Home Industry ୨୦୮୨ କୋଟି ର ୧୧ ପ୍ରକଳ୍ପ ଅନୁମୋଦିତ

୨୦୮୨ କୋଟି ର ୧୧ ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି  ବୈଠକରେ ୧୧ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ  ନିତୀଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୦୮୨.୧୭ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩,୬୧୨ ଜଣଙ୍କ ନିମନ୍ତେ  ପ୍ରତକ୍ଷ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।

ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ  ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ  ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର  ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସଂପର୍କିତ ବିଷୟ ଉପସ୍ଥାପନ ପୂର୍ବକ  କହିଥିଲେ ଯେ ପ୍ରକଳ୍ପ ଗୁଡିକ  ମୁଖ୍ୟତଃ  ପର୍ଯ୍ୟଟନ, ଷ୍ଟିଲ୍ ଡ଼ାଉନଷ୍ଟ୍ରିମ୍, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ମାନୁଫାକ୍ଚରିଂ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ  ଆର୍ଥିକ  ଅନ୍ତର୍ଭୁକ୍ତିକରଣ ବୃଦ୍ଧିରେ ସହାୟକ ହେବ । 

ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ  ଦେଇ ସେଗୁଡିକର ତ୍ୱରିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ  ମହାପାତ୍ର  ଗୁରୁତ୍ୱ ଆରୋପ  କରିଥିଲେ । ଏଥି ପାଇଁ  ସମସ୍ତ ପ୍ରକାର  ସହଯୋଗ  ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ  ବିଭାଗମାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ । ବିଶ୍ୱ ପ୍ରସିଦ୍ଧ ଚିଲିକା ଲେକ୍  ନିକଟରେ ଥିବା  ଦ୍ୱୀପରେ ପର୍ଯ୍ୟଟନ  ସୁବିଧା ବିକାଶ ନିମନ୍ତେ  ଘରୋଇ ପୁଞ୍ଜିନିବେଶକୁ  ପ୍ରୋତ୍ସାହିତ  କରିବା ପାଇଁ  ମଧ୍ୟ ଶ୍ରୀ ମହାପାତ୍ର  ପର୍ଯ୍ୟଟନ ବିଭାଗ, ଇଡ଼୍କୋ ଏବଂ ଇପିକଲକୁ  ନିର୍ଦ୍ଦେଶ  ଦେଇଥିଲେ ।

ପୂର୍ବରୁ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ସମୟାନୁବନ୍ଧିତ ନିର୍ମାଣ ଏବଂ ଉତ୍ପାଦନ ଆରମ୍ଭ ଉପରେ ଗୁରୁତ୍ୱ ଆରୋପ କରି ଏହା ଉପରେ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲକୁ ନିର୍ଦ୍ଦେଶ ଦେଇଥିଲେ । ସବୁ ଶିଳ୍ପାନୁଷ୍ଠାନରେ  ଓଡ଼ିଶାରୁ କୌଶଳ ପ୍ରାପ୍ତ(ସ୍କିଲ୍ଡ୍ ଇନ୍ ଓଡିଶା) ଯୁବକଯୁବତୀମାନଙ୍କର ନିଯୁକ୍ତି ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ନିର୍ଦ୍ଧାରିତ ମାନକ ଅନୁସାରେ ଶିଳ୍ପ ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଅନୁଶୀଳନ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ଇପିକଲକୁ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା,ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ  ଶ୍ରୀ ଦେଓ ରଂଜନ କୁମାର ସିଂ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପିନ୍ଦର ସିଂ ପୁନିଆଙ୍କ ସମେତ ସଂପୃକ୍ତ  ବିଭାଗର  ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ  ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।