Home Health ୱାର୍ଡରେ ରହୁନାହାନ୍ତି ଡାକ୍ତର

ୱାର୍ଡରେ ରହୁନାହାନ୍ତି ଡାକ୍ତର

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ କ୍ୟାପିଟାଲ ହସ୍ପିଟାଲରେ ଏବେ ଅସମ୍ଭାଳ ଭିଡ । ମେଡିସିନ୍‍ ୱାର୍ଡରେ ଶଯ୍ୟା ଭର୍ତ୍ତିହୋଇ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି । ତେବେ ଏଭଳି ସ୍ଥିତିରେ ଦାୟିତ୍ୱରେ ଥିବା ଡାକ୍ତରମାନେ ମେଡିସିନ ୱାର୍ଡରେ ନରହି କାଜୁଆଲିଟିରେ ଥିବା ଛୋଟ କୋଠରୀରେ ବସିବା ଯୋଗୁଁ ଏବେ ରୋଗୀ ଓ କର୍ମଚାରୀମାନେ ନାକେଦମ ହେଉଛନ୍ତି ।

ମେଡିସିନ ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତରମାନଙ୍କ ପାଇଁ ସେଠାରେ କୋଠରୀ ରହିଛି । ରୋଗୀ ଦେଖିଲାପରେ ସେଠାରେ ବିଶ୍ରାମ ନେବା ସହିତ ଜରୁରୀ ପଡିଲେ ତୁରନ୍ତ ରୋଗୀଙ୍କୁ ଦେଖିଥାନ୍ତି । ଅଧିକାଂଶ ସମୟରେ ସେବିକାମାନେ ତୁରନ୍ତ ସେଠାରେ ଉପସ୍ଥିତ ଥିବା ଡାକ୍ତରଙ୍କୁ ପଚାରି ରୋଗୀଙ୍କ ଚିକିତ୍ସା କରିଥାନ୍ତି । ରୋଗୀଙ୍କ ସମ୍ପର୍କୀୟମାନେ ବି ଜରୁରୀ ସମୟରେ ସେହିଠାରେ ଡାକ୍ତରଙ୍କୁ ଭେଟିଥାନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଗତ କିଛିଦିନ ହେଲା ମେଡିସିନ୍‍ ୱାର୍ଡ ଦାୟିତ୍ୱରେ ରହୁଥିବା କେତେଜଣ ଡାକ୍ତର ରାଉଣ୍ଡରୁ ଫେରି ସିଧାସଳଖ କାଜୁଆଲିଟି ନିକଟରେ ଥିବା କୋଠରୀରେ ଯାଇ ବସୁଛନ୍ତି । କୌଣସି କାରଣରୁ ଡାକ୍ତରଙ୍କର ଆବଶ୍ୟକ ହେଲେ ଡାକ୍ତରଖାନା କର୍ମଚାରୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ ସେଠାକୁ ଦଉଡୁଛନ୍ତି । ଖବର ପାଇଲାପରେ ଡାକ୍ତର ପୁର୍ନବାର ୱାର୍ଡକୁ ଆସୁଛନ୍ତି । ନିଜ ପାଇଁ ଉଦ୍ଦିଷ୍ଟ ଥିବା କୋଠରୀରେ କାହିଁକି ଡାକ୍ତର ବସୁନାହାନ୍ତି ତାହା ଏବେ ବଡ ପ୍ରଶ୍ନବାଚୀ ହୋଇଛି । କାଜୁଆଲିଟିରେ ରୋଗୀ ଦେଖୁନଥିଲେ ମଧ୍ୟରେ ସେଠାରେ ମେଡିସିନ୍‍ ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତର ଏକ ପ୍ରକାର ଏକାନ୍ତବାସରେ ରହୁଛନ୍ତି । ସୁରକ୍ଷାକର୍ମୀ ମୁତୟନ ଥିବାରୁ ରୋଗୀଙ୍କ ସମ୍ପର୍କୀୟମାନେ ତାଙ୍କୁ ସେଠାରେ ଭେଟିବା କରିବା ମୁସ୍କିଲ ହୋଇପଡୁଛି ।

