Home Finance ୭ ପ୍ରତିଶତ ହେବ ଆର୍ଥିକ ଅଭିବୃଦ୍ଧି

୭ ପ୍ରତିଶତ ହେବ ଆର୍ଥିକ ଅଭିବୃଦ୍ଧି

ଆଗାମୀ ଆର୍ଥିକ ବର୍ଷରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୭ପ୍ରତିଶତ ରହିପାରେ । ରାଜ୍ୟ ସରକାରଙ୍କ ୨୦୨୧-୨୨ ଆର୍ôଥକ ବର୍ଷର ବାର୍ଷିକ ବଜେଟ୍‍ ପ୍ରସ୍ତୁତିରୁ ଏଭଳି ଆକଳନ ସମ୍ମୁଖକୁ ଆସିଛି ।

ଓଡିଶା ବିଧାନସଭାରେ ଯେଭଳି ଠିକଣା ସମୟରେ ଆସନ୍ତା ଆର୍ଥିକ ବର୍ଷର ବଜେଟ୍‍ ଉପସ୍ଥାପିତ ହେବ ସେଥିପାଇଁ କର୍ତ୍ତୃପକ୍ଷ ପକ୍ରିୟା ଆରମ୍ଭ କରିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଏ ସଂକ୍ରାନ୍ତରେ ସମସ୍ତ ସଚିବ ଏବଂ ବିଭାଗୀୟ ମୁଖ୍ୟମାନଙ୍କୁ ଅବଗତ କରିବା ସହିତ ରାଜ୍ୟ ସରକାରଙ୍କ ଅଗ୍ରାଧିକାର କ୍ଷେତ୍ରକୁ ଦର୍ଶାଇଛନ୍ତି । କୋଭିଡି ମହାମାରୀ ସମୟରେ ଉଭୟ ରାଜ୍ୟ ଓ ବ୍ୟକ୍ତିଗତ ସ୍ତରରେ ଅର୍ଥନୀତି ଯେଭଳି ସୁଦୃଢ ରହିବ ତାହା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଆରୋପ କରୁଥିବାରୁ ଅର୍ଥ ବିଭାଗ ପାଇଁ ବଜେଟ୍‍ ପ୍ରସ୍ତୁତି ଏକ ଆହ୍ୱାନ ହୋଇଛି । ଚଳିତବର୍ଷ ମାର୍ଚ୍ଚ ମାସରୁ ରାଜ୍ୟ ସରକାର କରୋନା ସହ ଲଢୁଥିବାବେଳେ ଏହା ଆହୁରି କିଛିମାସ ଜାରି ରହିବ ।

ତେବେ ରାଜ୍ୟ ସରକାର ଦାରିଦ୍ର୍ୟ ହ୍ରାସ, କୃଷକଙ୍କ ଆୟବୃଦ୍ଧି, ସମସ୍ତଙ୍କୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ, ଲୋକଙ୍କ ଦ୍ୱାରା ଗ୍ରହଣୀୟ ସ୍ୱାସ୍ଥ୍ୟସେବା, ଗୁଣାତ୍ମକ ଶିକ୍ଷା ଏବଂ ଦକ୍ଷତା ବିକାଶ, ମହିଳା, ଅନୁସୂଚିତ ଜାତି ଓ ଜନଜାତି ଏବଂ ଅନ୍ୟ ସମ୍ବେଦନଶୀଳ ବର୍ଗଙ୍କୁ ସଶକ୍ତ କରିବା ସହିତ ଭିତ୍ତିଭୂମିର ବିକାଶ ଆଦି ଉପରେ ଗୁରୁତ୍ୱ ଦେଉଥିବାବେଳେ କୋଭିଡ ପରିଚାଳନା, ଲୋକଙ୍କ ଜୀବନ ରକ୍ଷା ଏବଂ ସେମାନଙ୍କ ଜୀବନ ଜୀବିକାକୁ ଅଗ୍ରାଧିକାର ଦେବାପାଇଁ ବିଭାଗଗୁଡିକୁ କହିଛନ୍ତି ।

