Home General ୬୦ ପ୍ରତିଶତ ସଡ଼କ ଦୁର୍ଘଟଣା ନିଶାଜନିତ

୬୦ ପ୍ରତିଶତ ସଡ଼କ ଦୁର୍ଘଟଣା ନିଶାଜନିତ

ଭୁବନେଶ୍ୱର : ସଡ଼କ ପ୍ରଶସ୍ତିକରଣ, ଯାନବାହାନର ସଂଖ୍ୟା ବୃଦ୍ଧି ଓ ନିଶାର ଲଗାମଛଡ଼ା ପ୍ରସାର ସହ ତାଳଦେଇ ଓଡ଼ିଶାରେ ସଡ଼କ ଦୁର୍ଘଟଣାଜନିତ କ୍ଷୟକ୍ଷତିର ପରିମାଣ ବି ଅଧିକ ରହୁଛି । ରାଜ୍ୟରେ ଯେତେ ସଡ଼କ ଦୁର୍ଘଟଣା ଘଟୁଛି ତାହାର ଅନ୍ୟୁନ ୬୦ ପ୍ରତିଶତ ନିଶାଜନିତ କାରଣରୁ ଘଟୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ପୁଲିସ, ଅବକାରୀ ଓ ପରିବହନ ବିଭାଗ ସେତେଟା ସକ୍ଷମ ହୋଇପାରୁନାହାଁନ୍ତି ।

ସରକାରୀ ତଥ୍ୟ ମୁତାବକ ଦେଶରେ ଜିଡ଼ିପିର ଅନ୍ୟୁନ ୩.୧୦ ପ୍ରତିଶତ ଅର୍ଥାତ୍‍ ପାଖାପାଖି ୫ ଲକ୍ଷ କୋଟି ଟଙ୍କା ସଡ଼କ ଦୁର୍ଘଟଣା ଯୋଗୁ ବରବାଦ ହେଉଥିବା ବେଳେ ଓଡ଼ିଶାରେ ଏହି କ୍ଷତିର ପରିମାଣ ୨୫ହଜାର କୋଟିରୁ ୩୫ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୪୪ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏବେ ବାର୍ଷିକ ହାରାହାରି ୫ହଜାର ଲୋକ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ମରୁଛନ୍ତି ଏବଂ ୧୦ହଜାରରୁ ୧୫ହଜାର ପର୍ଯ୍ୟନ୍ତ ଲୋକ ଆହତ ହେଉଛନ୍ତି । ଆହତମାନଙ୍କ ମଧ୍ୟରେ ଅନେକ ଅବଶିଷ୍ଟ ଜୀବନକାଳ ପାଇଁ ଅକର୍ମଣ୍ୟ ବି ହୋଇପଡ଼ୁଛନ୍ତି । ମୋଟାମୋଟି ଭାବେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ଯେତେ ଲୋକ ମୃତାହତ ହେଉଛନ୍ତି ତାହାର ପ୍ରାୟ ୮୦ ପ୍ରତିଶତ ହେଉଛନ୍ତି ୧୫ରୁ ୫୦ ବର୍ଷ ବୟସର ବ୍ୟକ୍ତି ।

ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରା ଗଠିତ ସଡ଼କ ନିରାପତ୍ତା କମିଟି ରାଜ୍ୟରେ ସଡ଼କ ଦୁର୍ଘଟଣା ଘେନି ବାରମ୍ବାର ଉଦ୍‍ବେଗ ପ୍ରକାଶ କରିଆସୁଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବି ଏ ପ୍ରସଙ୍ଗରେ ଉଦ୍‍ବେଗ ପ୍ରକାଶ କରିବା ସହ ସଡ଼କ ସୁରକ୍ଷା ମାସ ପାଳନ କରି ବ୍ୟାପକ ଅର୍ଥ ବ୍ୟୟରେ ସଡ଼କ ନିରାପତ୍ତାର ବାର୍ତ୍ତା ବାଣ୍ଟିଛନ୍ତି । କିନ୍ତୁ ଏହା ସତ୍ତ୍ୱେ ବି ସଡ଼କ ଦୁର୍ଘଟଣାର ସଂଖ୍ୟା ସେଭଳି କମୁନାହିଁ ।

କେବଳ କମିଶନରେଟ୍‍ ପୁଲିସ ବର୍ଷକ ମଧ୍ୟରେ ଅମାନିଆ ଗାଡ଼ିଚାଳକଠାରୁ ଅନ୍ୟୁନ ୨୫ କୋଟି ଟଙ୍କାର ଜରିମାନା ଆଦାୟ କରିଛି । ଏହା ସତ୍ତ୍ୱେ ବି ଅନେକ କ୍ଷେତ୍ରରେ ଚାରିଚକିଆ ଯାନରେ ଲୋକେ ସିଟ୍‍ବେଲ୍ଟ ବାନ୍ଧିବାକୁ କୁନ୍ଥୁ କୁନ୍ଥୁ ହେବା, ବ୍ୟାପକ ଧରପଗଡ଼ ସତ୍ତ୍ୱେ ଦୁଇଚକିଆ ଯାନର ଚାଳକ ଓ ଆରୋହୀ ହେଲ୍‍ମେଟ୍‍ ଓ ମାସ୍କ ନ ପିନ୍ଧିବା ଭଳି ଘଟଣା ଘଟୁଛି । ଗୋଟିଏ ପଟେ କମିଶନରେଟ୍‍ ପୁଲିସ ଅଞ୍ଚଳର ଅନେକ ଟ୍ରାଫିକ୍‍ ପୋଷ୍ଟରେ ସ୍ୱୟଂକ୍ରିୟ ଟ୍ରାଫିକ୍‍ ଲାଇଟ୍‍ ଅଚଳ ହୋଇ ରହୁଥିବା ବେଳେ ଅନ୍ୟପଟେ ଟ୍ରାଫିକ୍‍ ଉଲ୍ଲଙ୍ଘନ କିଛି ଲୋକଙ୍କ ପାଇଁ ଦେହସୁହା ହୋଇଗଲାଣି ।

ବେପରୁଆ ଗାଡ଼ି ଚାଳନା ରୋକିବା ପାଇଁ ଅର୍ଥଦଣ୍ଡ କାଟୁ କରୁନଥିବାରୁ ଏବେ ନୂଆ ଆଇନ୍‍ର ବ୍ୟବସ୍ଥା ଅନୁଯାୟୀ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‍, ଗାଡ଼ି ଜବତ ଓ ଉଲ୍ଲଙ୍ଘନକାରୀଙ୍କୁ ଗିରଫ କରି ଜେଲ୍‍ ପଠେଇବା ଉପରେ ଗୁରୁତ୍ୱ ଦିଆଗଲାଣି । ଦୁର୍ଘଟଣାର ଅନ୍ୟତମ କାରଣ ନିଶା ହୋଇଥିବାରୁ ରାଜପଥ କଡ଼ରୁ ମଦ ଓ ଅନ୍ୟାନ୍ୟ ନିଶା ଦୋକାନ ହଟାଇବା ଲାଗି କିଛିଦିନ ତଳେ ଉଦ୍ୟମ ଆରମ୍ଭ ହେବା ପରେ ତାହା ପୁଣି ବନ୍ଦ ହୋଇଯିବାରୁ ନିଶାଜନିତ ଦୁର୍ଘଟଣାକୁ ରୋକିବା କଷ୍ଟକର ବ୍ୟପାର ହେଉଛି ।