Home Finance କରୋନାରେ କୃଷି ରପ୍ତାନି ପ୍ରଭାବିତ

କରୋନାରେ କୃଷି ରପ୍ତାନି ପ୍ରଭାବିତ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରାଜ୍ୟରୁ କୃଷି, ସାମୁଦ୍ରିକ ଖାଦ୍ୟ ଓ ଜଙ୍ଗଲଜାତ ଦ୍ରବ୍ୟର ରପ୍ତାନି ପ୍ରଭାବିତ ହୋଇଛି । ତେବେ ଖଣି, ଧାତବ, ବୟନଶିଳ୍ପ ଓ ଔଷଧ ଆଦି ସାମଗ୍ରୀର ରପ୍ତାନି ବୃଦ୍ଧି ପାଇଛି ।

ଗତବର୍ଷ ମାର୍ଚ୍ଚ ମାସରୁ ରାଜ୍ୟରେ କରୋନାର ପ୍ରାର୍ଦୁଭାବ ଆରମ୍ଭ ହୋଇଥିବାବେଳେ ଅନେକ କ୍ଷେତ୍ରକୁ ଏହା ପ୍ରଭାବିତ କରିଥିଲା । ବିଶେଷକରି ଭାରତରେ କରୋନା ପ୍ରବେଶ ପୂର୍ବରୁ ବିଶ୍ୱର ଅନେକ ଦେଶରେ ଏହା କାୟା ବିସ୍ତାର କରିଥିବାରୁ ରପ୍ତାନି ବାଣିଜ୍ୟ ଢେର ପ୍ରଭାବିତ ହୋଇଥିଲା । ତେବେ ଓଡିଶାରୁ ରପ୍ତାନି ହେଉଥିବା ଖଣିଜ ସାମଗ୍ରୀ କିନ୍ତୁ ପ୍ରଭାବିତ ହୋଇନଥିବା ଜଣାଯାଇଛି ।

୨୦୧୯-୨୦ ବର୍ଷରେ ରାଜ୍ୟରୁ ୧୪,୬୨୭ କୋଟି ଟଙ୍କାର ଖଣିଜ ସାମଗ୍ରୀ ରପ୍ତାନି ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ଏହା ୨୦,୩୩୧ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ସେହିଭଳି ରସାୟନିକ ଓ ଇଞ୍ଜିନିୟରିଂ ସାମଗ୍ରୀ ମଧ୍ୟ ୪୪୩୪ କୋଟି ଟଙ୍କାରୁ ୬୪୬୫ କୋଟି ଟଙ୍କାକୁ ବଢିଥିଲା ।

ହେଲେ ଧାତବ ସାମଗ୍ରୀ ରପ୍ତାନି ମଧ୍ୟ ବୃଦ୍ଧି ପାଇଛି । ୨୦୧୯-୨୦ ବର୍ଷରେ ରାଜ୍ୟରୁ ୨୪୮୧୧ କୋଟି ଟଙ୍କାର ଧାତବ ସାମଗ୍ରୀ ରପ୍ତାନି ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ଏହା ୨୯,୪୬୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ଖଣିଜ ଓ ଧାତବ ସାମଗ୍ରୀ ରପ୍ତାନି କରୋନା କାଳରେ ରାଜ୍ୟ ସରକାରଙ୍କ ଆର୍ଥିକ ବ୍ୟବସ୍ଥାକୁ ସମ୍ଭାଳି ନେଇଥିଲା ।

ତେବେ ଏହି ସମୟରେ କୃଷି ଓ ଜଙ୍ଗଲଜାତ ସାମଗ୍ରୀର ରପ୍ତାନି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ୨୦୧୯-୨୦ ବର୍ଷରେ ଓଡିଶାରୁ କୃଷି ଓ ଜଙ୍ଗଲଜାତ ସାମଗ୍ରୀର ରପ୍ତାନି ପରିମାଣ ୧୮୭ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ ବର୍ଷରେ ଏହା ୩୪କୋଟି ୫୯ଲକ୍ଷ ଟଙ୍କାକୁ ହ୍ରାସ ପାଇଥିଲା ।

ସେହିଭଳି ସାମୁଦ୍ରିକ ଖାଦ୍ୟ ରପ୍ତାନି ପରିମାଣ ମଧ୍ୟ ୩୦୨୮ କୋଟି ଟଙ୍କାରୁ ୨୭୧୮ କୋଟି ଟଙ୍କାକୁ କମି ଯାଇଥିଲା । ରପ୍ତାନି ହ୍ରାସ ପାଇଥିବା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ହନ୍ତତନ୍ତ ସାମଗ୍ରୀ ରହିଛି । କରୋନା ଜନିତ ଲକଡାଉନ୍‍, ସଟ୍‍ଡାଉନ୍‍ ଓ କର୍ଫ୍ୟୁ ଭଳି କଟକଣା ଯୋଗୁଁ ଏହିସବୁ ସାମଗ୍ରୀର ରପ୍ତାନି ହ୍ରାସ ପାଇଥିବା କୁହାଯାଉଛି ।

ତେବେ ଅନ୍ୟ ପକ୍ଷରେ ରାଜ୍ୟରୁ ବୟନଶିଳ୍ପ, ହସ୍ତଶିଳ୍ପ, ଔଷଧ ଆଦି ସାମଗ୍ରୀର ରପ୍ତାନି ବୃଦ୍ଧି ପାଇଥିଲା । ୨୦୧୯-୨୦ ବର୍ଷରେ ଓଡିଶାରୁ ୧୧କୋଟି ୬୨ଲକ୍ଷ ଟଙ୍କାର ଔଷଧ ରପ୍ତାନି ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ଏହା ପ୍ରାୟ ୩୦କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ସେହିଭଳି ବୟନଶିଳ୍ପ ସାମଗ୍ରୀ ପରିମାଣ ୧୩୧ କୋଟିରୁ ୧୫୦ କୋଟି ଟଙ୍କାକୁ ବଢିଥିବାବେଳେ ହସ୍ତଶିଳ୍ପ ସାମଗ୍ରୀର ରପ୍ତାନି ପରିମାଣ ୩କୋଟିରୁ ୬କୋଟି ଟଙ୍କାକୁ ବଢିଥିଲା ।

କରୋନା ମହାମାରୀ କଟକଣା ଭିତରେ ଖଣି ଓ ଧାତବ ସାମଗ୍ରୀ ସହିତ ଅନ୍ୟାନ୍ୟ କ୍ଷେତ୍ରର ରପ୍ତାନି ବୃଦ୍ଧି ରାଜ୍ୟ ଅର୍ଥନୀତିକୁ ସମ୍ଭାଳି ନେଇଥିବାବେଳେ କୃଷି, ଓ ଜଙ୍ଗଲଜାତ ସାମଗ୍ରୀର ରପ୍ତାନି ହ୍ରାସ ଯୋଗୁଁ ଅଧିକ ସଂଖ୍ୟାରେ ଲୋକେ ପ୍ରଭାବିତ ହୋଇଥିଲେ । ତେବେ ଏହିସବୁ ସାମଗ୍ରୀକୁ ବାଦ୍‍ ଦେଲେ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିଲା । (ତଥ୍ୟ)