Home News in Odia ୬ରେ ଲଘୁଚାପ : ୭ରେ ଅବପାତ

୬ରେ ଲଘୁଚାପ : ୭ରେ ଅବପାତ

ଭୁବନେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଟି ୬ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ ଏବଂ ଏହାର ୨୪ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି) ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଡକ୍ଟର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଦକ୍ଷିଣ ଆଣ୍ଡାମାନ ସାଗରରେ ବାୟୁମଣ୍ଡଳର ଉପର ଭାଗରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ୬ତାରିଖ ବେଳକୁ ଲଘୁଚାପର ରୂପ ନେବ । ଲଘୁଚାପରେ ଏହା ପରିଣତ ହେବାପରେ ଏହା କେଉଁ ଦିଗକୁ ଗତି କରିବ ଓ ଏହାର ତୀବ୍ରତା କେତେ ରହିବ ତାହା ଜଣାପଡିବ ।

ତେବେ ଦକ୍ଷିଣ ଆଣ୍ଡାମାନ ସୃଷ୍ଟି ଏହି ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାପରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଆଡକୁ ଗତି କରିବ । ଏହା ପରେ ଏହା ପୂର୍ବ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି ।

ବର୍ତ୍ତମାନ ମଇ ମାସରେ ବାୟୁମଣ୍ଡଳ ପରିବେଶ ଲଘୁଚାପ କ୍ଷେତ୍ର ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପର ଗତି ଓ ତୀବ୍ରତା ସଂକ୍ରାନ୍ତରେ ଏବେ ଠାରୁ ଆକଳନ କରାଯାଇ ପାରିବାନାହିଁ ।

ଯେହେତୁ ଏହି ଘୂର୍ଣ୍ଣିବଳୟଟି ଆଣ୍ଡାମାନ ସାଗର ଉପରେ ରହିଛି ତେଣୁ ଆଣ୍ଡାମାନର ମତ୍ସ୍ୟଜୀବୀମାନଙ୍କ ପାଇଁ ଆସନ୍ତା କାଲିଠାରୁ ୮ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଓଡିଶାର କୌଣସି ବନ୍ଦର କିମ୍ବା ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି ହୋଇନଥିବା ଶ୍ରୀ ମହାପାତ୍ର କହିଛନ୍ତି ।