Home Administration ୱାଟକୋ ପାଇଁ ଲୋକେ ହିନସ୍ତା

ୱାଟକୋ ପାଇଁ ଲୋକେ ହିନସ୍ତା

ଭୁବନେଶ୍ୱର : ସ୍ୱେରେଜ୍‍ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଦାୟିତ୍ୱ ୱାଟକୋ ହାତକୁ ଯିବାପରେ ଏବେ ଲୋକଙ୍କ ହିନସ୍ତା ବଢ଼ିବାରେ ଲାଗିଛି । ସହରର ଚାରିଆଡ଼େ ସ୍ୱେରେଜ୍‍ ଜାମ୍‍ ହେବା ସହିତ ରାସ୍ତାଘାଟରେ ନର୍ଦ୍ଦମା ପାଣି ଭାସୁଛି । ହେଲେ ଯନ୍ତ୍ରପାତିର ଅଭାବ ଦର୍ଶାଇ ବିଭାଗୀୟ ଯନ୍ତ୍ରୀମାନେ ଏକପ୍ରକାର ହାତ ଟେକିଦେଲେଣି ।

ପୂର୍ବରୁ ସ୍ୱେରେଜ୍‍ର ଦାୟିତ୍ୱ ଜନସ୍ୱାସ୍ଥ୍ୟ ବିଭାଗ ହାତରେ ରହିଥିଲା । ବିଭାଗୀୟ ଯନ୍ତ୍ରୀମାନେ ଏହାର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ତୁଲାଉଥିଲେ । ଏଥିପାଇଁ ବିଭାଗ ପକ୍ଷରୁ କର୍ମଚାରୀ ନିଯୁକ୍ତ ହୋଇଥିଲେ । ହେଲେ ୱାଟକୋ ଗଠନ ପରେ ଏହି ଦାୟିତ୍ୱ ଜନସ୍ୱାସ୍ଥ୍ୟ ବିଭାଗ ହାତରୁ ୱାଟକୋ ପାଖକୁ ଯାଇଛି । ତେବେ ଯେବେଠାରୁ ଦାୟିତ୍ୱ ହସ୍ତାନ୍ତର ହୋଇଛି ସେବେଠାରୁ ସ୍ୱେରେଜ୍‍ ମରାମତି ପାଇଁ ଅଭିଯୋଗ କଲେ କେହି ଶୁଣିବାକୁ ନାହିଁ ।

ତେବେ କଟକରେ ଡ୍ରେନ୍‍ ସଫେଇ ବେଳେ ଦୁଇଜଣଙ୍କ ମୃତ୍ୟୁପରେ ସ୍ଥିତି ଅଧିକ ସଙ୍ଗୀନ ହୋଇଛି । ଏହି ଘଟଣା ପରେ ସ୍ୱେରେଜ୍‍ ଲାଇନ୍‍ ସଫା କାର୍ଯ୍ୟରେ ମଣିଷଙ୍କ ପରିବର୍ତ୍ତେ ମେସିନ୍‍ ବ୍ୟବହାର କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ହେଲେ ଯେତେସଂଖ୍ୟାରେ ଅଭିଯୋଗ ଆସୁଛି ସେହି ଅନୁଯାୟୀ ଯନ୍ତ୍ରପାତି ନାହିଁ । ଯେଉଁ କେତୋଟି ହାତଗଣତି ଯନ୍ତ୍ରପାତି ରହିଛି ତାହା ସମୁଦ୍ରକୁ ଶଙ୍ଖେ ଭଳି ।