ସେହିଭଳି ଗତ କିଛିଦିନ ହେଲା ସକାଳ ବେଳା ରାଉଣ୍ଡରେ ଯାଉଥିବା ଡାକ୍ତରମାନେ ୱାର୍ଡରେ ଚିକିତ୍ସିତ ରୋଗୀଙ୍କ ଚିଠାରେ ଔଷଧର ନାମ ଲେଖିବା ବଦଳରେ ‘କଣ୍ଟିନିଉ’ ଲେଖି କାମସାରି ଦେଉଛନ୍ତି । ଫଳରେ କେତେକ ସ୍ଥଳରେ ରୋଗୀମାନେ ଆବଶ୍ୟକତା ଠାରୁ ଅଧିକ ଦିନ ଧରି ଔଷଧ ସେବନ କରୁଛନ୍ତି । ନିୟମ ଅନୁଯାୟୀ ପ୍ରତିଦିନ ସକାଳ ବେଳା ରାଉଣ୍ଡରେ ଯାଉଥିବା ଡାକ୍ତରମାନେ ରୋଗୀଙ୍କ ଚିଠାରେ ଔଷଧର ନାମ ଲେଖିବେ ଓ ଏହାପରେ ଯଦି ଆବଶ୍ୟକ ପଡେ ଉପରବେଳା କିମ୍ବା ସଂଧ୍ୟା ରାଉଣ୍ଡରେ ଯାଉଥିବା ଡାକ୍ତର ନୂଆ ଔଷଧ ଯୋଗ କରିବେ । ହେଲେ ଏବେ କେତେକ ବିଭାଗରେ ସକାଳ ବେଳା ଔଷଧର ନାମ ଲେଖିବା ବଦଳରେ ଡାକ୍ତରମାନେ କେବଳ ‘କଣ୍ଟିନିଉ’ ଲେଖି ନିଜର କାମ ସାରିଦେଉଛନ୍ତି ।

କ୍ୟାପିଟାଲ ହସ୍ପିଟାଲକୁ ଏବେ ପୁରୀ ଓ ଖୋରଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଉନ୍ନତ ଚିକିତ୍ସାପାଇଁ ରୋଗୀମାନେ ରେଫର ହୋଇ ଆସୁଥିବାବେଳେ ଡାକ୍ତରମାନଙ୍କ ଏଭଳି ମନୋଭାବ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଶେଷକରି ଡ୍ୟୁଟି ସମୟରେ ଡାକ୍ତରମାନେ ୱାର୍ଡରେ ନରହି ଅନ୍ୟ ସ୍ଥାନରେ ଯାଇ ବସି ରହିବା ଉଭୟ ରୋଗୀଙ୍କ ସମ୍ପର୍କୀୟ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢାଇବାରେ ଲାଗିଛି । ଏପରିକି ୱାର୍ଡରେ ରହୁନଥିବା ଡାକ୍ତର କେଉଁଆଡେ ଯାଉଛନ୍ତି ଏବଂ ଡାକ୍ତରଖାନା ଆଖପାଖରେ ଗଢି ଉଠିଥିବା ଘରୋଇ କ୍ଲିନିକଟରେ ରୋଗୀ ଦେଖୁଛନ୍ତି କି ନାହିଁ ସେ ସଂକ୍ରାନ୍ତରେ ମେଡିକାଲ କର୍ତ୍ତୃପକ୍ଷ ବିଧିବଦ୍ଧ ତଦନ୍ତ କରିବାକୁ ରୋଗୀଙ୍କ ସମ୍ପର୍କୀୟମାନେ ମତ ଦେଉଛନ୍ତି । (ତଥ୍ୟ)