ଭୁବନେଶ୍ୱର : ବିଧାନସଭା ଭିତରେ ବିରୋଧି ବିଜେପି ଓ କଂଗ୍ରେସ ଏବଂ ଶାସକ ବିଜେଡି ଦଳର ସଦସ୍ୟମାନେ ହଟଗୋଳ କରିବାରୁ ପ୍ରଥମାର୍ଦ୍ଧରେ ଗୃହକାର୍ଯ୍ୟ ଚାଲିପାରି ନାହିଁ । ଦୁଇ ବିରୋଧି ଦଳ ଧାନକିଣା ପ୍ରସଙ୍ଗରେ ଗୃହ ଚଳାଇ ଦେବେନାହିଁ ବୋଲି ହୁଙ୍କାର ଦେଇଥିବାବେଳେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ନମାଗିବା ପର୍ଯ୍ୟନ୍ତ ଗୃହ ଚଳାଇ ଦିଆଯିବ ନାହିଁ ଶାସକଦଳ ମଧ୍ୟ ଶୁଣାଇ ଦେଇଛି ।
ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ଧାନ କିଣା ପ୍ରସଙ୍ଗ ଉଠାଇ ହଟଗୋଳ କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ବିଧାନସଭା ସଚିବଙ୍କ ଚଉକି ଉପରେ ଛିଡାହୋଇଥିବାବେଳେ ଅନ୍ୟ ସଦସ୍ୟମାନେ ଗୃହ ମଧ୍ୟରେ ରହି ଧ୍ୱନିମାନ ଦେଇଥିଲେ ।
ଏହି ସମୟରେ ଶାସକଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ବିଜେପି ସଦସ୍ୟ ସୁବାସ ପାଣିଗ୍ରାହୀ କାଲି ଯେଭଳି ଗୃହ ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ । ରାଜନୀତି ପାଇଁ ସେ ଗୃହର ମର୍ଯ୍ୟାଦା ହାନି କରିଛନ୍ତି । ତେଣୁ ସେ କ୍ଷମା ମାଗିବା ଆବଶ୍ୟକ । ଯେପର୍ଯ୍ୟନ୍ତ ଶ୍ରୀ ପାଣିଗ୍ରାହୀ କ୍ଷମା ମାଗିନାହାନ୍ତି ସେ ପର୍ଯ୍ୟନ୍ତ ଗୃହ ଚଳାଇବାକୁ ଦିଆଯିବ ନାହିଁ ।
ଶ୍ରୀମତୀ ମଲ୍ଲିକ ଏହା କହିବାପରେ ତାଙ୍କ ସହିତ ବିଜେଡି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଧ୍ୱନିମାନ ଦେଇଥିଲେ । ଶାସକଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରୀତି ରଞ୍ଜନ ଘଡାଇ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ବାଚସ୍ପତିଙ୍କ ଆସନ ସମ୍ମୁଖରେ ଛିଡାହୋଇ ହଟ୍ଟଗୋଳ କରିଥିଲେ । ତିନି ଦଳର ସଦସ୍ୟମାନେ ଏକ ସମୟରେ ଧ୍ୱନିମାନ ଦେବାରୁ ଗୃହ କମ୍ପି ଉଠିଥିଲା ।
ସଦସ୍ୟମାନଙ୍କ ଏଭଳି ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହ କାର୍ଯ୍ୟକୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ପୁର୍ନବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଉଭୟ ଶାସକ ଓ ବିରୋଧି ନିଜ ନିଜ ଜିଦ୍ରେ ଅଟଳ ରହିବା ସହିତ ବାଚସ୍ପତିଙ୍କ ଆସନ ସମ୍ମୁଖରେ ଆସି ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।