Home Agriculture ୫୫ଲକ୍ଷ ଟନ୍‍ ଧାନ ସଂଗ୍ରହ

୫୫ଲକ୍ଷ ଟନ୍‍ ଧାନ ସଂଗ୍ରହ

ଭୁବନେଶ୍ୱର : ଚଳିତ ମାସ ୧୯ ତାରିଖ ସୁଦ୍ଧା ରାଜ୍ୟରେ ମୋଟ୍‍ ୫୫ଲକ୍ଷ ୩ହଜାର ଟନ୍‍ ଧାନ କିଣାଯାଇଛି । ଗତ ଖରିଫ ଋତୁରେ ଫେବୃୟାରୀ ୧୯ାତରିଖ ସୁଦ୍ଧା ୪୫.୬୧ଲକ୍ଷ ଟନ୍‍ ଧାନ କିଣାହୋଇଥିଲା । ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଧାନ କିଣା ସଂକ୍ରାନ୍ତରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ଶୂନ୍ୟକାଳରେ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଧାନସଂଗ୍ରହରେ ୨୧ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୯-୨୦ ଖରିଫରେ ସର୍ବମୋଟ୍‍ ୫୩.୩୧ଲକ୍ଷ ମେଟ୍ରିକ ଟନ୍‍ ଧାନ କିଣାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଖରିଦ ହୋଇଥିବା ଧାନ ପରିମାଣ ଗତବର୍ଷର ମୋଟ୍‍ କ୍ରୟକୁ ଅତିକ୍ରମ କରିସାରିଲାଣି ।

ଏହାଛଡା ଚଳିତ ଖରିଫ ଧାନ ସଂଗ୍ରହରେ ଚାଷୀ ଅଂଶଗ୍ରହଣ ମଧ୍ୟ ଉତ୍ସାହଜନକ ରହିଛି । ଗତ କାଲି ସୁଦ୍ଧା ପାଖାପାଖି ୧୦ଲକ୍ଷ ଚାଷୀ ଧାନ ବିକି ଛନ୍ତି । ବିଗତବର୍ଷ ଫେବୃଆରୀ ୧୯ ସୁଦ୍ଧା ଧାନ ବିକ୍ରି କରିଥିବା ଚାଷୀଙ୍କ ସଂଖ୍ୟା ୮.୨୩ଲକ୍ଷ ରହିଥିଲା ଓ ଧାନ ସଂଗ୍ରହ କାର୍ଯ୍ୟ ସରିବାବେଳକୁ ଚାଷୀଙ୍କ ସଂଖ୍ୟା ୯.୫୬ଲକ୍ଷ ରହିଥିଲା ।

ଖରିଫ ଋତୁ ପାଇଁ ଜଳସେଚିତ ଜମିରୁ ଏକର ପ୍ରତି ୧୯ କୁଇଣ୍ଟାଲ ଓ ଅଣଜଳସେଚିତ ଜମିରୁ ଏକର ପ୍ରତି ୧୩ କୁଇଣ୍ଟାଲ ହିସାବରେ ଖରିଫ ଧାନ କିଣାଯାଉଛି । ବର୍ତ୍ତମାନ ସୁଦ୍ଧା କିଣା ଯାଇଥିବା ଧାନ ବାବଦରେ ଚାଷୀମାନଙ୍କ ବ୍ୟାଙ୍କ୍‍ଖାତାକୁ ସିଧାସଳଖ ଭାବେ ୧୦,୨୮୧କୋଟି ଟଙ୍କା ପଠାଯାଇ ସାରିଲାଣି ।

ସଅଳ ଧାନ ଅମଳ ହୋଇଥିବା ପଶ୍ଚିମ ଓ ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡିକରେ ଧାନ କ୍ରୟ କାର୍ଯ୍ୟ ପ୍ରାୟ ସରିଆସିଲାଣି । ଉପକୂଳ ଓ ଉତ୍ତର ଓଡିଶା ଜିଲ୍ଲାଗୁଡିକରେ ବର୍ତ୍ତମାନ ଧାନ କିଣା ସର୍ବୋଚ୍ଚ ସ୍ତରରେ ରହିଛି ଓ ଏହା ଆସନ୍ତା ମାର୍ଚ୍ଚ ୩୧ ତାରଖରେ ସମାପ୍ତ ହେବ ।

ଧାନ କିଣା ଦିବସର ୭ଦିନ ପୂର୍ବରୁ ପଞ୍ଜିକୃତ ଚାଷୀଭ୍‍କୁ ଧାନ ବିକ୍ରିର ତାରିଖ ଓ ପରିମାଣ ଆଦି ମୋବାଇଲ୍‍ ଏସ୍‍ଏମ୍‍ଏସ୍‍ ମାଧ୍ୟମରେ ଜଣାଇ ଦିଆଯାଉଛି । ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ୧୮୬୮ ଟଙ୍କାରେ ଖରିଦ କରାଯାଉଥିବାବେଳେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଠାରୁ ଅଗ୍ରାଧିକାର ଭିତ୍ତିରେ ଧାନ କିଣାଯାଉଛି । ଗତବର୍ଷ ତୁଳନାରେ ୨୫ ପ୍ରତିଶତ ଅଧିକ ନାମମାତ୍ର ଓ ୨୦ ପ୍ରତିଶତ ଅଧିକ କ୍ଷୁଦ୍ର ଚାଷୀ ସରକାରଙ୍କୁ ଧାନ ବିକିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ।