Home General ୨୮ବର୍ଷ ହେଲା ଓଡିଶାରେ ଫାଶୀ ନାହିଁ

୨୮ବର୍ଷ ହେଲା ଓଡିଶାରେ ଫାଶୀ ନାହିଁ

ଭୁବନେଶ୍ୱର : ଆଇନ୍‍ରେ ଫାଶୀଦଣ୍ଡ ବ୍ୟବସ୍ଥା ରହିଥିଲେ ମଧ୍ୟ ୨୮ବର୍ଷ ଧରି ଓଡିଶାର କୌଣସି ଜେଲରେ ଜଣେ ହେଲେ ଅପରାଧିଙ୍କୁ ଫାଶୀ ଦିଆଯାଇ ନାହିଁ । ଅବଶ୍ୟ କେତେକ ମାମଲାରେ ଦୌରାଜଜମାନେ ଫାଶୀଦଣ୍ଡାଦେଶ ଦେଇଥିଲେ ମଧ୍ୟ ତାହା ପରବର୍ତ୍ତୀ ସମୟରେ ପରିବର୍ତ୍ତନ ହୋଇଛି ।

ସ୍ୱାଧୀନତା ପୂର୍ବରୁ ରାଜ୍ୟର ଅନେକ ଜେଲ୍‍ରେ ଫାଶୀସ୍ତମ୍ଭମାନ ରହିଥିଲା । ତେବେ ବର୍ତ୍ତମାନ କେବଳ ବ୍ରହ୍ମପୁର ଓ ବଲାଙ୍ଗିର ଜେଲ୍‍ରେ ଫାଶୀସ୍ତମ୍ଭ ରହିଛି । ବ୍ରହ୍ମପୁର ଜେଲ୍‍ରେ ୧୯୪୩ ମସିହାରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା । ଏହାର ସ୍ମାରକୀ ଏବେ ବି ଏହି ଜେଲ୍‍ରେ ରହିଛି ଏବଂ ପ୍ରତିବର୍ଷ ମାର୍ଚ୍ଚ ୨୯ତାରିଖରେ ବ୍ରହ୍ମପୁର କେନ୍ଦ୍ରୀୟ ଜେଲ୍‍ରେ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପାଳନ କରାଯାଇଥାଏ ।

ସଂଯୋଗକ୍ରମେ ୧୯୯୪ରେ ବ୍ରହ୍ମପୁର ଜେଲରେ ଆଉଜଣେ ଆଦିବାସୀ ଯୁବକ ଫାଶୀ ଖୁଣ୍ଟରେ ଝୁଲିଥିଲେ ଓ ତାଙ୍କ ନାମ ବି ଲକ୍ଷ୍ମଣ ନାୟକ ଥିଲା । ଅମର ଶହୀଦ ଲକ୍ଷ୍ମଣ ନାୟକ ବର୍ତ୍ତମାନର ମାଲକାନଗିିରି ଜିଲ୍ଲା ଅର୍ନ୍ତଗତ ମାଥିଲିକୁ ସ୍ୱାଧୀନତା ଆନ୍ଦୋଳନ କାଳରେ ତାଙ୍କର କର୍ମଭୂମି କରିଥିବାବେଳେ ଏବେ ବି ଜାତି ତାଙ୍କୁ ଝୁରୁଛି । କିନ୍ତୁ ଅନ୍ୟ ପକ୍ଷରେ ନିଜ ନାବାଳିକା ଝିଆରିକୁ ମଦ ନିଶାରେ ଧର୍ଷଣ ଓ ପରେ ବିଭତ୍ସ ହତ୍ୟା ଘଟଣାରେ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ଯୁବକ ଲକ୍ଷ୍ମଣ ନାୟକ ସେହି ଫାଶୀଖୁଣ୍ଟରେ ୧୯୯୪ ମସିହାରେ ଝୁଲିଥିଲେ ।