ରାଜଧାନୀରେ ସ୍ୱେରେଜ୍‍ ବ୍ୟବସ୍ଥା କିଭଳି ବିଗିଡ଼ିଛି ଓ ଲୋକେ କିଭଳି ହିନସ୍ତା ହେଉଛନ୍ତି ତାହା କ୍ୟାପିଟାଲ ହସ୍ପିଟାଲ ନିକଟକୁ ଗଲେ ଯେ କେହି ଦେଖିପାରିବେ । ହସ୍ପିଟାଲର ଯେଉଁଠାରେ ଦୈନିକ ଶହ ଶହ ଲୋକେ କରୋନା ପରୀକ୍ଷା ପାଇଁ ଆସୁଛନ୍ତି ସେଠାରେ ରାସ୍ତା ଉପରେ ନର୍ଦ୍ଦମା ପାଣି ଭାସୁଛି । ରୋଗୀଙ୍କ ଠାରୁ ବାବୁ ଯାଏଁ ସମସ୍ତେ ଏହି ବାଟ ଦେଇ ଯାଉଛନ୍ତି । ହେଲେ ୱାଟକୋ କର୍ତ୍ତୃପକ୍ଷଙ୍କ ନଜରରେ କିନ୍ତୁ ଏହା ପଡ଼ୁନାହିଁ ।

ନାମ ଗୋପନ ସର୍ତ୍ତରେ ୱାଟକୋର ଜଣେ ଯନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ଅଭିଯୋଗର ସମାଧାନ ପାଇଁ ଆମ ପାଖରେ ସାଧନ ନାହିଁ । ଯନ୍ତ୍ରପାତି କିଣିବାକୁ ବରାଦ ଦିଆଯାଇଥିଲେ ବି କରୋନା ବେଳେ କେବେ ଏହା ମିଳିବ ତାହାର କୌଣସି ଠିକଣା ନାହିଁ । ଯେଉଁମାନେ ଯନ୍ତ୍ରପାତି ବ୍ୟବହାର ଲାଗି ନିର୍ଦ୍ଦେଶ ଦେଲେ ସେମାନେ ତଳସ୍ତରର କାମ ବିଷୟରେ ଅଜ୍ଞ । ଅତିକମ୍‍ରେ ଯନ୍ତ୍ରପାତି ଆସି ପହଞ୍ଚିବା ପର୍ଯ୍ୟନ୍ତ ଲୋକଙ୍କ ଦ୍ୱାରା କାମ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ ଏଭଳି ସ୍ଥିତି ଉପୁଜିନଥାନ୍ତା । ଆମେ ଏବେ ଦୈନିକ ଶହ ଶହ ଲୋକଙ୍କଠାରୁ ଗାଳି ଶୁଣୁଛୁ ।

ରାଜଧାନୀର ଜଳଯୋଗାଣ ଓ ସ୍ୱେରେଜ୍‍ ବ୍ୟବସ୍ଥା ୱାଟ୍‍କୋ ନେବା ପରେ ଲୋକଙ୍କ ହିନସ୍ତା ବଢ଼ିଛି ଓ ପ୍ରତିଦିନ ଲୋକେ ଅଭିଯୋଗ ପରେ ଅଭିଯୋଗ କରୁଛନ୍ତି । ୱାଟକୋ କର୍ତ୍ତୃପକ୍ଷ ବିଭାଗୀୟ କର୍ମଚାରୀଙ୍କ ବଦଳରେ ଘରୋଇ ସଂସ୍ଥା ଜରିଆରେ କାମ କରାଉଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଉଥିବା ବିଭାଗୀୟ କର୍ମଚାରୀମାନେ କହୁଛନ୍ତି । ତେବେ ସ୍ୱେରେଜ ପାଇଁ ଉଭୟ ୱାଟକୋ ଓ ବିଏମ୍‍ସି ଟିକସ ନେଉଥିବାବେଳେ ୱାଟକୋ କର୍ତ୍ତୃପକ୍ଷଙ୍କ ବେପରୁଆ ନୀତି ପାଇଁ ରାଜଧାନୀବାସୀ ଏବେ ଯେଉଁ ହିନସ୍ତା ହେଉଛନ୍ତି ତାହାର ସମାଧାନ କେବେ ହେବ ଖୋଦ୍‍ ୱାଟକୋର ଯନ୍ତ୍ରୀମାନେ ବି କହିପାରୁନାହାନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here