Home Election ୪୧୨ କୋଟିପତି ପ୍ରାର୍ଥୀ

୪୧୨ କୋଟିପତି ପ୍ରାର୍ଥୀ

ଭୁବନେଶ୍ୱର : ଚଳିତ ନିର୍ବାଚନରେ ଓଡିଶାରେ ୧୨ଶହରୁ ଅଧିକ ପ୍ରାର୍ଥୀ ବିଧାନସଭା ନିର୍ବାଚନ ଲଢୁଥିବାବେଳେ ଏମାନଙ୍କ ମଧ୍ୟରେ ଚାରି ଶହରୁ ଅଧିକ କୋଟିପତି ରହିଛନ୍ତି । ତେବେ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ରାଉରକେଲାରୁ ଲଢିଥିବା ବିଜେପିର ଦିଲ୍ଲୀପ ରାୟ ସବୁଠାରୁ ଧନୀ ପ୍ରାର୍ଥୀ ।

ରାଜ୍ୟରେ ଚାରି ପର୍ଯ୍ୟାୟରେ ହେଉଥିବା ନିର୍ବାଚନରେ ମୋଟ୍‍ ୧୨୮୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏମାନଙ୍କ ମଧ୍ୟରେ କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୪୧୨ । ପ୍ରଥମ ପର୍ଯ୍ୟାୟରେ ୭୦ଜଣ କୋଟିପତି ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୯୫, ତୃତୀୟ ପର୍ଯ୍ୟାୟରେ ୧୨୬ ଓ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାରେ ୧୨୧ ଜଣ କୋଟିପତି ପ୍ରାର୍ଥୀ ମଇଦାନରେ ଅଛନ୍ତି ।

ଏହି କୋଟିପତି ପ୍ରାର୍ଥୀଙ୍କ ମଧ୍ୟରେ ଦିଲ୍ଲୀପ ରାୟ ସବୁଠାରୁ ଆଗରେ ରହିଛନ୍ତି । ବିଜେପିର ଏହି ପ୍ରାର୍ଥୀଙ୍କ ସମ୍ପତ୍ତିର ପରିମାଣ ୩୧୩ କୋଟି ଟଙ୍କାରୁ ଅଧିକ ବୋଲି ସତ୍ୟପାଠରେ ଦର୍ଶାଯାଇଛି । ଶ୍ରୀ ରାୟ ହେଉଛନ୍ତି ଦେଶର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ସେହିଭଳି ଦ୍ୱିତୀୟ ସ୍ଥାନରେ ଅଛନ୍ତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଆସନର ବିଜେଡି ପ୍ରାର୍ଥୀ ହୋଇଥିବା ସନାତନ ମହାକୁଡ । ଶ୍ରୀ ମହାକୁଡଙ୍କ ସମ୍ପତ୍ତିର ପରିମାଣ ୨୨୭ କୋଟିରୁ ଅଧିକ ବୋଲି ଦର୍ଶାଯାଇଛି । ସର୍ବାଧିକ ସମ୍ପତ୍ତି ତାଲିକାର ତୃତୀୟ ସ୍ଥାନରେ ଜଣେ ମହିଳା ପ୍ରାର୍ଥୀ ରହିଛନ୍ତି । ବାଲେଶ୍ୱର ଜିଲ୍ଲା ବସ୍ତା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ସୁବାସିନୀ ଜେନାଙ୍କ ସମ୍ପତ୍ତିର ପରିମାଣ ହେଉଛି ୧୩୫ କୋଟି ଟଙ୍କାରୁ ଅଧିକ । ସୁବାସିନୀ ହେଉଛନ୍ତି ବିଶିଷ୍ଟ ବ୍ୟବସାୟୀ ତଥା ପୂର୍ବତନ ସାଂସଦ ରବି ଜେନାଙ୍କ ପତ୍ନୀ ।

ଚଳିତ ନିର୍ବାଚନରେ କେବଳ ଚାରି ଶହରୁ ଅଧିକ କୋଟିପତି ପ୍ରାର୍ଥୀ ହୋଇଛନ୍ତି ତାହା ନୁହେଁ, କପର୍ଦ୍ଦକ ଶୂନ୍ୟ ଅର୍ଥାତ୍‍ ହାତରେ ଟଙ୍କାଟିଏ ନଥିବା ଲୋକେ ବି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିଥିବା ଏଭଳି ଦୁଇଜଣ ପ୍ରାର୍ଥୀଙ୍କୁ ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଦେଖିବାକୁ ମିଳିଛି । ଏହି ଦୁଇ ଜଣ ପ୍ରାର୍ଥୀ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଆସନରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ସଞ୍ଜୟ କୁମାର ଦାସ ଏବଂ ଯାଜପୁର ଜିଲ୍ଲା କୋରେଇ ଆସନରୁ ଆମ୍ବେଦକର୍ତ୍ତୀ ପାର୍ଟି ଅଫ୍‍ ଇଣ୍ଡିଆରୁ ପ୍ରାର୍ଥୀ ହୋଇଥିବା ଗୋପାଳକୃଷ୍ଣ ମହାନ୍ତି । ଏହି ଦୁଇଜଣ ସେମାନଙ୍କର କୌଣସି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

କେବଳ ଶୂନ୍ୟ ହସ୍ତରେ ଥିବା ଲୋକେ ବିଧାନସଭା ଲଢୁ ନାହାନ୍ତି, ଚଳିତ ନିର୍ବାଚନରେ ଆଦୌ ପାଠ ଶାଠ ପଢିନଥିବା ଦୁଇଜଣ ବ୍ୟକ୍ତି ବି ପ୍ରାର୍ଥୀ ହେଇଛନ୍ତି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ୩୮୧ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଦୁଇ ଜଣ ଆଦୌ ପାଠ ପଢିନଥିବା ନିଜ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ସେହିଭଳି ଆଉ କେତେକ ପ୍ରାର୍ଥୀ ମଇଦାନରେ ରହିଛନ୍ତି ଯେଉଁମାନେ ନିଜକୁ ସାକ୍ଷର ବୋଲି ଉଲ୍ଲେଖ କରିଛନ୍ତି । ବହୁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୫ମ ଓ ୮ମ ପାଶ୍‍ ଥିବା ଜଣାପଡିଛି । (ତଥ୍ୟ)