Home Judiciary ୮୫ହଜାର ମାମଲା ବିଚାର ପ୍ରତୀକ୍ଷାରେ

୮୫ହଜାର ମାମଲା ବିଚାର ପ୍ରତୀକ୍ଷାରେ

ଭୁବନେଶ୍ୱର : ବିଭିନ୍ନ ଆଇନ୍‍ ଅଦାଲତରେ ଏବେ ଓଡିଶା ସରକାରଙ୍କର ଚାକିରି ଓ ପେନ୍‍ସନ ସଂକ୍ରାନ୍ତୀୟ ଅନ୍ୟୁନ ୮୫ହଜାର ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଆପତ୍ତି ଅଭିଯୋଗର ଶୁଣାଣି ଓ ଫଏସଲା ପ୍ରକ୍ରିୟାରେ ଢିଲା ପଣ ଏବଂ ତ୍ରୁଟି ବିଚ୍ୟୁତି ଲାଗି ଉତ୍ତରଦାୟିତ୍ୱ ଅଭାବରୁ ସରକାରୀକଳ ଉପରେ ମାମଲାର ଚାପ ଅଧିକ ରହୁଥିବା କୁହାଯାଉଛି ।

ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍) ଉଚ୍ଛେଦ ହେବା ବେଳକୁ ଏଠାରେ ୭୦ହଜାରରୁ ଉର୍ଦ୍ଧ୍ୱ ମୂଳ ମାମଲା, ବିବିଧ ମାମଲା ଓ ଅଦାଲତ ଅବମାନନା ମାମଲା ଆଦି ବିଚାର ପ୍ରତୀକ୍ଷାରେ ଥିଲା । ଏଗୁଡିକ ଏବେ ଓଡିଶା ହାଇକୋର୍ଟକୁ ସ୍ଥାନାନ୍ତରିତ ହେଲେ ହାଇକୋର୍ଟର ମୋଟ୍‍ ମାମଲା ବୋଝ ଅଢେଇ ଲକ୍ଷକୁ ଟପିଯିବ ବୋଲି ଆଇନ୍‍ ବିଶାରଦମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ସ୍ୟାଟ୍‍ ଓ କ୍ୟାଟ୍‍ ଛଡା ହାଇକୋର୍ଟ, ସୁପ୍ରିମ୍‍କୋର୍ଟ ଏବଂ ଅନ୍ୟ ଟ୍ରିବ୍ୟୁନାଲଗୁଡିକରେ ଚାକିରି ପେନ୍‍ସନ ସଂକ୍ରନ୍ତୀୟ ମାମଲା ଗଡୁଛି । ଏଥିରୁ ସଂଖ୍ୟାଧିକରେ ଓଡିଶା ସରକାରଙ୍କ ବିଭିନ୍ନ ଦପ୍ତର ପ୍ରତିପକ୍ଷ ଥିବାବେଳେ ଆଉ କେତେକରେ ତଳକୋର୍ଟର ରାୟ ବିରୁଦ୍ଧରେ ସରକାର ହାଇକୋର୍ଟ ଓ ସୁପ୍ରିମ୍‍କୋର୍ଟରେ ମାମଲା ରୁଜୁ କରିଛନ୍ତି ।

୨୦୧୧ ମସିହାରେ ରାଜ୍ୟ ସରକାର ପ୍ରଣୟନ କରିଥିବା ଓଡିଶା ମାମଲା ନୀତିର ଠିକଣା ଅନୁପାଳନ କରାଯାଇଥିଲେ ଚାକିରି ଓ ପେନ୍‍ସନ ସଂକ୍ରାନ୍ତୀୟ ମାମଲା ବୋଝ ଏତେ ରୁହନ୍ତା ନାହିଁ । ଏହାଛଡା ଚାକିରି ପ୍ରତ୍ୟାଶୀ ଓ କର୍ମଚାରୀ ଏବଂ ପେନ୍‍ସନଭୋଗୀଙ୍କ ଆପତ୍ତି ଅଭିଯୋଗ ଠିକଣା ଫୋରମରେ ତ୍ୱରିତ ଫଏସଲା ହେଉଥିଲେ ମାମଲା ସୃଷ୍ଟି ହୁଅନ୍ତା ନାହିଁ ।

