Home General ୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

157
0

ଭୁବନେଶ୍ୱର: ଓଡ଼ିଶା ପୁଲିସ ନିକଟରେ ଆଜି ଦୁଇଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ଦୁଇ ମାଓବାଦୀ ଛତିଶଗଡ଼ର ବାସିନ୍ଦା ହୋଇଥିବା ବେଳେ ସେମାନଙ୍କୁ ଧରାଇବା ପାଇଁ ୪ଲକ୍ଷ ଓ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।

ରାୟଗଡ଼ା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ମଙ୍କୁ ଓୟାମ୍‍ ଓରଫ୍‍ ଜୟରାମ ଓରଫ୍‍ ପଙ୍କେସ୍‍ ଓରଫ୍‍ ସାଇନ୍‍ ମାଓ ସଂଗଠନରେ ଏରିଆ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା । ୨୦୧୯ ମସିହାରେ କଳାହାଣ୍ଡି ଜିଲ୍ଲାରେ ଘଟିଥିବା ଗୁଳି ବିନିମୟ, ୨୦୨୦ ମାର୍ଚ୍ଚରେ କଳାହାଣ୍ଡିର ସୁନାପଦରଠାରେ ଘଟିଥିବା ଗୁଳି ବିନିମୟ, କଟଲ ଘାଟି ଗୁଳି ବିନିମୟ ଓ ୨୦୧୯ରେ କଳାହାଣ୍ଡିରେ ଭୀମାଦୋରା ହତ୍ୟାକାଣ୍ଡରେ ମଙ୍କୁ ସମ୍ପୃକ୍ତ ଥିଲା ।

୨୦୧୧ ମସିହାରେ ମାଓ ସଂଗଠନରେ ଭର୍ତ୍ତି ହୋଇଥିବା ମଙ୍କୁ ପ୍ରଥମେ ସୁନାବେଡ଼ା ଏରିଆ କମିଟିରେ ପାର୍ଟି ସଦସ୍ୟ ଭାବେ ଯୋଗ ଦେଇଥିବା ବେଳେ ପରେ ଏସିଏମ୍‍ ପାହ୍ୟାକୁ ଯାଇ କଳାହାଣ୍ଡି ଜିଲ୍ଲାର ବିଜିଏନ ଡିଭିଜନରେ କାମ କରିଥିଲା । ମଙ୍କୁକୁ ଧରାଇ ଦେବାପାଇଁ ପୁଲିସ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ।

ସେହିଭଳି ଛତିଶଗଡ଼ ବିଜାପୁରର ଲାଚୁ ମାଡ଼କାମ ଓରଫ୍‍ ବିଶ୍ୱନାଥ ଓରଫ୍‍ ଅବିନାଶ ମାଓ ସଦସ୍ୟ ଭାବେ କେକେବିଏନ୍‍ ଡିଭିଜନରେ କାର୍ଯ୍ୟ କରୁଥିଲା । ୨୦୧୫ରେ ମାଓ ସଂଗଠନକୁ ଆସିଥିବା ଲାଚୁ ପରବର୍ତ୍ତୀ ସମୟରେ ବିଭିନ୍ନ କମିଟିରେ କାର୍ଯ୍ୟ କରି କଳାହାଣ୍ଡି ବିଜିଏନ ଡିଭିଜନରେ ଥିଲା । ଲାଚୁକୁ ଧରାଇଦେବା ପାଇଁ ପୁଲିସ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ ସଂକ୍ରାନ୍ତରେ ପୁଲିସ ସୂଚନା ଦେଇ କହିଛି ଯେ ମାଓ ସଂଗଠନରେ ଏମାନଙ୍କ ପାଇଁ ଭାଷା ସବୁଠୁ ବଡ଼ ସମସ୍ୟା ପାଲଟିଥିଲା । ଏଥିସହିତ ଦୀର୍ଘଦିନ ଧରି ଘରଠାରୁ ଦୂରରେ ରହିବା, ଖାଦ୍ୟ, ଜଳ ଓ ବସ୍ତ୍ରର ଅଭାବ, ନିୟମିତ ଭାବେ ସେମାନେ କାର୍ଯ୍ୟ କରୁଥିବା ଇଲାକାରେ ପୁଲିସ ଚଢ଼ାଉ ଓ ନିଜ ଦଳର ନେତାଙ୍କ ରୁକ୍ଷ ବ୍ୟବହାରରେ ଅତିଷ୍ଠ ହୋଇ ଏମାନେ ଆତ୍ମସମର୍ପଣ କରିଛନ୍ତି । ଓଡ଼ିଶା ସରକାରଙ୍କ ଧାର୍ଯ୍ୟ ଥଇଥାନ ନୀତି ଅନୁଯାୟୀ ଏମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ।

LEAVE A REPLY

Please enter your comment!
Please enter your name here