Home Covid ୭ଜିଲ୍ଲାକୁ ଟିକାକରଣ ନିର୍ଦ୍ଦେଶ

୭ଜିଲ୍ଲାକୁ ଟିକାକରଣ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାର ଶୁକ୍ରବାର ଦିନ ସାତଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ୫ ଦିନ ମଧ୍ୟରେ କୋଭିଶିଲ୍ଡର ୧, ୧୩, ୮୦୦ ଡୋଜ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ୍‌), ପ୍ରଦୀପ୍ତ କୁମାର ମହାପାତ୍ର ଗଞ୍ଜାମ, ଜଗତ୍ସିଂହପୁର, ଯାଜପୁର, ଖୋର୍ଦ୍ଧା, କୋରାପୁଟ, ନୂଆପଡା ଏବଂ ସୁନ୍ଦରଗଡ ଜିଲ୍ଲାର ଜିଲ୍ଲାପାଳ ତଥା ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ନଅଟି ମ୍ୟୁନିସିପାଲିଟି / ଏନଏସିରେ ୧୮ ରୁ ୪୪ ବର୍ଷ ବୟସ ବର୍ଗର ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କିଣାଯାଇଥିବା ୧,୧୩,୮୦୦ ଡୋଜ୍ କୋଭିଶିଲ୍ଡ ଯୋଗାଇ ଦେଇଛନ୍ତି ।

ଗଞ୍ଜାମ ଜିଲ୍ଲା ପ୍ରଶାସନ ହିଞ୍ଜିଲିକାଟୁ ମ୍ୟୁନିସିପାଲିଟିରେ ୬୭୦୦ ଡୋଜ କୋଭିଶିଲ୍ଡ ଏବଂ ପୋଲାସରା ଏନଏସିରେ ୬୩୦୦ ଡୋଜ ବ୍ୟବହାର କରିବାକୁ କୁହାଯାଇଛି ।

ସେହିଭଳି ଜଗତ୍ସିଂହପୁର ଜିଲ୍ଲାର ପାରାଦୀପ ମ୍ୟୁନିସିପାଲିଟିରେ ୧୮ ପ୍ଲସ୍ ବୟସ ବର୍ଗର ଟୀକାକରଣ ପାଇଁ ୧୭,୨୦୦ ଡୋଜ ଟିକା ଯୋଗାଇ ଦିଆଯାଇଥିବାବେଳେ ଯାଜପୁର ଜିଲ୍ଲାର ବ୍ୟାସନଗର ମ୍ୟୁନିସିପାଲିଟି ପାଇଁ ୧୪,୫୦୦ ଡୋଜ ଦିଆଯାଇଛି ।

ସରକାର ଖୋର୍ଦ୍ଧା ଜିଲ୍ଲାର ଜଟଣି ପୌରପାଳିକାକୁ ୧୪,୩୦୦, ଜୟପୁର ପୌରପାଳିକାକୁ ୨୨,୪୦୦, କୋରାପୁଟର ସୁନାବେଡା ପୌରସଂସ୍ଥାକୁ ୧୨,୪୦୦, ନୁଆପଡାସ୍ଥିତ ଖରିଆରରୋଡ ଏନଏସିକୁ ୧୪,୪୦୦ ଏବଂ ସୁନ୍ଦରଗଡ ଜିଲ୍ଲାର ରାଜଗଙ୍ଗପୁର ମ୍ୟୁନିସିପାଲିଟିକୁ ୧୪,୩୦୦ ଡୋଜ ଦେଇଛନ୍ତି ।

ସୋମବାର ଠାରୁ ଉପରୋକ୍ତ ପୌରପାଳିକା / ଏନ୍‍ଏସି ରେ ଟୀକାକରଣ ଆରମ୍ଭ କରିବା ଏବଂ ୫ଦିନ ମଧ୍ୟରେ ଷ୍ଟକ୍ ଶେଷ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ଜୁନ୍ ୨୧ ରୁ ୧୮ ବର୍ଷରୁ ଅଧିକ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କ ଟିକାକରଣ ପାଇଁ କେନ୍ଦ୍ର ସମସ୍ତ ରାଜ୍ୟକୁ ମାଗଣା ଟିକା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।