ବରିଷ୍ଠ ଅଧିକାରୀମାନେ କହୁଛନ୍ତି ଯେ ବିଭିନ୍ନ ବିଭାଗ, ନିର୍ଦ୍ଦେଶାଳୟ ଏବଂ ଜିଲ୍ଲା ଓ କ୍ଷେତ୍ରସ୍ତରୀୟ ଦପ୍ତରଗୁଡିକରେ ଗୋଟିଏ ପଟେ ବହୁ ପଦ ପଦବୀ ଖାଲି ପଡିଥିବାବେଳେ ଅନ୍ୟ ପଟେ ମାମଲା ବୁଝିବାପାଇଁ ଅମଲାତନ୍ତ୍ରର ବ୍ୟାପକ ସମୟ ଓ ରାଜକୋଷର କୋଟି କୋଟି ଟଙ୍କା ବ୍ୟୟ ହେଉଛି । ଚାକିରି ଓ ପେନସନ ସଂକ୍ରାନ୍ତୀୟ ସଂଖ୍ୟାଧିକ ମାମଲାରେ ସରକାରୀକଳର ତ୍ରୁଟି ବିଚ୍ୟୁତି ଯୋଗୁଁ ସରକାର ହାରୁଛନ୍ତି । କିନ୍ତୁ ଯେଉଁମାନଙ୍କ କାଳକ୍ଷେପଣ ଓ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ହଇରାଣ ହରକତ ହୋଇ କର୍ମଚାରୀମାନେ ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରୁଛନ୍ତି ସେମାନଙ୍କୁ ଉତ୍ତରଦାୟୀ କରାଯାଉ ନଥିବା ମାମଲା ସଂଖ୍ୟା ବୃଦ୍ଧିର ଅନ୍ୟତମ କାରଣ ହୋଇଛି ।

ବିଭାଗୀୟ ସ୍ତରରେ ନ୍ୟାୟ ନପାଇ ଯେଉଁମାନେ ମାମଲା ରୁଜୁ କରୁଛନ୍ତି ସେମାନେ ବିପୁଳ ଅର୍ଥ ଶ୍ରାଦ୍ଧ କରିବା ସହ ବହୁ ସମୟ ବରବାଦ କରିବା ସଂଗେ ସଂଗେ ବର୍ଷ ବର୍ଷ ଧରି ମାନସିକ ଚାପରେ ରହୁଛନ୍ତି । ଫଳରେ ଏହି କର୍ମଚାରୀମାନେ ସରକାରୀ କାର୍ଯ୍ୟରେ ଯେତେ ସମୟ ଦେବାକଥା ତାହା ଦେଇପାରୁ ନାହାନ୍ତି । ମାମଲାର ଚାପା ଦୃଷ୍ଟିରୁ ଅଦାଲତରେ ଏହା ବର୍ଷ ବର୍ଷ ଗଡିବା ଫଳରେ ଉଭୟ କର୍ମଚାରୀ, ପେନ୍‍ସନ ପ୍ରତ୍ୟାଷୀ ଓ ସରକାରୀକଳ ମଧ୍ୟ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛି ।

ଅବସରପ୍ରାପ୍ତ ବିଚାରପତି, ଅଭିଜ୍ଞ ଆଇନ୍‍ଜୀବୀଙ୍କ ଠାରୁ ଆରମ୍ଭକରି ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ ସୀମିତ ସମୟ ମଧ୍ୟରେ କର୍ମଚାରୀମାନଙ୍କ ଆପତ୍ତି ଅଭିଯୋଗର ଫଏସଲା ହୋଇପାରିଲେ ଏବଂ ଦପ୍ତରଗୁଡିକରେ ସ୍ୱଚ୍ଛ, ସମୟଭିତ୍ତିକ ଓ ନିରପେକ୍ଷ ଭାବେ ସକରାତ୍ମକ କାମ ଚାଲିଲେ ମାମଲା ସୃଷ୍ଟି ହୁଅନ୍ତା ନାହିଁ । ଯେତେ ସଂଖ୍ୟକ ମାମଲା ଏବେ ଆଇନ୍‍ ଅଦାଲତରେ ଘାଣ୍ଟିହେଉଛି ସେଗୁଡିକର ସମୀକ୍ଷା ବିଭାଗୀୟ ସ୍ତରରେ କରାଯାଇ ପାରିଲେ ଅନେକ ସମସ୍ୟା ସମାଧାନ ହୋଇପାରିବ ବୋଲି ସରକାରୀ ଅଧିକାରୀମାନେ ବି ସ୍ୱୀକାର କରୁଛନ୍ତି । (ତଥ୍ୟ)