Home Excise ୨୩ ଦିନରେ ୪୧୪୧ ନିଶା ମାଫିଆ ଗିରଫ

୨୩ ଦିନରେ ୪୧୪୧ ନିଶା ମାଫିଆ ଗିରଫ

ଭୁବନେଶ୍ୱର : ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ମଦ ମାଫିଆ, ବେଆଇନ ବ୍ରାଉନସୁଗାର ବେପାରୀ ଓ ଗଞ୍ଜେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ଏଥି ଯୋଗୁ ରାଜ୍ୟରେ ମଦ, ଗଞ୍ଜେଇ ଓ ହେରୋଇନ ଜବତ ପରିମାଣ ଯଥେଷ୍ଟ ବୃଦ୍ଧି ପାଇଛି।

ଚଳିତ ମାସରେ ୨୩ ତାରିଖ ପର୍ଯ୍ୟନ୍ତ ୨,୪୯,୫୧୦ ଲିଟର ଦେଶୀ ମଦ, ୮୭ଲିଟର ନକଲି ବିଦେଶୀ ମଦ, ୫୩ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୨,୬୧୩ଲିଟର ଭାରତ ତିଆରି ବିଦେଶୀ ମଦ, ୧୫,୧୧୬ ଲିଟର ବିୟର, ୫୩୦୫ଲିଟର ମହୁଲି ମଦ, ୪୧୦ କିଲୋ ଭାଙ୍ଗ, ୧୮୫୨ ଲିଟର ଆସ୍କା ଫଟି, ଓ ୮୪,୧୬୩ କେଜି ମହୁଆ ଫୁଲ ଏବଂ ୪୩୪ଟି ଗାଡି ଜବତ ହୋଇଛି । ଏହିସବୁ ଘଟଣାରେ ୪୯୭୬ଟି ମମାଲା ରୁଜୁ ସହିତ ୪୧୪୧ ଜଣ ମଦ ମାଫିଆଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ବେଆଇନ ଗଞ୍ଜେଇ, ହେରୋଇନ୍ ଓ କଫ୍ ସିରପ୍ ମାଫିଆଙ୍କ ବିରୋଧରେ ଚାଲିଥିବା ନିରନ୍ତର ଓ ଜୋରଦାର ଅଭିଯାନ ମଧ୍ୟ ବହୁତ ଭଲ ଫଳାଫଳ ଦେଇଛି। ଏହି ଘଟଣାରେ ୧୧୪ ଟି ମାମଲା ରୁଜୁ ହୋଇଥିବା ବେଳେ୧୩୦ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ୨୯୫୧ କେଜି ଗଞ୍ଜେଇ, ୬୬ଲିଟର କଫ ସିରପ ଓ ୨୫୫୮ ଗ୍ରାମ ହେରୋଇନ୍ ଜବତ କରାଯାଇଛି। ଜବତ ମଦ, ଗଞ୍ଜେଇ ଓ ହେରୋଇନ୍ ଇତ୍ୟାଦିର ମୋଟ ମୂଲ୍ୟ ୨୫ କୋଟି ଟଙ୍କା ହେବବୋଲି ଆକଳନ କରାଯାଇଛି ।

ଏହି ସମୟ ମଧ୍ୟରେ ଯେଉଁ କେତକ ଗୁରୁତ୍ବପୂର୍ଣ୍ଣ ଚଢଉ ଓ ସାମଗ୍ରୀ ଜବତ ହୋଇଛି ସେଥି ମଧ୍ୟରେ ସମ୍ବଲପୁର ସ୍ପେଶାଲ ସ୍କ୍ଵାଡ୍ ପକ୍ଷରୁ ୨୩୫୨ଲିଟର ବିୟର ଓ ଗୋଟିଏ ଟ୍ରକ୍, କଟକ ଅଧିକାରୀଙ୍କ ଦ୍ୱାରା ୨୮୦୦ ଲିଟର ବେଆଇନ ମଦ, ଗୋଟିଏ ଚାରି ଚକିଆ ଯାନ ଓ ବାଲେଶ୍ବର ଅବକାରୀ ଅଧିକାରୀଙ୍କ ଦ୍ବାରା ୧୪୫୦ ଲିଟର ଓ ୧୦୫୦ ଲିଟର ବେଆଇନ ମଦ ସହ ଗୋଟିଏ ଚାରି ଚକିଆ ଓ ୨ଟି ଦୁଇ ଚକିଆ ଯାନ ଏବଂ ବୌଦ୍ଧ କର୍ମଚାରୀଙ୍କ ଦ୍ୱାରା ୧୦୭୫ କେଜି ଗଞ୍ଜେଇ ଜବତ କରାଯାଇଛି। ବିଭିନ୍ନ ଜିଲ୍ଲାରେ ରେକର୍ଡ ପରିମାଣର ୧୫ ଲକ୍ଷ ୮୪ ହଜାର ୪୫୦ଲିଟର ମହୁଆ/ମଦପ୍ରସ୍ତୁତ ପାଇଁ ଥିବା ପୋଚ ନଷ୍ଟ କରାଯାଇଛି, ଯାହା ବେଆଇନ ମଦ କାରବାରକୁ ବହୁ ମାତ୍ରାରେ ରୋକିବାରେ ସହାୟକ ହୋଇଛି।