Home Energy ଟାଟା ପାୱାର କମାଇଛି ୧୩୨୧ କର୍ମଚାରୀ

ଟାଟା ପାୱାର କମାଇଛି ୧୩୨୧ କର୍ମଚାରୀ

ଭୁବନେଶ୍ୱର : ରାଜ୍ୟରେ ଟାଟା ପାୱାର ହାତକୁ ବିଦ୍ୟୁତ୍‍ ବିତରଣ ଯିବା ପରେ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇଛି । ୧୩ଶହରୁ ଅଧିକ କର୍ମଚାରୀ ହ୍ରାସ ହୋଇଥିବା ରାଜ୍ୟ ବିଧାନସଭାରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଟାଟା ପାୱାର ହାତକୁ ବିତରଣ ବ୍ୟବସ୍ଥା ଯିବା ସମୟରେ ବିଦ୍ୟୁତ୍‍ ବିତରଣ କମ୍ପାନୀଗୁଡିକରେ ୧୧,୫୯୯ କର୍ମଚାରୀ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୧୦,୨୭୮କୁ କମି ଆସିଛି । ପ୍ରାୟ ସମସ୍ତ ଜିଲ୍ଲାରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇଛି ।

ଟାଟା ପାୱାର ହାତରେ ଥିବା ୪ଟି ବିତରଣ ସଂସ୍ଥା ମଧ୍ୟରୁ ଟିପିସିଓଡିଏଲ୍‍ରେ ୫୩୫ କର୍ମଚାରୀ ହ୍ରାସ ପାଇଥିବାବେଳେ ଟିପିଏନ୍‍ଓଡିଏଲ୍‍ରେ ୧୩୫, ଟିପିଏସ୍‍ଓଡିଏଲ୍‍ରେ ୩୨୯ ଏବଂ ଟିପିଡବ୍ଲ୍ୟୁଓଡିଏଲ୍‍ରେ ୩୨୨ ଜଣ କର୍ମଚାରୀ କମିଛନ୍ତି । ଟିପିସିଓଡିଏଲ୍‍ ଅଧିନରେ ଥିବା ଖୋରଧା ଜିଲ୍ଲାରେ କର୍ମଚାରୀ ସଂଖ୍ୟା ୧୬୯୬ରୁ ୧୫୨୭କୁ ହ୍ରାସ ପାଇଥିବାବେଳେ ପୁରୀ ଜିଲ୍ଲାରେ ଏହା ୨୦୫ରୁ ୧୭୧, କଟକରେ ୧୨୦୨ ରୁ ୧୧୦୧, ଜଗତ୍‍ସିଂହପୁରରେ ୩୫୫ରୁ ୩୦୬, କେନ୍ଦ୍ରାପଡାରେ ୩୪୯ରୁ ୩୦୯, ଅନୁଗୁଳୁରେ ୩୪୦ ରୁ ୩୨୧ ଏବଂ ଢେଙ୍କାନାଳରେ ୨୨୭ରୁ କର୍ମଚାରୀ ସଂଖ୍ୟା ୨୧୮କୁୁ ହ୍ରାସ ପାଇଛି ।

ସେହିଭଳି ଟିପିଏନ୍‍ଓଡିଏଲ୍‍ ଅଧିନରେ ଥିବା ବାଲେଶ୍ୱରରେ କର୍ମଚାରୀ ସଂଖ୍ୟା ୭୭୮ରୁ ୭୫୨କୁ ହ୍ରାସ ପାଇଥିବାବେଳେ ଭଦକ୍ରରେ ୩୦୧ ରୁ ୨୮୯, ମୟୁରଭଞ୍ଜରେ ୪୩୮ରୁ ୩୯୯, ଯାଜପୁରରେ ୩୦୩ରୁ ୨୮୩ ଏବଂ କେନ୍ଦୁଝରରେ ୩୩୮ରୁ ୩୦୦କୁ ହ୍ରାସ ପାଇଛି ।

ଟିପିଏସଓଡିଏଲ୍‍ ଅଧିନରେ ଥିବା ଗଞ୍ଜାମ ଜିଲ୍ଲାରେ କର୍ମଚାରୀ ସଂଖ୍ୟା ୧୦୯୦ ରୁ ୧୦୦୦କୁ କମିଥିବାବେଳେ କୋରାପୁଟରେ ୨୫୦ରୁ ୨୨୬, ରାୟଗଡାରେ ୨୩୩ରୁ ୨୦୧ ଏବଂ ନବରଙ୍ଗପୁର ଜିଲ୍ଲାରେ ୧୧୩ରୁ ୯୩କୁ ହ୍ରାସ ପାଇଛି । ଅନ୍ୟ ଜିଲ୍ଲା ଯଥା ଗଜପତି, ବୌଦ ଓ କନ୍ଧମାଳ ଆଦିରେ ବି କର୍ମଚାରୀ କମିଛନ୍ତି ।

ଟିପିଡବ୍ଲ୍ୟୁଓଡିଏଲ୍‍ ଅଧିନରେ ଥିବା ୯ଟି ଜିଲ୍ଲାରେ ବି ବିଦ୍ୟୁତ୍‍ କର୍ମଚାରୀ କମିଛନ୍ତି । ବଲାଙ୍ଗିରରେ କର୍ମଚାରୀସଂଖ୍ୟା ୩୪୮ରୁ ୨୮୬କୁ ହ୍ରାସ ପାଇଥିବାବେଳେ ସମ୍ବଲପୁରର ୪୬୯ରୁ ୪୨୧କୁ କମିଆସିଛି । ସୁନ୍ଦରଗଡରେ କର୍ମଚାରୀ ସଂଖ୍ୟା ୫୭୬ ରୁ ୫୧୮କୁ ହ୍ରାସପାଇଛି ।

ମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ବିଦ୍ୟୁତ୍‍ ବିତରଣ କରିବାପାଇଁ ଟାଟା ପାୱାରର ୪ଟି ବିତରଣ କମ୍ପାନୀକୁ ୨୫ ବର୍ଷିଆ ଲାଇସେନ୍ସ ପ୍ରଦାନ କରାଯାଇଛି । ଟାଟା ପାୱାର ହାତକୁ ବିତରଣ ଦାୟିତ୍ୱ ଯିବାପରେ ଓଇଆରସି ଦୁଇଥର ବିଦ୍ୟୁତ୍‍ ଦର ବୃଦ୍ଧି କରିଛନ୍ତି । ତେବେ କୃଷି କ୍ଷେତ୍ର ଓ କୁଟୀରଜ୍ୟୋତି ଯୋଜନାରେ ବିଦ୍ୟୁତ୍‍ ଦର ବୃଦ୍ଧି ହୋଇନାହିଁ । (ତଥ୍ୟ)