Home Health ୨୦ ନମୂନାରେ ବ୍ରିଟେନ ଭାଇରସ

୨୦ ନମୂନାରେ ବ୍ରିଟେନ ଭାଇରସ

ନୂଆଦିଲ୍ଲୀ : ବ୍ରିଟେନରେ ଠାବ ହୋଇଥିବା କରୋନାର ପରିବର୍ତ୍ତିତ ଘାତକ ଭାଇରସ୍‍ ସାର୍ସ କୋଭ-୨ ଦେଶର ୨୦ଜଣଙ୍କ ଠାରେ ଚିହ୍ନଟ ହୋଇଛି । ପରୀକ୍ଷା ହୋଇଥିବା ୧୦୭ ନମୂନାରୁ ୨୦ଟିରେ ଏହି ଭାଇରସ୍‍ ମିଳିଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

ବ୍ରିଟେନର ଏହି ଘାତକ ଭାଇରସକୁ ଠାବ କରିବାପାଇଁ କେନ୍ଦ୍ର ସରକାର ଇଣ୍ଡିଆନ ସାର୍ସ କୋଭ-୨ ଜେନୋମିକ୍ସ କନସରୋଟିୟମ (ଆଇଏନ୍‍ଏସ୍‍ଏସିଓଜି) ଗଠନ କରିଛନ୍ତି । ଏଥିରେ ଦେଶର ୧୦ଟି ଲାବ୍‍କୁ ନିଆଯାଇଥିବାବେଳେ ସେଥି ମଧ୍ୟରେ ଆଇଏଲ୍‍ଏସ୍‍ ଭୁବନେଶ୍ୱର, ଏନ୍‍ଆଇବିଏମ୍‍ଜି କୋଲକତା, ଏନ୍‍ଆଇଭି ଓ ସିସିଏସ୍‍ ପୁନେ, ସିସିଏମ୍‍ବି ଓ ସିଡିଏଫ୍‍ଡି ହ୍ରାଇଦ୍ରାବାଦ, ଇନ୍‍ଷ୍ଟିମ୍‍ ଓ ନିମ୍‍ହାନ୍ସ ବେଙ୍ଗାଲୁର, ଆଇଜିଆଇବି ଓ ଏନ୍‍ସିଡିସି ଦିଲ୍ଲୀ ଆଦି ରହିଛି ।

ଚିହ୍ନଟ ହୋଇଥିବା ୨୦ଟି ନମୂନା ମଧ୍ୟରୁ ସର୍ବାଧିକ ୮ଟି ଦିଲ୍ଲୀର ଏନ୍‍ସିଡିସି ଲାବ୍‍ରୁ ଠାବ ହୋଇଥିବାବେଳେ ନିମ୍‍ହାନ୍ସରୁ ୭ଟି, ସିସିଏମ୍ବିରୁ ୨ଟି ଏବଂ କୋଲକାତାର ଏନ୍‍ଆଇଜିବି କଲ୍ୟାଣୀ, ଏନ୍‍ଆଇଭି ପୁନେ ଓ ଆଇଜିଆଇବିରୁ ଗୋଟିଏ କରି ମିଳିଛି ।

ବ୍ରିଟେନର ଏହି ଘାତକ ଭାଇରସ୍‍ ଉପରେ କେନ୍ଦ୍ର ସରକାର ନଜର ରଖିବା ସହିତ ରାଜ୍ୟ ସରକାରଙ୍କ ମାନଙ୍କ ଲାଗି ମାର୍ଗଦର୍ଶିକା ଜାରି କରିଛନ୍ତି । ଏଥିରେ ରାଜ୍ୟମାନେ ସର୍ଭିଲାନ୍ସ, କଣ୍ଟେନମେଣ୍ଟ, ପରୀକ୍ଷା ଏବଂ ଉପରୋକ୍ତ ୧୦ଟି ଲାବକୁ ନମୂନା ପଠାଇବାଲାଗି କୁହାଯାଇଛି ।

ଗତ ୨୪ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ଚିହ୍ନଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୨୦,୫୪୯ ଥିବାବେଳେ ଏହି ସମୟରେ ୨୬,୫୭୨ ଜଣ କୋଭିଡରୁ ମୁକ୍ତ ହୋଇଛନ୍ତି । ଦେଶରେ କରୋନା ସୁସ୍ଥହାର ୯୫.୯୯ ପ୍ରତିଶତ ରହିଛି ଯାହାକି ସମଗ୍ର ବିଶ୍ୱରେ ସର୍ବାଧିକ ।
ବର୍ତ୍ତମାନ ସମଗ୍ର ଦେଶରେ ୨,୬୨,୨୭୨ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ଯାହାକି ମୋଟ ଆକ୍ରାନ୍ତଙ୍କର ମାତ୍ର ୨.୫୬ ପ୍ରତିଶତ । ଭାରତରେ ପ୍ରତି ୧୦ଲକ୍ଷ ଲୋକଙ୍କ ମଧ୍ୟରୁ ମାତ୍ର ୭୪୨୩ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି ଯାହାକି ଋଷିଆ, ଇଟାଲୀ, ବ୍ରିଟେନ, ବ୍ରାଜିଲ, ଫ୍ରାନ୍ସ ଓ ଆମେରିକା ତୁଳନାରେ କମ୍‍ ରହିଛି ।