Home Education ୮୦ ଅଧ୍ୟାପକଙ୍କୁ ନିଯୁକ୍ତି

୮୦ ଅଧ୍ୟାପକଙ୍କୁ ନିଯୁକ୍ତି

ଭୁବନେଶ୍ୱର : ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ୨୦୧୬ ମସିହାରୁ ଆଜି ପର୍ଯ୍ୟନ୍ତ ୨୪୦୩ ଜଣ ଅଧ୍ୟାପକଙ୍କୁ ରାଜ୍ୟ ସିଲେକ୍‌ସନ୍‌ ବୋର୍ଡ ଦ୍ୱାରା ଚୟନ କରାଯାଇ ନିଯୁକ୍ତି ଦିଆଯାଇଛି । ଏଥି ସହିତ ଆଉ ୯୭୨ଟି ଅଧ୍ୟାପକ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ରାଜ୍ୟ ସିଲେକ୍‌ସନ୍‌ ବୋର୍ଡକୁ ସୁପାରିଶ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଇତିହାସ, ଓଡ଼ିଆ ଏବଂ ରାଜନୀତି ବିଜ୍ଞାନରେ ନବନିଯୁକ୍ତ ୮୦ ଜଣ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ନିମନ୍ତେ ଆୟୋଜିତ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ଛାତ୍ରଛାତ୍ରୀମାନେ ବହୁଳ ଭାବରେ ଶିକ୍ଷକମାନଙ୍କ ଦ୍ୱାରା ପ୍ରଭାବିତ ହେଉଥିବା ଦୃଷ୍ଟିରୁ ବିଦ୍ୟାର୍ଥୀମାନଙ୍କୁ ଗଢ଼ିବା ଦିଗରେ ଅଧ୍ୟାପକଅଧ୍ୟାପିକାମାନେ ଅଧିକ ଯତ୍ନବାନ ହେବା ଆବଶ୍ୟକ ।

ଏହି ଅବସରରେ ମନ୍ତ୍ରୀ ଡ. ସାହୁ କହିଥିଲେ ଯେ ସତ୍ୟକୁ ଉନ୍ମୋଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରତ୍ୟେକ ଜିନିଷର ଏକ ଇତିହାସ ରହିଥିବାବେଳେ ଇତିହାସକୁ ଛାଡ଼ିଦେଇ କେହି ସ୍ୱୟଂସଂପୂର୍ଣ୍ଣ ହୋଇପାରି ନାହିଁ । ଅତୀତ ଇତିହାସକୁ ବଶ୍ଳେଷଣ କରି ବର୍ତ୍ତମାନର କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିପାରିଲେ ଏକ ଗୌରବମୟ ଇତିହାସ ସୃଷ୍ଟି ସମ୍ଭବ ହେବ ବୋଲି ସେ କହିଥିଲେ ।

ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର ଉଦ୍‌ବୋଧନ ଦେବା ଅବସରରେ କହିଲେ ପାଠପଢ଼ିବାକୁ ସବୁବେଳେ ଆକର୍ଷଣୀୟ କରିପାରିଲେ ବିଦ୍ୟାର୍ଥୀମାନେ ଅଧିକ ମାତ୍ରାରେ ଉତ୍ସାହିତ ହେବେ । ପାଠପଢ଼ା ବ୍ୟତୀତ ଅଧ୍ୟାପକମାନେ ମହାବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ଉପରେ ସଚିବ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ ।

ଆଜିର ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ନିମନ୍ତେ ଚୟନ କରାଯାଇଥିବା ଅଧ୍ୟାପିକା ଓ ଅଧ୍ୟାପକମାନଙ୍କ ମଧ୍ୟରୁ ୭୪ ଜଣ ଇତିହାସ ବିଭାଗର ହୋଇଥିବାବେଳେ ଓଡ଼ିଆ ବିଭାଗରେ ୫ ଜଣ ଏବଂ ରାଜନୀତି ବିଜ୍ଞାନ ବିଭାଗର ଜଣେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ସୁରେନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here