Home Infrastructure ୫୮୯୪ ପଞ୍ଚାୟତରେ ଅପ୍ଟିକାଲ ଫାଇବର

୫୮୯୪ ପଞ୍ଚାୟତରେ ଅପ୍ଟିକାଲ ଫାଇବର

ଭୁବନେଶ୍ୱର : ଓଡିଶାର ପ୍ରାୟ ୫୮୯୪ ଗ୍ରାମ ପଞ୍ଚାୟତକୁ ଭାରତ ନେଟ୍‍ ପ୍ରକଳ୍ପରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍‍ ପାଇଁ ଅପ୍ଟିକାଲ ଫାଇବର ସଂଯୋଗ ଦିଆଯାଇ ସାରିଲାଣି । ପଞ୍ଚାୟତକୁ ଇଣ୍ଟରନେଟ୍‍ ସଂଯୋଗ ଲାଗି ଭାରତ ନେଟ୍‍ ପ୍ରକଳ୍ପ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେଉଛି ।

ଏହି ଯୋଜନାରେ ଜୁଲାଇ ୯ତାରିଖ ସୁଦ୍ଧା ସମଗ୍ର ଦେଶରେ ୧,୫୭,୯୧୯ ଗ୍ରାମ ପଞ୍ଚାୟତକୁ ଇଣ୍ଟରନେଟ୍‍ ପ୍ରଦାନ ପାଇଁ ପ୍ରସ୍ତୁତି ସରିଛି । ଏଥି ମଧ୍ୟରେ ୧,୫୩,୮୩୬ ପଞ୍ଚାୟତକୁ ୍ରଅପ୍ଟିକାଲ ଫାଇବର ପଡିଥିବା କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂ ଚୌହ୍ୱାନ ଆଜି ରାଜ୍ୟସଭାରେ ସୂଚନା ଦେଇଛନ୍ତି । ଓଡିଶାରେ ୬୮୧୭ ପଞ୍ଚାୟତ ମଧ୍ୟରୁ ୫୮୯୪ରେ ନେଟ୍‍ ସଂଯୋଗ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଜଣାଯାଇଛି ।

ଗଞ୍ଜାମ ଜିଲ୍ଲାର ସର୍ବାଧିକ ୫୦୨ ପଞ୍ଚାୟତରେ ଅପ୍ଟିକାଲ ସଂଯୋଗ ସରିଥିବାବେଳେ ମାଲକାନଗିରି ଜିଲ୍ଲାରେ ସର୍ବନିମ୍ନ ୩୦ ପଞ୍ଚାୟତରେ ଅପ୍ଟିକାଲ ଜରିଆରେ ଇଣ୍ଟରନେଟ୍‍ ସଂଯୋଗ ଦିଆଯାଇଛି । ଅନୁରୂପ ଭାବେ ମୟୁରଭଞ୍ଜର ୪୦୯ ପଞ୍ଚାୟତ, କଟକର ୩୫୬, ବାଲେଶ୍ୱରର ୩୫୬, କେନ୍ଦୁଝରର ୨୯୬, ଯାଜପୁରର ୨୮୯, ସୁନ୍ଦରଗଡର ୨୭୯, ବଲାଙ୍ଗିରର ୨୭୬ ଏବଂ କଳାହାଣ୍ଡିର ୨୭୪ଟି ପଞ୍ଚାୟତରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍‍ ପହଞ୍ଚିଛି ।

ଭାରତ ନେଟ୍‍ ଯୋଜନାରେ ଇଣ୍ଟରନେଟ୍‍ ସଂଯୋଗ ହୋଇଥିବା ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ଅନୁଗୁଳରେ ୨୦୪ ପଞ୍ଚାୟତ, ବରଗଡରେ ୧୭୭, ଭଦ୍ରକରେ ୨୧୫, ବୌଦରେ ୬୫, ଦେବଗଡରେ ୬୩, ଢେଙ୍କାନାଳରେ ୨୦୬, ଗଜପତିରେ ୧୩୬, ଜଗତ୍‍ସିଂହପୁରରେ ୨୦୨, ଝାରସୁଗୁଡାରେ ୬୭, କନ୍ଧମାଳରେ ୧୭୬, କେନ୍ଦ୍ରାପଡାରେ ୨୩୬, ଖୋରଧାରେ ୧୭୮, କୋରାପୁଟରେ ୧୯୩, ନବରଙ୍ଗପୁରରେ ୧୯୧, ନୟାଗଡରେ ୧୮୩, ନୂଆପଡାରେ ୧୧୫, ପୁରୀରେ ୨୪୦, ରାୟଗଡାରେ ୧୪୪, ସମ୍ବଲପୁରରେ ୬୨ ଓ ସୋନପୁରରେ ୮୭ଟି ଗ୍ରାମ ପଞ୍ଚାୟତ ରହିଛି ।

ଭାରତ ନେଟ୍‍ର ପ୍ରଥମ ପର୍ଯ୍ୟାୟରେ ଦେଶର ୧,୨୦,୩୯୨ଟି ପଞ୍ଚାୟତ କୁ ବ୍ରଡବ୍ୟାଣ୍ଡ ସଂଯୋଗ ପାଇଁ ଲକ୍ଷ୍ୟ ଥିବାବେଳେ ଏଥିରୁ ୧,୧୮,୬୪୯ଟି ପଞ୍ଚାୟତକୁ ଇଣ୍ଟରନେଟ୍‍ ପହଞ୍ଚି ପାରିଛି । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ୩୯,୨୭୦ ପଞ୍ଚାୟତକୁ ଇଣ୍ଟରନେଟ୍‍ ସଂଯୋଗ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ତେବେ ୨୦୨୩ ସୁଦ୍ଧା ପଞ୍ଚାୟତ ବାହାରେ ଥିବା ପଡା ଗ୍ରାମଗୁଡିକୁ ଇଣ୍ଟରନେଟ୍‍ ସଂଯୋଗ ଯୋଗାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । (ତଥ୍ୟ)