୦ଟି ଆସନ ଜିଣିବ ବୋଲି ଲକ୍ଷ୍ୟ ରଖିଥିବାବେଳେ ବିଜେପିର ଆସନ ସଂଖ୍ୟା କିନ୍ତୁ ବିଧାନସଭାରେ ଏବେ ୨୨ରେ ସୀମିତ ରହିଯାଇଛି । ତେବେ ଲୋକସଭା ନିର୍ବାଚନରେ ପୂର୍ବଥର ଅପେକ୍ଷା ୨୦୧୯ରେ ବିଜେପି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନ ଏବଂ ତିନିଟି ବିଧାନସଭା ଉପନିର୍ବାଚନରେ ବିଜେପି ଆଶାଜନକ ସଫଳତା ହାସଲ କରିପାରିନାହିଁ ।
ପୂର୍ବରୁ ବିଭିନ୍ନ ସଭା ସମିତିରେ ଅମିତ ଶାହା ରାଜ୍ୟ ବିଜେଡି ସରକାରକୁ ପୋଡା ଟ୍ରାନ୍ସଫର୍ମର ଭାବେ ଅବିହିତ କରି ଏହାକୁ ଓପାଡି ବଙ୍ଗୋପସାଗରରେ ଫୋପାଡି ଦେବାପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଆପଣମାନେ ଭଲ ଅଛନ୍ତି ତ’ କଥା ବିଜେପି ପାଇଁ ବୁମେରାଂ ହୋଇଥିଲା ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱାଲେଙ୍କ ବକ୍ତବ୍ୟ ପରେ ବିଜେଡି-ବିଜେପି କିଭଳି ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଭଳି କାମ କରୁଛନ୍ତି ତାହା ସ୍ପଷ୍ଟ ହୋଇଯାଇଛି ବୋଲି କଂଗ୍ରେସ କହୁଥିବାବେଳେ ବିଜେପି ପକ୍ଷରୁ ଏ ସଂକ୍ରାନ୍ତରେ ଏଯାବତ୍ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ରାଜ୍ୟରେ ବିଜେଡିର ସାଂଗଠନିକ ସ୍ଥିତି ଓ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଶୀର୍ଷରେ ଥିବାରୁ ୨୦୨୪ ନିର୍ବାଚନରେ ଦଳ ପୂର୍ବାପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ଦଳୀୟ ନେତାମାନେ ଆଶାବ୍ୟକ୍ତ କରୁଛନ୍ତି ।
ଏବେ ରାଜ୍ୟରେ ବନ୍ୟା କ୍ଷୟକ୍ଷତି ଲାଗି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଆସନ୍ତା ୩୧ରୁ ୫ଦିନିଆ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ କେନ୍ଦ୍ରରୁ ବନ୍ୟା ସାହାଯ୍ୟ ସମେତ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଅନ୍ୟ କେତେକ ପ୍ରସଙ୍ଗ ସେ ଉଠାଇ ପାରନ୍ତି ବୋଲି ଆଶା କରାଯାଉଛି । (ତଥ୍ୟ)