Home General ୬୬୦୦ରୁ ଅଧିକ ଗାଁ ମୋବାଇଲ ଠାରୁ ଦୂରରେ

୬୬୦୦ରୁ ଅଧିକ ଗାଁ ମୋବାଇଲ ଠାରୁ ଦୂରରେ

ଭୁବନେଶ୍ୱର : ରାଜ୍ୟର ୬୬୦୦ରୁ ଅଧିକ ଗ୍ରାମର ଲୋକେ ଏବେ ବି ମୋବାଇଲ ସେବାରୁ ବଞ୍ଚିତ । ବାମପନ୍ଥୀ ମାଓ ଉପଦ୍ରୁତ କେତେକ ଜିଲ୍ଲାରେ ସର୍ବନିମ୍ନ ମୋବାଇଲ୍‍ ସେବା ନଥିବାରୁ ସ୍ଥିତି ଅଧିକ ସଙ୍ଗୀନ ।

ରାଜ୍ୟରେ ୧୦ଟି ମାଓ ଅଧ୍ୟୁଷିତ ଜିଲ୍ଲାରେ ଲୋକେ ମୋବାଇଲ୍‍ ସେବାପାଇଁ ହନ୍ତସନ୍ତ ହେଉଥିବାବେଳେ ଏହା ରାଜ୍ୟର ୩୩ ପ୍ରତିଶତ ଅଞ୍ଚଳ । ସବୁଠାରୁ ଅଧିକ ମାଓ ପ୍ରଭାବିତ ଜିଲ୍ଲା ମାଲକାନଗିରିରେ ମୋବାଇଲ୍‍ ସେବା ଅତ୍ୟନ୍ତ ଦୁର୍ବଳ । ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଥିବା ଲୋକଙ୍କୁ ସଶକ୍ତ କରିବାପାଇଁ ମାଗଣାରେ ସ୍ମାର୍ଟଫୋନ୍‍ ଯୋଗାଇବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ବିକାଶ ଠାରୁ ଦୂରରେ ଥିବା ଏହି ଲୋକଙ୍କ ସ୍ଥିତିରେ ସୁଧାର ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ମୋବାଇଲ କଥାବାର୍ତ୍ତା ଭଳି ସର୍ବନିମ୍ନ ସୁବିଧା ନଥିବାରୁ ଏ କ୍ଷେତ୍ରରେ ବାଧା ଉପୁଜିଛି ।

ଅନ୍ୟ ପକ୍ଷରେ ନୀତି ଆୟୋଗ ରାଜ୍ୟର ୧୦ଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଭାବେ ଘୋଷଣା କରିଛନ୍ତି ଯାହାକି ରାଜ୍ୟର ୩୩ ପ୍ରତିଶତ । ଏହି ପଛୁଆ ଜିଲ୍ଲାଗୁଡିକ ଦୁର୍ବଳ ମୋବାଇଲ ସେବା ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ଉପକୂଳ ଜିଲ୍ଲାଗୁଡିକ ନିୟମିତ ଭାବେ ବାତ୍ୟା, ବନ୍ୟା ଓ ଝଡ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ତେଣୁ ଓଡିଶା ଭଳି ରାଜ୍ୟରେ ପ୍ରଶାସନ ଓ ବିପର୍ଯ୍ୟୟ ପ୍ରଶମନ ଲାଗି ନିର୍ଭରଯୋଗ୍ୟ ଟେଲି ଯୋଗାଯୋଗ ବ୍ୟବସ୍ଥାର ଆବଶ୍ୟକତା ରହିଛି ।

