Home Covid ୫ହଜାର ଟପିଲା କରୋନା ମୃତ୍ୟୁ

୫ହଜାର ଟପିଲା କରୋନା ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ୫ହଜାର ଟପିଯାଇଛି । ୬୬ଜଣନୂଆ ମୃତ୍ୟୁ ସହିତ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୦୫୮ରେ ପହଞ୍ଚିଛି । କେବଳ ଖୋରଧାରେ ଗୋଟିଏ ଦିନରେ କରୋନାରେ ୨୩ଜଣଙ୍କ ପ୍ରାଣ ଯାଇଛି ।

କରୋନା ମୃତ୍ୟୁ ତାଲିକାରେ ଖୋରଧା ସର୍ବାଧିକ ୮୯୭ଜଣ ଥିବାବେଳେ ସୁନ୍ଦରଗଡରେ ୪୪୦, ଗଞ୍ଜାମରେ ୪୧୬, କଟକରେ ୩୧୧, ପୁରୀରେ ୩୦୪, ବରଗଡରେ ୨୪୧, ଅନୁଗୁଳରେ ୧୯୮, କଳାହାଣ୍ଡିରେ ୧୯୨, ମୟୁରଭଞ୍ଜରେ ୧୮୪, ବାଲେଶ୍ୱରରେ ୧୫୬, ରାୟଗଡାରେ ୧୫୨ ଓ ସମ୍ବଲପୁରରେ ୧୫୦ଜଣ, କେନ୍ଦ୍ରାପଡାରେ ୧୦୯ ଓ ଢେଙ୍କାନାଳରେ ୧୦୧ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକରେ ମୃତ୍ୟୁସଂଖ୍ୟା ତିନି ଅଙ୍କ ତଳେ ଥିବାବେଳେ ସବୁଠାରୁ କମ୍‍ ମାତ୍ର ୩୫ଜଣ ମରିଛନ୍ତି ଦେବଗଡ ଜିଲ୍ଲାରେ ।

ଚଳିତମାସ ୧୧ତାରିଖ ଠାରୁ ରାଜ୍ୟରେ ଦୈନିକ କରୋନା ମୃତ୍ୟୁ ୬୦ ଉପରେ ରହୁଛି । ଗତ ୧୩ତାରିଖରେ ଏହା ସର୍ବାଧିକ ୬୮ ରହିଥିଲା । ସେହିଭଳି ଖୋରଧା ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ଲଗାତାର ଭାବେ ଦୁଇ ଅଙ୍କରେ ରହୁଥିବା ଲକ୍ଷ୍ୟ କରାଯାଛି ।

ରାଜ୍ୟରେ ଗତ ୨୪ଘଣ୍ଟାରେ ଆଉ ୨୨୧୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୪୮୩ଜଣ ଥିବାବେଳେ କଟକରୁ ୩୪୮, ବାଲେଶ୍ୱରୁ ୧୫୦, ଜଗତ୍‍ସିଂହପୁରରୁ ୧୨୬, ଯାଜପୁରରୁ ୧୨୪ ଜଣ ଅଛନ୍ତି । ଅନ୍ୟ ଜିଲ୍ଲାଗୁଡିକରେ ଦୈନିକ କରୋନା ସଂକ୍ରମଣ ତିନି ଅଙ୍କ ତଳେ ରହିଛି ।

ତେବେ ସବୁଠାରୁ କମ୍‍ ମାତ୍ର ଜଣେ କରୋନା ରୋଗୀ ଦେବଗଡ ଜିଲ୍ଲାରେ ଚିହ୍ନଟ ହୋଇଥିବାବେଳେ ନବରଙ୍ଗପୁରରେ ୪, ନୂଆପଡା ଓ କଳାହାଣ୍ଡିରେ ୫ଜଣ କରି ଚିହ୍ନଟ ହୋଇଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟରେ କରୋନା ପରୀକ୍ଷା ସଂଖ୍ୟା ରାଜ୍ୟରେ ଦେଢ କୋଟି ଅତିକ୍ରମ କରିଛି । ଆଜି ସୁଦ୍ଧା ରାଜ୍ୟରେ ମୋଟ୍‍ ୧,୫୦,୬୬,୦୫୦ ଟି କରୋନା ପରୀକ୍ଷା ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୬.୩୫ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ନୂଆ ୨୨୧୫ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୫୪,୩୨୬ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୯,୨୭,୯୨୬ଜଣ ସୁସ୍ଥହୋଇ ସାରିଲେଣି । ଏବେ ବି ରାଜ୍ୟରେ ୨୧.୨୮୯ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ।

କରୋନା ସଂକ୍ରମଣ ଦୃଷ୍ଟିରୁ ଖୋରଧା ଓ କଟକ ଜିଲ୍ଲା ଏବେ ବି ରେଡ୍‍ ଜୋନରେ ରହିଛନ୍ତି । ଖୋରଧାରେ ୪୮୫୧ ଜଣ ସକ୍ରିୟ ରୋଗୀ ଥିବାବେଳେ କଟକରେ ଅଛନ୍ତି ୨୮୮୮ ଜଣ । ବାଲେଶ୍ୱର ଓ ଯାଜପୁର ଜିଲ୍ଲା ୟୋଲୋ ଜୋନ୍‍ରେ ଥିବାବେଳେ ଏଠାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଯଥାକ୍ରମେ ୧୭୬୬ ଓ ୧୫୨୯ ରହିଛି ।