Home News in Odia ୪୩ବର୍ଷ ହେଲା ହୋଇନି ରତ୍ନଭଣ୍ଡାର ହିସାବ

୪୩ବର୍ଷ ହେଲା ହୋଇନି ରତ୍ନଭଣ୍ଡାର ହିସାବ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସମ୍ପତ୍ତିର ହିସାବ ନିକାଶ ୪୩ବର୍ଷ ଧରି ହୋଇନାହିଁ । ଶ୍ରୀଜଗନ୍ନାଥଙ୍କ ଲୀଳା ରହସମୟ ବୋଲି ଭକ୍ତମାନେ ଯେମିତି ମନେ କରନ୍ତି ଠିକ୍‍ ସେହିପରି ତାଙ୍କ ରତ୍ନଭଣ୍ଡାରର ଚାବି ଖୋଲି ଆଇନାନୁଯାୟୀ ଗଚ୍ଛିତ ସମ୍ପତ୍ତିର ନିୟମିତ ବ୍ୟବଧାନରେ ସୁମାରି କରାନଯିବା ବିସ୍ମୟକର ହୋଇ ରହିଛି ।

ଶ୍ରୀମନ୍ଦିର ସହ ସମ୍ପୃକ୍ତ କିଛି ସେବକ ସ୍ୱୀକାର କରୁଛନ୍ତି ଯେ ରତ୍ନଭଣ୍ଡାର କାନ୍ଥ ଓଦା ରହୁଛି । ତେଣୁ ତାହାର ମରାମତି ଦରକାର । କିଛିବର୍ଷ ତଳେ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଦଳ ଗଢାଯାଇ ରତ୍ନଭଣ୍ଡାର ଗୃହର ସ୍ଥିତି ଅନୁଧ୍ୟାନ କରାଯିବାର ଥିଲା । ସେତେବେଳେ ଏହା ସପକ୍ଷରେ ଓ ବିପକ୍ଷରେ ଗଣମାଧ୍ୟମରେ ବେଶ୍‍ ରୋଚକ ଚର୍ଚ୍ଚା ଚାଲିଥିଲା ।

ଏହି ଅନୁଧ୍ୟାନକାରୀ ଦଳ ବାହାର ରତ୍ନଭଣ୍ଡାର ପର୍ଯ୍ୟନ୍ତ ଯାଇଥିଲେ କିନ୍ତୁ ଭିତର ରତ୍ନଭଣ୍ଡାରର ଚାବି ହଜିଯାଇଥିବାରୁ ତାହା ଭିତରକୁ ଗଲେ ନାହିଁ । ଏ ପ୍ରସଙ୍ଗରେ ରାଜ୍ୟ ସରକାର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା କମିଶନ ବସାଇ ୨୫ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କଲେ । ତେବେ କମିଶନ ଚାବି ଖୋଜି ପାଇଲା କି ନାହିଁ ସେ ତଥ୍ୟ ସାର୍ବଜନୀନ କରାଯାଉନାହିଁ ।

ଅନ୍ୟ ପକ୍ଷରେ ରତ୍ନଭଣ୍ଡାର ଚାବି ହଜିବା ଘଟଣା ହଇଚଇ ସୃଷ୍ଟି କରିଥିବାବେଳେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡରୁମ୍‍ରେ ହଠାତ୍‍ ଏହି ଚାବି ମିଳିଥିଲା । ଚାବି ମିଳିବାପରେ ବି ରତ୍ନଭଣ୍ଡାର ଖୋଲି ଏଥିରେ ରହିଥିବା ସାମଗ୍ରିର ହିସାବ କରାଯାଉନାହିଁ । ଶ୍ରୀମନ୍ଦିର ପ୍ରଶାସନ ଏ ସଂକ୍ରାନ୍ତରେ ଇଚ୍ଛାବ୍ୟକ୍ତ କଲେ ସରକାର ତାହା ଉପରେ ପଦକ୍ଷେପ ନେବେବୋଲି ପୂର୍ବରୁ କୁହାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏ ଦିଗରେ କେହି ଆଗଉ ନଥିବାରୁ ଭକ୍ତ ମହଲରେ ସନ୍ଦେହ ବୃଦ୍ଧିପାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ନିଳମଣି ରାଉତରାୟଙ୍କ ସରକାର ସମୟରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍‍ମନ୍ତ୍ରୀ ଥିବାବେଳେ ୧୯୭୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ଦ୍ୱାରା ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ଖୋଲାଯାଇ ପ୍ରାୟ ୨ମାସ ଧରି ତନଖି କରି ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇଥିଲା ।

ସେତେବେଳ ସୁଦ୍ଧା ୧୨,୮୩୧ ଭରି ଏକ ଅଣା ଓଜନର ମୂଲ୍ୟବାନ ପଥର ସହିତ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଏବଂ ୨୨,୧୫୩ ଭରି ଓଜନର ମୂଲ୍ୟବାନ ପଥର ସହିତ ରୁପାର ବାସନ, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ସୁମାରି ହୋଇଥିଲା । ଏଗୁଡିକର ମୂଲ୍ୟ କେତେ ହେବ ସେତେବେଳେ ତାହା ନିରୂପିତ ହୋଇନଥିଲା । ଏବେ ଏହାର ପରିମାଣ କେତେ ହେବ ତାହା ଆକଳନ କଲେ ହିଁ ଜଣାପଡିବ । ଏହାଛଡା ୧୪ଟି ସୁନା ଓ ରୁପା ଜିନିଷ ସେତେବେଳେ ବିଭିନ୍ନ କାରଣରୁ ଓଜନ କରାଯାଇ ପାରିନଥିଲା ।

ସ୍ନାନପୂର୍ଣ୍ଣିମା ପରେ ଠାକୁରମାନେ ଅଣସର ଘରେ ରହିବା ଓ ରଥଯାତ୍ରାବେଳେ ପ୍ରାୟ ୧୨ଦିନପାଇଁ ବିଗ୍ରହମାନେ ବାହାରେ ରହୁଥିବା ପରିପ୍ରେକ୍ଷୀରେ ଏହି ସମୟରେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରି ଆବଶ୍ୟକ ମତାବକ ମରାମତି କରାଯାଇ ପାରନ୍ତା ଏବଂ ଭିତର ରତ୍ନଭଣ୍ଡାରର ସାମଗ୍ରୀର ମଧ୍ୟ ତାଲିକା ପ୍ରସ୍ତୁତ ହୋଇପାରନ୍ତା । ଆଇନ୍‍ରେ ନିୟମିତ ବ୍ୟବଧାନରେ ତନଖିପାଇଁ ବ୍ୟବସ୍ଥା ଥିବା ସତ୍ୱେ ବି ଚାରି ଦଶନ୍ଧି ଧରି ଏହା ହୋଇପାରୁ ନାହିଁ । (ତଥ୍ୟ)