Home General ୨୫ହଜାର ନେଲେଣି ନିଶା ନିବାରଣ ପରାମର୍ଶ

୨୫ହଜାର ନେଲେଣି ନିଶା ନିବାରଣ ପରାମର୍ଶ

ଭୁବନେଶ୍ୱର : ଗୋଟିଏ ବର୍ଷରେ ୨୫ହଜାରରୁ ଅଧିକ ବ୍ୟକ୍ତିଙ୍କୁ ନିଶା ନିବାରଣ ଚିକିତ୍ସା ଓ ପରାମର୍ଶ ଯୋଗାଇ ଦିଆଯାଇଛି । ଏମାନଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ଢେଙ୍କାନାଳ ଜିଲ୍ଲାରୁ ।

ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ନିଶା ନିବାରଣ କେନ୍ଦ୍ରମାନଙ୍କ ଦ୍ୱାରା ମୋଟ୍‍ ୨୫,୬୩୦ଜଣ ବ୍ୟକ୍ତିଙ୍କୁ ନିଶା ନିବାରଣ ଚିକିତ୍ସା ପରାମର୍ଶ ଯୋଗାଇ ଦିଆଯାଇଛି ।

ଏହି ବ୍ୟକ୍ତିଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରୁ ସର୍ବାଧିକ ୨୯୭୭ ଜଣ ଥିବାବେଳେ ଖୋରଧାରୁ ୨୦୨୧, ପୁରୀରୁ ୨୦୧୨, ଗଞ୍ଜାମରୁ ୧୫୬୪, ନୟାଗଡରୁ ୧୪୨୫, କଟକରୁ ୧୩୭୫, ସମ୍ବଲପୁରରୁ ୧୩୪୮, ଅନୁଗୁଳରୁ ୧୨୮୬ ଜଣ ରହିଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ପରାମର୍ଶ ଗ୍ରହଣ କରିଥିବା ନିଶାଡିଙ୍କ ସଂଖ୍ୟା ତିନି ଅଙ୍କରେ ଥିବାବେଳେ ସବୁଠାରୁ କମ୍‍ ସୁନ୍ଦରଗଡରେ ମାତ୍ର ୨୩୯ ଜଣ ରହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମାଦକ ଦ୍ରବ୍ୟ ବ୍ୟବହାର ହ୍ରାସ, ନିଶା ନିବାରଣ ପାଇଁ ରାଜ୍ୟ ସରକାର ଦିଶା ନାମରେ ଏକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ନିଶା ନିବାରଣ ଅଭିଯାନ, ଦକ୍ଷତା ତାଲିମ, ପରାମର୍ଶ ଓ ତାଲିମ କେନ୍ଦ୍ର, ନିଶା ନିବାରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ପୁରୀ ଓ ଜଟଣୀ ଠାରେ ୨ଟି ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା ଲାଗି ୧୩ କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରାଯାଇଛି ।

ନିଶାଗ୍ରସ୍ତ ବ୍ୟକ୍ତିଙ୍କ ଚିହ୍ନଟ ଓ ଚିକିତ୍ସା ପାଇଁ ୨୯ଟି ଜିଲ୍ଲାରେ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ୪୧ଟି ନିଶା ନିବାରଣ କେନ୍ଦ୍ର କାର୍ଯ୍ୟ କରୁଛି । ଏହାଛଡା ୮ଟି ଓଡିଆଇସି ଓ ୪ଟି ସିପିଏଲ୍‍ଆଇ କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଛି । ସମ୍ପ୍ରସାରଣ ଓ ଚିହ୍ନଟ କେନ୍ଦ୍ର ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା ସହିତ ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଚିକିତ୍ସାକେନ୍ଦ୍ରମାନଙ୍କୁ ପଠାଇବାର ବ୍ୟବସ୍ଥା କରାଯାଇଛି । ସମଗୋଷ୍ଠି ସହଯୋଗ ହସ୍ତକ୍ଷେପ କେନ୍ଦ୍ର ବା ସିପିଏଲ୍‍ଆଇ ମାଧ୍ୟମରେ ନିଶାଗ୍ରସ୍ତ ବ୍ୟକ୍ତିଙ୍କ ଚିହ୍ନଟ ଓ ଚିକିତ୍ସାପାଇଁ ସରକାର ନିରନ୍ତର କାର୍ଯ୍ୟକ୍ରମର ବ୍ୟବସ୍ଥା କରିଛନ୍ତି । (ତଥ୍ୟ)