୨୦୨୦-୨୧ ଆର୍ଥିକ ବର୍ଷରେ ଆର୍ଥିକ ଅଭିବୃଦ୍ଧି ୧ ରୁ ୨ ପ୍ରତିଶତ ସଙ୍କୁଚିତ ହେବା ଆଶଙ୍କା ଥିବାବେଳେ ୨୦୨୧-୨୨ ବର୍ଷରେ କନ୍ତୁ ଏହା ୭ ପ୍ରତିଶତ ବଢିପାରେ । ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ଆଦାୟକୁ ନେଇ ଅର୍ଥନୀତି ବିଶେଷଜ୍ଞମାନେ ଏହି ଦୁଇବର୍ଷର ଆକଳନ କରୁଛନ୍ତି । ଆସନ୍ତା ଆର୍ଥିକବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରରୁ ମିଳୁଥିବା ଟିକସ ଅଂଶଧନ ଓ ଅନୁଦାନ ପ୍ରଭାବିତ ହୋଇଛି । ଲକ୍‍ଡାଉନ ଓ ସଟ୍‍ଡାଉନ ଯୋଗୁଁ ଏଭଳି ପ୍ରଭାବ ପଡିଥିବାବେଳେ ରାଜ୍ୟ ସରକାର କିନ୍ତୁ ଖଣି ଲିଜ୍‍ ନବୀକରଣ ଓ ବାକିଆ ଅର୍ଥ ଆଦାୟ ଉପରେ ସମୟୋଚିତ ପଦକ୍ଷେପ ଗ୍ରହଣ କରିବାରୁ ଚଳିତବର୍ଷ ଅଗଷ୍ଟ ସୁଦ୍ଧା ନିଜସ୍ୱ ଟିକସ ଓ ଅଣଟିକସ କ୍ଷେତ୍ରରେ ସୃଷ୍ଟି ହୋଇଥିବା ତାରତମ୍ୟ ହ୍ରାସ ପାଇଛି ।

୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ନିଜସ୍ୱ ଟିକସ ଅଭିବୃଦ୍ଧି ଆକଳନ କରାଯାଉଛି । ଆର୍ଥିକ ପ୍ରଦର୍ଶନ ଉପରେ ଆସନ୍ତା ଆର୍ଥିକବର୍ଷର ଜିଏସ୍‍ଟି କ୍ଷତିପୂରଣ ନିର୍ଭର କରୁଛି । ଏହାବାଦ୍‍ ପଞ୍ଚଦଶ ଅର୍ଥ କମିଶନଙ୍କ ଚୂଡାନ୍ତ ରିପୋର୍ଟ ଆଧାରରେ କେନ୍ଦ୍ରୀୟ ଟିକସରୁ ମିଳିବାକୁ ଥିବା ଅଂଶଧନ କ୍ଷେତ୍ରରେ ଅନିଶ୍ଚିତତା ସୃଷ୍ଟି ହୋଇଛି । ତେବେ ଆସନ୍ତା ଆର୍ଥିକ ବର୍ଷରେ ବ୍ୟୟ ଭାର ୧୨ ପ୍ରତିଶତ ବୃଦ୍ଧି ପାଇବା ଆକଳନ କରାଯାଉଛି । ୨୦୨୦-୨୧ବର୍ଷରେ ରାଜ୍ୟ ସରକାର ନୂତନ ଭାବେ ବଜେଟ୍‍ ପ୍ରସ୍ତୁତି କରିଥିଲେ । ସେହି ଭିତ୍ତିରେ ଆସନ୍ତାବର୍ଷର ବଜେଟ୍‍ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିଯୋଗୁଁ ବଜେଟ୍‍ ପ୍ରସ୍ତାବକୁ ଅନୁଧ୍ୟାନ ଓ ସମୀକ୍ଷା ପାଇଁ ବିଭାଗକୁ ୨/୩ମାସ ସମୟ ମିଳିପାରିବ ।