Home Health ୬ଜିଲ୍ଲାରେ ଅଧା ସକ୍ରିୟ ରୋଗୀ

୬ଜିଲ୍ଲାରେ ଅଧା ସକ୍ରିୟ ରୋଗୀ

ଭୁବନେଶ୍ୱର : କରୋନା ରୋଗୀଙ୍କ ସୁସ୍ଥ ହାର ଓଡିଶାରେ ୯୮.୯୨ ପତିଶତ ରହିଛି ଯାହାକି ସର୍ବଭାରତୀୟ ହାର ଠାରୁ ପ୍ରାୟ ୨ପ୍ରତିଶତ ଅଧିକ । ସେହିଭଳି ରାଜ୍ୟରେ ସକ୍ରିୟ ଥିବା କରୋନା ରୋଗୀଙ୍କ ମଧ୍ୟରୁ ୪୯.୫ ପ୍ରତିଶତ ୬ଟି ଜିଲ୍ଲାରେ ରହିଥିବା ଜଣାଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କୋଭିଡ ସ୍ଥିତିର ସମୀକ୍ଷା କରିଥିଲେ । ଏଥିରୁ ଜଣାପଡିଛି ଯେ ୪ଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡା ଏବଂ ନୟାଗଡରେ ଜାନୁୟାରୀ ୩ତାରିଖରେ କୌଣସି କୋଡିଡ ସଂକ୍ରମଣ ମିଳିନାହିଁ । ଅନ୍ୟ ୨୦ଟି ଜିଲ୍ଲାରେ ଏହା ଏକ ଅଙ୍କରେ ସୀମତ ରହିଛି । ମୋଟ ସକ୍ରିୟ ରୋଗୀଙ୍କ ମଧ୍ୟରୁ ୪୯.୫ ପ୍ରତିଶତ ୬ଟି ଜିଲ୍ଲାରେ ରହିଥିବାବେଳେ ଏଥି ମଧ୍ୟରେ ସୁନ୍ଦରଗଡରେ ୧୨.୮ ପ୍ରତିଶତ,ଅନୁଗୁଳରେ ୯.୪, ସମ୍ବଲପୁରରେ ୮.୯, କଟକରେ ୭.୬ ଏବଂ ବଲାଙ୍ଗିର ଓ ଯାଜପୁରରେ ୫.୪ପ୍ରତିଶତ ରହିଛି ।

ଗତବର୍ଷ ଡିସେମ୍ବର ୩୧ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୨୯,୩୭୧ରେ ପହଞ୍ଚିବ ବୋଲି ଅନୁମାନ କରାଯାଇଥିବାବେଳେ ଏହା ୩,୨୯,୬୨୧ରେ ପହଞ୍ଚିଥିଲା, ଯାହାକି ପୂର୍ବାନୁମାନର ୯୯.୨୫ ପ୍ରତିଶତ ସଠିକ ରହିଥିଲା । ଗତ ସପ୍ତାହେ ଧରି ରାଜ୍ୟରେ କରୋନା ଅଭିବୃଦ୍ଧି ୦.୦୬ ପ୍ରତିଶତ ରହିଛି ଯାହାକି ପ୍ରାୟ ଶୂନ ସହିତ ସମାନ । ସେହି ଆଧାରରେ ଜାନୁୟାରୀ ୩୧ ସୁଦ୍ଧା ଆଉ ୨୩୫୧ ରୋଗୀ ବାହାରିବେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

ସେହିଭଳି ୮ ତାରିଖ ଶୁକ୍ରବାର ଦିନ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସମଗ୍ର ୩୦ ଜିଲ୍ଲା ଓ ୫ମହାନଗର ନିଗମରେ ଡ୍ରାଏ ରନ୍‍ ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମର କମିଶନରମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରତ୍ୟେକ ଜିଲ୍ଲାର ଗୋଟିଏ ସବ୍‍ ଡିଭିଜନ ଡାକ୍ତରଖାନା/ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‍ସି), ଜିଲ୍ଲାରେ ଥିବା ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ, ଗୋଟିଏ ୟୁପିଏଚ୍‍ସି/ୟୁସିଏଚ୍‍ସି ଏବଂ ଜିଲ୍ଲାରେ ଉପଲବ୍ଧ ଥିବା ବଡ ଘରୋଇ ଡାକ୍ତରଖାନାରେ ଡ୍ରାଏ ରନ୍‍ ହେବବୋଲି ସୂଚନା ମିଳିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସାରିବାକୁ ଶ୍ରୀ ମହାପାତ୍ର କହିଛନ୍ତି । ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଜାରି ରଖିବାକୁ ସ୍ଥିର ହୋଇଛି ।

ଆରଏମ୍‍ଆରସି ଭୁବନେଶ୍ୱରପକ୍ଷରୁ ରାଜ୍ୟର ତିନି ଜିଲ୍ଲା କୋରାପୁଟ, ଗଞ୍ଜାମ ଏବଂ ରାୟଗଡା ଜିଲ୍ଲାରେ ୩ରାଉଣ୍ଡ ସେରୋ ସର୍ଭେ ସରିଛି । ଗତବର୍ଷ ମଇ, ଅଗଷ୍ଟ ଓ ଡିସେମ୍ବର ମାସରେ ଏହା ହୋଇଥିଲା । ଡିସେମ୍ବର ମାସରେ ହୋଇଥିବା ତୃତୀୟ ରାଉଣ୍ଡ ସର୍ଭେ ଫଳାଫଳ ବେଶ୍‍ ଉତ୍ସାହଜନକ ଥିଲା ବୋଲି ଅଧିକାରୀମାନେ ସ୍ୱୀକାର କରିଛନ୍ତି । ଉପରୋକ୍ତ ୩ଜିଲ୍ଲାରେ ଲୋକଙ୍କ ଶରୀରରେ ଆଣ୍ଟିବଡି ବୃଦ୍ଧି ପାଇଥିବା ସର୍ଭେ ଦର୍ଶାଉଛି । ନଭେମ୍ବର ୨୦ ତାରିଖରେ କଟକରେ ହୋଇଥିବା ସେରୋ ସର୍ଭେ ତୁଳନାରେ ତୃତୀୟ ରାଉଣ୍ଡ ସେରୋ ସର୍ଭେରୁ ରୋଗ ପ୍ରତିରୋଧ ଶକ୍ତି ଅଧିକ ଥିବା ଦେଖାଯାଇଥିଲା ।