Home Administration ୨୮ ନୂଆ ଜିଲ୍ଲା ପାଇଁ ଦାବି ତେଜୁଛି

୨୮ ନୂଆ ଜିଲ୍ଲା ପାଇଁ ଦାବି ତେଜୁଛି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟୁନ ୧୨ଜଣ ମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳରେ ନୂତନ ଜିଲ୍ଲା ଗଠନ ପାଇଁ ଦାବି ତେଜିବାରେ ଲାଗିଛି । ୧୯୯୦ ଦଶକରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ରାଜ୍ୟର ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି କରାଯାଇଥିବାବେଳେ ଏବେ ଆଉ ୨୮ଟି ନୂଆ ଜିଲ୍ଲା ଗଠନ ପାଇଁ ସରକାରଙ୍କ ନିକଟରେ ଦାବିପତ୍ର ପହଞ୍ଚିଛି ।

ବର୍ତ୍ତମାନର ଅନ୍ୟୁନ ୧୬ଟି ଜିଲ୍ଲାକୁ ଭାଙ୍ଗି ୨୮ଟି ଜିଲ୍ଲାରେ ପରିଣତ କରିବା ପାଇଁ ଦାବି ଜୋର୍‍ଦାର ହେଉଥିବାବେଳେ ଏ ପ୍ରସଙ୍ଗ ଏବେ ଓଡ଼ିଶା ହାଇକୋର୍ଟରେ ବିଚାରାଧିନ ଥିବାରୁ ପୂର୍ବ ଘୋଷଣା ମୁତାବକ ଗତ ଡିସେମ୍ବର ମାସ ସୁଦ୍ଧା ପଦ୍ମପୁର ଜିଲ୍ଲା ଘୋଷଣା ହୋଇପାରିନାହିଁ । ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ନିର୍ବାଚିତ ହୋଇ ଆସିଥିବା ଗଞ୍ଜାମ ଜିଲ୍ଲାରେ ଭଞ୍ଜନଗର, ବ୍ରହ୍ମପୁର, ଆସ୍କା ଓ ଘୁମୁସର ଜିଲ୍ଲାପାଇଁ ଦାବି ଉଠିଛି । ଏ ସଂକ୍ରାନ୍ତରେ ପ୍ରସ୍ତାବ ବି ସରକାରଙ୍କ ହସ୍ତଗତ ହୋଇଥିବା ଜଣାପଡିଛି । ଅନ୍ୟତମ ମନ୍ତ୍ରୀ ରୀତା ସାହୁଙ୍କ ଜିଲ୍ଲା ବରଗଡ଼ର ପଦ୍ମପୁର ସବ୍‍ଡିଭିଜନକୁ ଜିଲ୍ଲା ଘୋଷଣା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ଏବେ ଆଇନଗତ ବିବାଦ ଯୋଗୁ ଝୁଲି ରହିଛି ।

ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‍ ପ୍ରତିନିଧିତ୍ୱ କରୁଥିବା ମୟୁରଭଞ୍ଜ ଜିଲ୍ଲାର ଝିଅ ହେଉଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୟୁରଭଞ୍ଜ ଜିଲ୍ଲାରେ ପଶ୍ଚିମ ମୟୁରଭଞ୍ଜ, ରାଇରଙ୍ଗପୁର, ଖିଚିଂ ଓ କରଞ୍ଜିଆରେ ନୂଆ ଜିଲ୍ଲା ପ୍ରତିଷ୍ଠା ପାଇଁ ଦୀର୍ଘବର୍ଷ ଧରି ଦାବି ଗଡିଆସୁଛି । ସେହିଭଳି ଶ୍ରମମନ୍ତ୍ରୀ ସାରଦା ନାୟକଙ୍କ ଜିଲ୍ଲା ସୁନ୍ଦରଗଡକୁ ବିଭାଜନ କରି ବଣାଇ ଓ ରାଉରକେଲା ଜିଲ୍ଲା ଗଠନ ଲାଗି ବି ଦୀର୍ଘବର୍ଷ ଧରି ଦାବି ଜୋର ଧରିଛି ।

ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଜିଲ୍ଲା ବଲାଙ୍ଗୀରକୁ ଭାଙ୍ଗି ସେଠାରେ ଟିଟିଲାଗଡ଼, କଣ୍ଟାବାଞ୍ôଝ ଓ ପାଟଣାଗଡରେ ତିନୋଟି ନୂଆ ଜିଲ୍ଲା ଗଠନ ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଆସିଛି । ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଜିଲ୍ଲା ଅନୁଗୋଳରେ ବି ତାଳଚେର ଓ ପାଲଲହଡାରେ ୨ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବି ବଢିଚାଲିଛି ।

ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଖୋର୍ଦ୍ଧା ଜିଲ୍ଲା ଗଠନବେଳେ ଜିଲ୍ଲାପାଳଙ୍କ ଦପ୍ତର ରାଜଧାନୀ ଭୁବନେଶ୍ୱରରେ ରହିଥିଲା । ତେବେ ପରବର୍ତ୍ତୀ ସମୟରେ ଏହା ଖୋର୍ଦ୍ଧାକୁ ସ୍ଥାନାନ୍ତରିତ ହେବା ପରଠାରୁ ପୁଣି ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ଗଠନ ଲାଗି ଦଳମତ ନିର୍ବିଶେଷରେ ଦାବି ହେଉଛି । ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି ବରିଷ୍ଠ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । କଟକ ଜିଲ୍ଲାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ବାଚନମଣ୍ଡଳୀ ଆଠଗଡ଼କୁ ଜିଲ୍ଲାପାହ୍ୟା ଦେବାକୁ ଦାବି ବଢୁଥିବାବେଳେ ଅନ୍ୟତମ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଜିଲ୍ଲା ଯାଜପୁରରେ ଚଣ୍ଡିଖୋଲକୁ ନୂଆ ଜିଲ୍ଲା କରିବା ଲାଗି ବି ପ୍ରସ୍ତାବ ଆସିଛି ।

ସେହିପରି ସମ୍ବଲପୁରର କୁଚିଣ୍ଡାରେ ନୂଆ ଜିଲ୍ଲା ଗଠନ ପାଇଁ ଦାବି ଉଠିଥିବାବେଳେ କନ୍ଧମାଳର ବାଲିଗୁଡା ଏବଂ କେନ୍ଦୁଝରର ଆନନ୍ଦପୁରକୁ ଜିଲ୍ଲା ମାନ୍ୟତା ଦେବା ପ୍ରସଙ୍ଗ ବି ଉଠିଛି । ବାଲେଶ୍ୱରରେ ନୀଳଗିରି, ସୋର ଓ ଜଳେଶ୍ୱରରେ ତିନୋଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ଆସିଥିବାବେଳେ ପୁରୀର ନିମାପଡାକୁ ବି ଜିଲ୍ଲା କରିବା ପାଇଁ ସ୍ୱର ଉଠିଛି । ଏହାଛଡା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଜିଲ୍ଲା ରାୟଗଡାର ଗୁଣୁପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାପାଇଁ ମଧ୍ୟ ଦାବିପତ୍ର ସରକାରଙ୍କ ନିକଟରେ ପହଞ୍ଚିଛି ।

ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ନୂଆ ଜିଲ୍ଲା ପ୍ରସଙ୍ଗକୁ ପୁଣି ଉଠାଯିବାର ସମ୍ଭାବନା ଥିବାବେଳେ ମାମଲା ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ଥିବାରୁ ରାଜ୍ୟ ସରକାର ଏକପ୍ରକାର ହାତବାନ୍ଧି ବସିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ୧୯୩୬ ମସିହାରେ ଅବିଭକ୍ତ କୋରାପୁଟ, ଗଞ୍ଜାମ, ପୁରୀ, କଟକ, ବାଲେଶ୍ୱର ଓ ସମ୍ବଲପୁର ଭଳି ୬ଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ଦେଶୀୟ ରାଜ୍ୟ ମିଶ୍ରଣ ପରେ ଓଡ଼ିଶାରେ ଜିଲ୍ଲା ସଂଖ୍ୟା ୧୩କୁ ବୃଦ୍ଧି ପାଇଥିଲା । (ତଥ୍ୟ)