Home Covid ୨୫ ଦିନରେ ୧୮ ଗୁଣ ବଢ଼ିଛି କରୋନା

୨୫ ଦିନରେ ୧୮ ଗୁଣ ବଢ଼ିଛି କରୋନା

ଭୁବନେଶ୍ୱର : ଓଡ଼ିଶାରେ ଚିହ୍ନିତ ହେଉଥିବା କରୋନା ରୋଗୀଙ୍କ ସଂଖ୍ୟା ୨୫ ଦିନରେ ପ୍ରାୟ ୧୮ଗୁଣ ବଢ଼ିଛି । ଏହି ହାର ଅବ୍ୟାହତ ରହିଲେ ମଇ ମାସ ଶେଷ ବେଳକୁ ରାଜ୍ୟର ସ୍ଥିତି ସାଙ୍ଘାତିକ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଥିବା ବେଳେ ସମ୍ଭାବ୍ୟ ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତୁରା ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ସରକାରୀ ତଥ୍ୟ ମୁତାବକ ଚଳିତ ମାସ ୨ ତାରିଖରେ ୪୬୧ ଜଣ କରୋନା ସଂକ୍ରମିତ ଓଡ଼ିଶାରେ ଚିହ୍ନିତ ହୋଇଥିବା ବେଳେ ୨୮ ତାରିଖରେ ଏହି ସଂଖ୍ୟା ୮୩୮୬ରେ ପହଞ୍ଚିଛି । ଅର୍ଥାତ୍‍ ଏହି ସମୟ ମଧ୍ୟରେ ସଂକ୍ରମଣ ଅନ୍ୟୁନ ୧୮ ଗୁଣ ବଢ଼ିଛି । ଚଳିତ ମାସ ୭ ତାରିଖରେ ୭୯୧ ଜଣ ସଂକ୍ରମିତ ଚିହ୍ନିତ ହୋଇଥିବା ବେଳେ ୧୭ ତାରିଖରେ ଏହି ସଂଖ୍ୟା ୩୧୪୪ ଓ ୨୮ ତାରିଖରେ ୮୩୮୬ରେ ପହଞ୍ଚିଥିଲା ।

ତେବେ ୨୯ ତାରିଖର ଚିହ୍ନିତ ସଂକ୍ରମିତଙ୍କ ସଂଖ୍ୟା କିନ୍ତୁ ୬୯୯୮କୁ ହ୍ରାସ ପାଇଛି । ଏଠାରେ ଉଲ୍ଲେଖନୀୟ ଯେ ଚଳିତମାସ ୨ ତାରିଖରେ ସମଗ୍ର ରାଜ୍ୟରେ ୨୬,୭୦୯ଟି କରୋନା ପରୀକ୍ଷଣ କରାଯାଇଥିବା ବେଳେ ଏହି ସଂଖ୍ୟା ୨୩ ତାରିଖରେ ୪୦,୫୮୫ ଓ ୨୮ ତାରିଖରେ ୪୨,୪୦୧ ଥିଲା । ଆଜିର ତଥ୍ୟ ଅନୁଯାୟୀ ୪୪,୦୬୪ ଲୋକଙ୍କ କରୋନା ପରୀକ୍ଷା ହୋଇଛି ।

ଚଳିତ ଏପ୍ରିଲ୍‍ ୨୮ ସୁଦ୍ଧା ରାଜ୍ୟରେ ମୋଟ୍‍ ୫୫,୨୪୫ ଜଣ ସଂକ୍ରମିତ ଚିକିତ୍ସାଧୀନ ଥିବା ବେଳେ ଆଜିସୁଦ୍ଧା ଏହି ସଂଖ୍ୟା ୫୭,୭୧୦ରେ ପହଞ୍ଚିଛି । ସଂଖ୍ୟାଧିକ ସଂକ୍ରମିତ ଚିକିତ୍ସାରେ ସୁସ୍ଥ ହେଉଥିବା ବେଳେ ରୋଗୀ ସଂଖ୍ୟା କିନ୍ତୁ ଦିନକୁ ୨ହଜାରରୁ ଅଢ଼େଇ ହଜାର ପର୍ଯ୍ୟନ୍ତ ବଢ଼ୁଛି । ଏହାକୁ ଆଖି ଆଗରେ ରଖି ପ୍ରତି ଜିଲ୍ଲାରେ ପୁଣି କୋଭିଡ୍‍ ହସ୍ପିଟାଲ ମାନ ଖୋଲାଯାଉଛି । ତେବେ ଛତିଶଗଡ଼ ଓ ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତର୍ୀ ଜିଲ୍ଲା ଏବଂ ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଅଧିକ ସଂଖ୍ୟକ କୋଭିଡ୍‍ ହସ୍ପିଟାଲମାନ ଖୋଲା ଚାଲିଛି ।

ଏଠାରେ ଉଲ୍ଲେଖନୀୟ ଯେ ଗତବର୍ଷ ମାର୍ଚ୍ଚ ୨୪ରେ ପର୍ଯର୍୍ୟାୟ ଲକ୍‍ଡାଉନ୍‍ ଓ ଏପ୍ରିଲ୍‍ ୧୫ରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ଘୋଷଣା କରାଯାଇଥିବା ବେଳେ ମଇ ୪ ତାରିଖରେ ତୃତୀୟ ଓ ୧୮ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଲକ୍‍ଡାଉନ୍‍ ଘୋଷଣା କରାଯାଇଥିଲା । ମୋଟାମୋଟି ଭାବେ ୨୦୨୦ମାର୍ଚ୍ଚ ୨୪ରୁ ମଇ ଶେଷ ପର୍ଯ୍ୟନ୍ତ ସାରା ଦେଶରେ ଲକ୍‍ଡାଉନ୍‍ ବଳବତ୍ତର ରହିଥିଲା ।

ଗତବର୍ଷ ମାର୍ଚ୍ଚ ୨୪ରେ ଲକ୍‍ଡାଉନ୍‍ ଘୋଷଣା ବେଳକୁ ଓଡ଼ିଶାରେ ମାତ୍ର ୨ ଜଣ କରୋନା ସଂକ୍ରମିତ ଚିହ୍ନିତ ହୋଇଥିଲେ ଏବଂ ଏପ୍ରିଲ୍‍ ୮ ତାରିଖରେ ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ଜଣାପଡ଼ିଥଇଲା । ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ଘୋଷଣା ବେଳକୁ ଗତବର୍ଷ ଏପ୍ରିଲ୍‍ ୧୫ ତାରିଖ ସୁଦ୍ଧା ଓଡ଼ିଶାରୁ ମୋଟ୍‍ ୬୦ ଜଣ କରୋନା ସଂକ୍ରମିତ ଚିହ୍ନିତ ହୋଇଥିବା ବେଳେ ସେମାନଙ୍କ ଭିତରୁ ୩୯ ଜଣ ଥିଲେ ଭବନେଶ୍ୱରର ।

ସେହିଭଳି ତୃତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ବେଳକୁ ୨୦୨୦ ମଇ ୪ ତାରିଖ ସୁଦ୍ଧା ଓଡ଼ିଶାରେ ଚିହ୍ନିତ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୦ ଥିବା ବେଳେ ସେଥିମଧ୍ୟରୁ ଭୁବନେଶ୍ୱରର ଥିଲେ ୧୦୯ ଜଣ । ଶେେ ପର୍ଯ୍ୟାୟ ଲକ୍‍ଡାଉନ୍‍ ଗତବର୍ଷ ମଇ ୧୮ ତାରିଖରେ ଘୋଷଣା କରାଯିବା ପୂର୍ବରୁ ଓଡ଼ିଶାରେ ଚିହ୍ନିତ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୭ ଜଣ ଆରୋଗ୍ୟ ଲାଭ କରିଥିଲେ ଓ ୭ ଜଣଙ୍କ ମୃତ୍ୟୁ ଘଟିଥିଲା । ସେତେବେଳ ସୁଦ୍ଧା ଭୁବନେଶ୍ୱରରେ ଚିହ୍ନିତ ସଂକ୍ରମିତଙ୍କ ସଂଖ୍ୟା ସର୍ବବୋଟ୍‍ ୫୯୫ରେ ଥିବା ପରିସଂଖ୍ୟାନରୁ ଜଣାପଡ଼ିଛି ।

ଗତବର୍ଷ ତୁଳନାରେ ଏ ବର୍ଷର କରୋନା ସ୍ଥିତି ଭାରତରେ ସାଙ୍ଘାତିକ ହୋଇଛି । ଏବେ ଆମ ଦେଶରେ ଚିହ୍ନିତ ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ପୃଥିବୀରେ ସର୍ବାଧିକ ରହିଛି । ତେବେ ତୁଳନାତ୍ମକ ଭାବେ ଅନ୍ୟ ବହୁ ରାଜ୍ୟ ତୁଳନାରେ ଓଡ଼ିଶାର କରୋନା ସ୍ଥିତି ଢେର୍‍ କମ୍‍ ଥିବାବେଳେ ପଡ଼ୋଶୀ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଯୋଗୁ କରୋନା ସଂକ୍ରମଣ ବୃଦ୍ଧି ପାଉଛି । (ତଥ୍ୟ)