Home News in Odia ୨୦ ପ୍ରତିଶତରୁ ଅଧିକ ବିଦ୍ୟୁତ୍‍ ନଷ୍ଟ

୨୦ ପ୍ରତିଶତରୁ ଅଧିକ ବିଦ୍ୟୁତ୍‍ ନଷ୍ଟ

ଭୁବନେଶ୍ୱର : ଗ୍ରିଡ୍‍କୋ ବିଭିନ୍ନ ଉତ୍ସରୁ ଯେତିକି ବିଜୁଳି କିଣୁଛି ତାହାର ୨୦ ପ୍ରତିଶତରୁ ଅଧିକ ନଷ୍ଟହୋଇ ଯାଉଛି । ବର୍ଷକୁ ପାଖପାଖି ୬୦୦୦ ନିୟୁତ ୟୁନିଟ୍‍ ବିଜୁଳି ନଷ୍ଟ ହେଉଥିବା ଶକ୍ତି ମନ୍ତ୍ରୀ ଦର୍ଶାଇଛନ୍ତି ।

ବିଜୁଳି ନଷ୍ଟ ସଂକ୍ରାନ୍ତରେ ବିଜେଡି ବିଧାୟକ ପ୍ରଫୁଲ ସାମଲ ପଚାରିଥିବା ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଦର୍ଶାଇଛନ୍ତି ଯେ ୨୦୧୯-୨୦ବର୍ଷରେ ଗ୍ରିଡ୍‍କୋ ୨୮,୩୫୩ ନିୟୁତ ୟୁନିଟ୍‍ ବିଜୁଳି କିଣିଥିବାବେଳେ ଏଥିରୁ ୨୦.୮ ପ୍ରତିଶତ ଅର୍ଥାତ୍‍ ୫୯୦୦ ନିୟୁତ ୟୁନିଟ୍‍ ବିଜୁଳି ନଷ୍ଟ ହୋଇଥିଲା । ସେହିଭଳି ଚଳିତ ଆର୍ôଥକ ବର୍ଷରେ ଡିସେମ୍ବର ଶେଷ ସୁଦ୍ଧା ଗ୍ରିଡ୍‍କୋ କିଣିଥିବା ବିଜୁଳିର ୨୨.୨ ପ୍ରତିଶତ ଅର୍ଥାତ୍‍ ୫୩୨୦ ନିୟୁତ ୟୁନିଟ୍‍ ବିଜୁଳି ନଷ୍ଟ ହୋଇଯାଇଛି । ଏହି ସମୟରେ ଗ୍ରିଡ୍‍କୋ ୨୩,୯୪୯ ନିୟୁତ ୟୁନିଟ୍‍ ବିଜୁଳି କିଣିଥିବା ଜଣାଯାଇଛି ।

କ୍ଷତି ରୋକିବାପାଇଁ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ସ୍ମାର୍ଟ ବିଲିଂ ସହିତ ମିଟର ନଥିବା ସ୍ଥାନରେ ମିଟର ବସାଇବା ବ୍ୟବସ୍ଥା କରାଯାଉଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ବିଲ୍‍ ବଣ୍ଟନ ଓ ଦେୟ ଆଦାୟ କାର୍ଯ୍ୟରେ ନିୟୋଜିତ, ଏନର୍ଜି ଅଡିଟ୍‍ ପାଇଁ ସମସ୍ତ ଫିଡରରେ ମିଟର ବସାଇବା ଆଦି କାର୍ଯ୍ୟ କରାଯାଉଛି ।

ବିଦ୍ୟୁତ୍‍ ଚୋରି ସଂକ୍ରାନ୍ତରେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପଚାରିଥିବା ଅନ୍ୟଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ଶ୍ରୀ ମିଶ୍ର ଦର୍ଶାଇଛନ୍ତି ଯେ ସର୍ବାଧିକ ବିଜୁଳି ଚୋରି ଟିପିଡବ୍ଲ୍ୟୁଓଡିଏଲ୍‍ ଇଲକାରେ ହେଉଛି । ଏହି ବଣ୍ଟନକାରୀ ସଂସ୍ଥାର ଚୋରି ପରିମାଣ ୧୨ ପ୍ରତିଶତ ଥିବାବେଳେ ଟିପିଏସ୍‍ଓଡିଏଲ୍‍ର ୧୦ପ୍ରତିଶତ, ନେସ୍କୋର ୭.୦୯ ପ୍ରତିଶତ ଓ ଟିପିସିଓଡିଏଲ୍‍ର ୬.୧୫ ପ୍ରତିଶତ ରହିଛି ।

ବିଜୁଳି ଚୋରି ରୋକିବାପାଇଁ ଏଲ୍‍ ଲାଇନ୍‍ରେ ଖୋଲା ବିଦ୍ୟୁତ୍‍ ତାର ବଦଳରେ ଏବି କେବୁଲ ବ୍ୟବହାର ହେଉଛି । ସ୍କ୍ୱାଡ୍‍ ମାଧ୍ୟମରେ ନିୟମିତ ମିଟର ଯାଞ୍ଚ ସହିତ ଯେଉଁମାନେ ବେଆଇନ୍‍ ଭାବେ ବିଜୁଳି ତାର ଟାଣିଛନ୍ତି ତାହାକୁ ବାହାର କରିଦିଆଯାଉଛି । ବିଦ୍ୟୁତ୍‍ ଥାନା ତଥା ଦୁର୍ନୀତି ନିବାରଣ ଶାଖାକୁ ସୁଦୃଢ କରରାଯାଇ ବିଦ୍ୟୁତ୍‍ ଚୋରି ରୋକିବାକୁ କର୍ତ୍ତୃପକ୍ଷ ପଦକ୍ଷେପ ନେଉଥିବା ମନ୍ତ୍ରୀ ଶ୍ରୀ ମିଶ୍ର ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here