ସରକାରୀ ଦସ୍ତାବିଜର ବିବରଣୀ ଅନୁଯାୟୀ ଏକ ସାମାଜିକ ଉତ୍ସବରେ ପ୍ରଚୁର ମଦ୍ୟପାନ କରି ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ଯୁବକ ଜଣଙ୍କ ତାଙ୍କ ୯ବର୍ଷର ଝିଆରିକୁ ସାଙ୍ଗରେ ଧରି ଗାଁକୁ ଫେରୁଥିବାବେଳେ ଜଙ୍ଗଲ ଭିତରେ ମଦନିଶାରେ ହିତାହିତ ଜ୍ଞାନ ହରାଇ ନିଜ ଝିଆରିକୁ ବଳାତ୍କାର ପରେ ହତ୍ୟା କରିଥିଲେ । ଏହି ମାମଲାରେ ମୟୁରଭଞ୍ଜ ଦୌରାଜଜ୍‍ଙ୍କ ପ୍ରାଣଦଣ୍ଡ ଆଦେଶକୁ ଓଡିଶା ହାଇକୋର୍ଟ ଓ ପରେ ସୁପ୍ରିମ୍‍କୋର୍ଟ କାଏମ ରଖିଥିଲେ ଏବଂ ଅପରାଧିର ରାଜକ୍ଷମା ଆବେଦନ ନାକଚ ହେବାପରେ ୧୯୯୪ରେ ଫାଶୀ ଦିଆଯାଇଥିଲା । ଏହା ପରଠାରୁ ବ୍ରହ୍ମପୁର ଜେଲରେ ଆଉ କାହାକୁ ଫାଶୀ ଦିଆଯାଇ ନାହିଁ । ୧୯୯୪ରେ ଫାଶୀ ଦେବାପାଇଁ ମହାରାଷ୍ଟ୍ରରୁ ଜଣେ ଘାତକକୁ ଅଣାଯାଇଥିଲା ।

ପ୍ରତିବର୍ଷ ବ୍ରହ୍ମପୁର ଜେଲରେ ଏହି ଫାଶୀସ୍ତମ୍ଭକୁ ରଙ୍ଗ ଦେଇ ଓ ଅନ୍ୟାନ୍ୟ ଉପଚାର କରି ସାଇତି ରଖାଯାଇଛି । ଦୁଇଟି ଲୌହ ଖୁଣ୍ଟ ଉପରେ ଗୋଟିଏ ଲୁହାର ବିମ୍‍ ରହିଛି ଓ ତାହା ତଳକୁ ଫାଶୀ ମଞ୍ଚର ଏକ ଝୁଲା ପଟା ମଧ୍ୟ ଅଛି ।

ବଲାଙ୍ଗିର ଜେଲରେ ପ୍ରାୟ ୧୬୫ବର୍ଷ ତଳେ ପ୍ରଖ୍ୟାତ ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ଭାଇ ଉଜ୍ୱଳ ସାଏଙ୍କୁ ଫାଶୀ ଦିଆଯାଇଥିଲା । ରାଜତନ୍ତ୍ର ଓ ବ୍ରିଟିଶ ଶାସନ ସମୟରେ ବଲାଙ୍ଗିର ଜେଲରେ ଆଉ କେତେକ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ କରାଯାଇଥିଲେ ମଧ୍ୟ ଏବେ ଏଠାରେ ମଞ୍ଚରୁ ଫାଶୀଖୁଣ୍ଟକୁ କାଢି ଅନ୍ୟତ୍ର ସାଇତି ରଖାଯାଇଛି । ଉଭୟ ବଲାଙ୍ଗିର ଓ ବ୍ରହ୍ମୁପର ଜେଲରେ ଥିବା ଫାଶୀଖୁଣ୍ଟକୁ ଦେଖିବାପାଇଁ ଜେଲ ଭିତରର ବନ୍ଦୀମାନଙ୍କୁ ମଧ୍ୟ ଅନୁମତି ଦିଆଯାଉନାହିଁ । (ତଥ୍ୟ)

LEAVE A REPLY

Please enter your comment!
Please enter your name here