Home Election ୩ ସହରରେ ନିର୍ବାଚନ କେବେ?

୩ ସହରରେ ନିର୍ବାଚନ କେବେ?

ଭୁବନେଶ୍ୱର : ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନ ସରିବା ପରେ ନବନିର୍ବାଚିତ ପ୍ରତିନିଧିମାନେ କାମ ଆରମ୍ଭ କରିଥିବା ବେଳେ ରାଉରକେଲା, ସମ୍ବଲପୁର ଓ ପୁରୀ ଭଳି ୩ଟି ଗୁରୁତ୍ୱପୂର୍ଣ୍ଣ ସହରରେ କିନ୍ତୁ ପୌର ନିର୍ବାଚନ କେବେ ହେବ ସେଥିଘେନି କେହି କିଛି ସ୍ପଷ୍ଟ ସୂଚନା ଦେଇପାରୁ ନାହାନ୍ତି । ବିଚାରାଧୀନ ମାମଲା ଯୋଗୁଁ ଏହି ୩ଟି ସ୍ଥାନରେ ପୌର ନିର୍ବାଚନ ହୋଇପାରୁ ନାହିଁ ।

୨୦୧୯ରେ ହୋଇଥିବା ସାଧାରଣ ନିର୍ବାଚନର ପ୍ରାୟ ୩ ବର୍ଷ ପୂର୍ବରୁ ରାଜ୍ୟ ସରକାର ରାଉରକେଲା ଓ ସମ୍ବଲପୁରକୁ ମହାନଗର ନିଗମ ଭାବେ ଘୋଷଣା କରିଥିଲେ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ଲାଗି ନିର୍ବାଚନ ହୋଇଥିବା ବେଳେ ସମ୍ବଲପୁର ଓ ରାଉରକେଲାରେ କିନ୍ତୁ ମହାନଗର ନିଗମ ଗଠନ ପାଇଁ ବିଜ୍ଞପ୍ତି ଜାରି ହେବା ପରଠାରୁ ଏଯାବତ୍‍ ନିର୍ବାଚନ ହୋଇନଥିବାରୁ ସେଠାରେ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟ ତୁଲାଉଛନ୍ତି ।

ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଗଠନ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତି ବିରୋଧରେ କେତେକ ମହଲରୁ ଆପତ୍ତି ଉଠୁଥିଲା । ବିଶେଷକରି ଏହି ଦୁଇ ସହରାଞ୍ଚଳର ଆଖପାଖରେ ଥିବା କେଉଁସବୁ ସ୍ଥାନକୁ ମହାନଗର ନିଗମରେ ସାମିଲ କରାଯିବ ଓ କରାନଯିବ ସେଥିଘେନି ରାଜନୈତିକ ସ୍ତରରେ ବିବାଦ ଉଠିବା ପରେ ମାମଲା ଆଇନ ଅଦାଲତକୁ ଯାଇଥିଲା । ଦୀର୍ଘବର୍ଷ ଧରି ମାମଲା ଗଡି ଚାଲିବା ଫଳରେ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଗଠନ ହେବାଠାରୁ ଏଯାବତ୍‍ ନିର୍ବାଚିତ ପ୍ରତିନିଧିଙ୍କୁ ଦେଖିନାହିଁ ।

ଏହି ମାମଲା ସରିବା ପରେ ସେଠାରେ ନିର୍ବାଚନ ହୋଇପାରେ ବୋଲି ପ୍ରଶାସନିକ ଅଧିକାରୀମାନେ କହୁଥିବା ବେଳେ ଯେତେବେଳେ ବି ନିର୍ବାଚନ ଘୋଷଣା କରାଯିବ ସେତେବେଳେ ଲଢ଼ିବା ପାଇଁ ବିଜେଡି ପ୍ରସ୍ତୁତ ବୋଲି ଦଳୀୟ ନେତାମାନେ କହୁଥିବା ବେଳେ ପରାଜୟ ଭୟରେ ସରକାର ମାମଲା ଆଳରେ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଲାଗି ନିର୍ବାଚନ କରୁନାହାନ୍ତି ବୋଲି ବିରୋଧୀ ନେତାମାନେ କହୁଛନ୍ତି ।

ପୁରୀ ପୌରପାଳିକା ବେଶ୍‍ ପୁରୁଣା । ସ୍ୱାଧୀନତା ପୂର୍ବରୁ ପୁରୀରେ ପୌରସଂସ୍ଥା ରହିଆସିଛି । ଏଥର ବି ମାର୍ଚ୍ଚ ମାସରେ ଅନ୍ୟ ପୌରସଂସ୍ଥା ସହ ପୁରୀରେ ନିର୍ବାଚନ ହୋଇଥାନ୍ତା । କିନ୍ତୁ ସ୍ଥାନ ସଂରକ୍ଷଣ ଓ ଅନ୍ୟ କେତେକ ପ୍ରସଙ୍ଗ ଉଠାଇ ମାମଲା ରୁଜୁ ହେବାରୁ ଶେଷ ମୁହୂର୍ତ୍ତରେ ପୁରୀ ପୌରସଂସ୍ଥା ପାଇଁ ନିର୍ବାଚନ ହୋଇପାରି ନାହିଁ । ଏ ପ୍ରସଙ୍ଗରେ ଉଭୟ ସରକାରୀ ଓ ବିରୋଧୀ ଦଳ ନେତାମାନେ କେବଳ ପରସ୍ପର ଉପରକୁ କାଦୁଅ ଫିଙ୍ଗିବାରେ ବ୍ୟସ୍ତ ।

ସଚେତନ ନାଗରିକମାନେ କହୁଛନ୍ତି ଯେ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଏବଂ ପୁରୀ ପୌରସଂସ୍ଥାରେ ନିର୍ବାଚିତ ଲୋକ ପ୍ରତିନିଧି ନଥିବାରୁ ସାଧାରଣ ଲୋକଙ୍କ ସମସ୍ୟା ଉପରେ ଦାୟିତ୍ୱରେ ଥିବା ଅମଲାତନ୍ତ୍ରୀମାନେ ସେତେଟା ଧ୍ୟାନ ଦେଇପାରୁ ନାହାନ୍ତି । ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିଶନ ଏ ପ୍ରସଙ୍ଗକୁ ହାଲୁକା ଭାବେ ନ ନେଇ ଆଡଭୋକେଟ ଜେନେରାଲଙ୍କ ସହିତ ପରାମର୍ଶକ୍ରମେ ହାଇକୋର୍ଟରେ ସ୍ୱତନ୍ତ୍ର ମେମୋ ଦାଖଲ କରି ମାମଲାଗୁଡିକର ତ୍ୱରିତ ଶୁଣାଣି ପାଇଁ ପଦକ୍ଷେପ ନେଲେ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ ସହରରେ ପୌର ନିର୍ବାଚନ ହୋଇପାରନ୍ତା ।

ଯଦି ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ପାଇଁ ସୀମା ବିବାଦ ବାଧକ ହେଉଛି ତେବେ ଏହି ଅଡୁଆ ଛିଣ୍ଡିବା ପର୍ଯ୍ୟନ୍ତ ପଶ୍ଚିମାଞ୍ଚଳର ଏହି ଦୁଇ ପ୍ରମୁଖ ସହରକୁ ପୁନର୍ବାର ପୌରସଂସ୍ଥା ଭାବେ ଘୋଷଣା କରି ସହଜରେ ନିର୍ବାଚନ କରିହେବ ବୋଲି ଆଇନଜୀବୀ ମହଲ ମତବ୍ୟକ୍ତ କରୁଛନ୍ତି ।(ତଥ୍ୟ)