Home News in Odia ୭ଟି ସ୍ଥାନରେ ଇକୋ ରିଟ୍ରିଟ

୭ଟି ସ୍ଥାନରେ ଇକୋ ରିଟ୍ରିଟ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଇକୋ ରିଟ୍ରିଟ ଆୟୋଜନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ସଫଳ ହେବାପରେ ଚଳିତବର୍ଷ ଏହା ୭ଟି ସ୍ଥାନରେ ଆୟୋଜନ ପାଇଁ ସ୍ଥିର ହୋଇଛି । ୨୦୨୬ ପର୍ଯ୍ୟନ୍ତ ରାଜ୍ୟର ୭ଟି ସ୍ଥାନରେ ଏହା ଅନୁଷ୍ଠିତ ହେବ ।

ରାଜ୍ୟ ପର୍ଯ୍ୟଟନ ଓ କ୍ରୀଡା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଚଳିତବର୍ଷ ଇକୋ ରିଟ୍ରିଟ ଆୟୋଜନ ସଂକ୍ରାନ୍ତରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଥିଲେ । ଚଳିତବର୍ଷ ୭ଟି ସ୍ଥାନରେ ଇକୋ ରିଟ୍ରିଟ ଆୟୋଜନ ହେବାର ପ୍ରସ୍ତାବ ରହିଛି । ପୂର୍ବରୁ ଏହା ୫ଟି ସ୍ଥାନରେ ଅନୁଷ୍ଠିତ ହେଉଥିଲା । ଚଳିତବର୍ଷ ଇକୋ ରିଟ୍ରିଟ ଅନୁଷ୍ଠିତ ହେବାକୁ ଥିବା ସ୍ଥାନଗୁଡିକ ହେଲା କୋଣାର୍କ, ବାଲିପୁଟ, ଭିତରକନିକା, ଦାରିଙ୍ଗିବାଡି, ହୀରାକୁଦ, ପତିସୋନାପୁର ଏବଂ କୋରାପୁଟ ।

ଇକୋ ରିଟ୍ରିଟ ହେଉଛି ପର୍ଯ୍ୟଟନ ବିଭାଗର ଏକ ଭଲ ପ୍ରକଳ୍ପ ଯାହା ୨୦୧୯-୨୦ ରୁ କୋଣାର୍କ ଠାରେ ଆୟୋଜିତ ହୋଇଥିଲା । କୋଣାର୍କ ବୋଳାଭୂମିରେ ଆୟୋଜିତ ଇକୋ ରିଟ୍ରିଟ ଓଡିଶା ପର୍ଯ୍ୟଟନ ବିଭାଗର ସବୁଠାରୁ ଲୋକପ୍ରିୟ ପଦକ୍ଷେପ । କୋଣାର୍କର ସଫଳତା ପରେ ୨୦୨୦ ମସିହାରେ ୫ଟି ସ୍ଥାନରେ ଏହା ଆୟୋଜିତ ହୋଇଥିଲା । ପ୍ରକୃତି କୋଳରେ ପର୍ଯ୍ୟଟକମାନେ ପଞ୍ଚତାରକା ହୋଟେଲର ମଜା ଉଠାଇଥିଲେ ।

ଇକୋ ରିଟ୍ରିଟ୍‍ରେ ଖାଦ୍ୟ, ପାନୀୟ, ସାଂସ୍କୃତି କାର୍ଯ୍ୟକ୍ରମ ସହିତ ପର୍ଯ୍ୟଟକମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଯାଇଥିଲା । ଓଡିଶାର ବିଭିନ୍ନ ପ୍ରାକୃତିକ ପରିବେଶ ବିଶେଷକରି ସମୁଦ୍ରକୂଳ, ନଦୀ ଶଯ୍ୟା, ହେନ୍ତାଳବନ ଓ ପର୍ବତ ପାଦଦେଶରେ ଏହା ଆୟୋଜନ କରାଯାଇଥିଲା । ଇକୋ ରିଟ୍ରିଟ କୋଠରୀଗୁଡିକରେ ଶୟନକକ୍ଷ ସହିତ ବୃହତ୍‍ ଗାଧୁଆଘର, ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା, ଟେଲିଭିଜନ, ଇଣ୍ଟରନେଟ୍‍ ପାଇଁ ୱାଇଫାଇ ସୁବିଧା ମଧ୍ୟରେ ପର୍ଯ୍ୟଟକମାନେ ଅତି ଆରାମଦାୟକ ଅନୁଭୂତି ପାଇଥିଲେ ।

ତେଣୁ ୨୦୨୧ ରୁ ୨୦୨୬ ପର୍ଯ୍ୟନ୍ତ ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ଏଥର ଇକୋ ରିଟ୍ରିଟ ଅକ୍ଟୋବର ୧୫ ତାରିଖରୁ ବାଲିପୁଟ, ଦାରିଙ୍ଗିବାଡି ଓ ହୀରାକୁଦ ଭଳି ସ୍ଥାନରେ ଆରମ୍ଭ ହେବ । ନଭେମ୍ବର ୧ତାରିଖରୁ ଏହା ଉପକୂଳରେ ଆରମ୍ଭ ହେବ । ଆସନ୍ତା ୫ବର୍ଷ ପାଇଁ ପରିଚାଳକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ସହିତ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ପଥ ପାଶ୍ୱର୍ ପର୍ଯ୍ୟଟନ ପାଇଁ ମଧ୍ୟ ଉତ୍ସାହିତ କରାଯାଉଛି । ଏଠାରେ ପର୍ଯ୍ୟଟକମାନେ ଖାଦ୍ୟ, ପାନୀୟ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇ ପାରିବେ । (ତଥ୍ୟ)

LEAVE A REPLY

Please enter your comment!
Please enter your name here