ଟେଲି ଯୋଗାଯୋଗ ବିଭାଗର ତଥ୍ୟ ଅନୁଯାୟୀ ୬୬୨୭ଟି ଗ୍ରାମରେ ଟେଲିକମ୍‍ ସୁବିଧା ନାହିଁ । ଘରୋଇ ଟେଲିକମ କମ୍ପାନୀଗୁଡିକ ଗ୍ରାମାଞ୍ଚଳରେ ପୁଞ୍ଜି ଖଟାଉନଥିବାବେଳେ ସେମାନଙ୍କ ବ୍ୟବସାୟକୁ ସହଯୋଗ ଲାଗି ରାଜ୍ୟରେ କୌଣସି ବ୍ୟବସ୍ଥା ନାହିଁ । ତେଣୁ ପଞ୍ଚାୟତ ସ୍ତରରେ ଡିଜିଟାଲ ସେବା ଉପଲବ୍ଧ ପାଇଁ କେନ୍ଦ୍ର ସରକାର ସକ୍ରିୟ ଭାବେ ଆଗକୁ ଆସିବା ଜରୁରୀ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ ଫଣ୍ଡ (ୟୁଏସ୍‍ଓଏଫ୍‍)ରୁ ନେଟୱାର୍କ ସ୍ଥାପନ ପାଇଁ ଅର୍ଥ ଯୋଗାଇଦେବାକୁ କୁହାଯାଇଛି । ଏହାର ମୂଲ୍ୟ ପ୍ରାୟ ୩୫୦୦କୋଟି ଟଙ୍କା ।

ଅନୁରୂପ ଭାବେ ରାଜ୍ୟର ସମସ୍ତ ଗ୍ରାମକୁ ବ୍ରଡବ୍ୟାଣ୍ଡ୍‍ ସଂଯୋଗ ପାଇଁ ୧୬୫୦କୋଟି ଟଙ୍କା ଆବଶ୍ୟକ । ସେହିଭଳି ମୋବାଇଲ ସେବା ନଥିବା ୬୬୨୭ଟି ଗ୍ରାମରେ ମୋବାଇଲ ଟାୱାର ସ୍ଥାପନ ଲାଗି ୫୦୦ କୋଟି ଟଙ୍କା ଜରୁରୀ । ତେଣୁ ୨୦୨୧-୨୨ କେନ୍ଦ୍ର ବଜେଟ୍‍ରେ ଓଡିଶାର ଟେଲିକମ୍‍ କ୍ଷେତ୍ର ପାଇଁ ୫୬୫୦କୋଟି ଟଙ୍କାର ବ୍ୟୟବରାଦ ଲାଗି କୁହାଯାଇଛି । ତଦନୁଯାୟୀ ରାଜ୍ୟ ସରକାର କେନ୍ଦ୍ରକୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପଠାଇଛନ୍ତି ଯାହା କାର୍ଯ୍ୟକାରୀ ହେଲେ ଦୁବଳ ଯୋଗାଯୋଗ ବ୍ୟବସ୍ଥାର ଅନ୍ତ ଘଟିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତରେ ବାରମ୍ବାର ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ଟେଲିଯୋଗାଯୋଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଏଥର ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଟେଲିକମ୍‍ କ୍ଷେତ୍ର ପାଇଁ ୨୦୨୧-୨୨ ବର୍ଷର ବଜେଟ୍‍ରେ ଅର୍ଥ ବ୍ୟବସ୍ଥା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆର୍ôଥକ ଅର୍ନ୍ତଭୁକ୍ତିକରଣ ଓ ଡିଜିଟାଲ ପଇଠ କ୍ଷେତ୍ରରେ ଦୁର୍ବଳ ଯୋଗାଯୋଗ ବ୍ୟବସ୍ଥା ଅନ୍ତରାୟ ସୃଷ୍ଟି କରିଛି । ଉଭୟ କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍‍ ଯୋଜନା ଓ ପ୍ରଧାନମନ୍ତ୍ରୀଙ୍କ ନାଗରିକ ଅଭିମୁଖୀ ଯୋଜନା ମଧ୍ୟ ପ୍ରଭାବିତ ହେଉଛି । ଅତି କମ୍‍ରେ ୭୦ ପ୍ରତିଶତ ଗ୍ରାମାଞ୍ଚଳ ବ୍ୟାଙ୍କ୍‍ରେ ଆବଶ୍ୟକ ଇଣ୍ଟରନେଟ୍‍ ସଂଯୋଗ ନଥିବାରୁ ଡିଜିଟାଲ କାରବାର ପ୍ରଭାବିତ ହେଉଥିବାର ଅଭିଯୋଗ ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here