Home Environment ୨୦୨୧-୨୨ରେ ଦେଢ ଲକ୍ଷ ହେକ୍ଟରରେ ବନୀକରଣ

୨୦୨୧-୨୨ରେ ଦେଢ ଲକ୍ଷ ହେକ୍ଟରରେ ବନୀକରଣ

ଭୁବନେଶ୍ୱର : ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ରାଜ୍ୟରେ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ବନୀକରଣ ଯୋଜନା ଯଥା- ପ୍ରାକୃତିକ ଜଙ୍ଗଲର ପୁନର୍ଜନନ, ନୂତନ ଜଙ୍ଗଲ ସୃଷ୍ଟି, ସହରାଞ୍ଚଳ ବନୀକରଣ, ପଥପାଶ୍ୱର୍ ବନୀକରଣ ଇତ୍ୟାଦି ମାଧ୍ୟମରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ଚାଲୁ ଚାଲୁ ରହିଥିବା କହିଥିଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ରାଜ୍ୟ କାମ୍ପା ଯୋଜନାରେ ୨୮୦ କୋଟି ଟଙ୍କା ବିନିଯୋଗରେ ୪୪ ହଜାର ୫୬୯ ହେକ୍ଟରରେ ୧ କୋଟି ୫୨ ଲକ୍ଷ ୩୫ ହଜାର ଚାରା, ଓଡ଼ିଶା ବନାଞ୍ଚଳ ପ୍ରକଳ୍ପ ମାଧ୍ୟମରେ ୮୯ କୋଟି ଟଙ୍କା ବ୍ୟୟରେ ୨୦ ହଜାର ୨୧୮ ହେକ୍ଟରରେ ୮୨ ଲକ୍ଷ ୩୨ ହଜାର ଚାରା, ଆମ ଜଙ୍ଗଲ ଯୋଜନାରେ ୪୩ କୋଟି ଟଙ୍କା ବ୍ୟୟରେ ୨୦ ହଜାର ହେକ୍ଟରରେ ୪୦ ଲକ୍ଷ ଚାରା, ଜାତୀୟ ବନୀକରଣ ଯୋଜନାରେ ୧୫ କୋଟି ଟଙ୍କା ବିନିଯୋଗରେ ୬ ହଜାର ୬୮୫ ହେକଫରରେ ପରିମିତ ଜାଗାରେ ୨୦ ଲକ୍ଷ ୪୪ ହଜାର ଚାରା ରୋପଣ କରାଯିବା ପାଇଁ ଲକ୍ଷ୍ୟ ରହିଛି ।

ସବୁଜ ଭାରତ ମିଶନ୍‌ରେ ୨୦ କୋଟି ଟଙ୍କା ଖର୍ଚ୍ଚରେ ୭ ହଜାର ୩୧୦ ହେକଫରରେ ୩୦ ଲକ୍ଷ ୨୪ ହଜାର ଚାରା, ଓଡ଼ିଶା ଖଣି ନିଗମ ଦ୍ୱାରା ୪ କୋଟି ଟଙ୍କା ବ୍ୟୟରେ ୬୨୫ ହେକ୍ଟରର ୧୦ ଲକ୍ଷ ଚାରା, ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ୧୪୫ କୋଟି ଟଙ୍କା ବିନିଯୋଗରେ ୫୦ ହଜାର ହେକ୍ଟରରେ ୩ କୋଟି ୨୨ ଲକ୍ଷ ୫୦ ହଜାର ଚାରା, ବନ୍ୟପ୍ରାଣୀ କରିଡୋର ଯୋଜନାରେ ୩ କୋଟି ଟଙ୍କା ବିନିଯୋଗରେ ୪୪୪ ହେକ୍ଟରରେ ୭ ଲକ୍ଷ ୧ ହଜାର ଚାରା, ଅନ୍ୟାନ୍ୟ ଯୋଜନାରେ ୨ କୋଟି ଟଙ୍କା ବିନିଯୋଗରେ ୬୩୦ ହେକ୍ଟରରେ ୨ ଲକ୍ଷ ୪୮ ହଜାର ଚାରାରୋପଣ କରାଯିବ ।

ଚଳିତ ୨୦୨୧-୨୨ ବର୍ଷରେ ରାଜ୍ୟରେ ସର୍ବମୋଟ ବିଭିନ୍ନ ଯୋଜନାରେ ୫୯୯ କୋଟି ଟଙ୍କା ବିନିଯୋଗ କରାଯାଇ୧ ଲକ୍ଷ ୫୦ ହଜାର ୪୮୧ ହେକ୍ଟରରେ ୬ କୋଟି ୬୭ ଲକ୍ଷ ୯୩ ହଜାର ଚାରାରୋପଣ କରାଯିବ ଓ ୩ କୋଟି ୨୧ ଲକ୍ଷ ୬୦ ହଜାର ଚାରା ବଣ୍ଟନ କରାଯିବା ପାଇଁ ଲକ୍ଷ୍ୟ ରହିଛି । ପ୍ରକୃତିର ସୁରକ୍ଷା ଉଦ୍ଦେଶ୍ୟରେ ଆମେ ସମସ୍ତେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଧିକରୁ ଅଧିକ ବୃକ୍ଷଚାରା ରୋପଣ କରି ରାଜ୍ୟକୁ ବିଭିନ୍ନ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଆହ୍ୱାନ ଦେଇଥିଲେ ।

ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଲେ ଯେ, ଚଳିତ ବର୍ଷ ୧୩ କୋଟି ଚାରା ଉତ୍ପାଦିତ ହେବା ଓ ପ୍ରାୟ ସାଢେ ୮ କୋଟି ଚାରାରୋପଣ କରାଯିବା ଲକ୍ଷ୍ୟ ରହିଛି । ଜଙ୍ଗଲ ବିଭାଗ ବନ ମହୋତ୍ସବକୁ ଏକ ଲୋକ ମହୋତ୍ସବରେ ପରିଣତ କରିଛି । ସାରା ରାଜ୍ୟକୁ ସବୁଜିମାମୟ କରିବା ପାଇଁ ବିଭାଗ ଓ ଜନସାଧାରଣଙ୍କ ମିଳିତ ପ୍ରଚେଷ୍ଟା ନିଶ୍ଚିତ ରୂପେ ପ୍ରଶଂସନୀୟ ।

ମୁଖ୍ୟ ଶାସନ ସଚିବ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଡ.ମୋନା ଶର୍ମା କହିଲେ ଯେ, ଜଙ୍ଗଲ ପରିସୀମା କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ଚତୁର୍ଥ । ଆମ ରାଜ୍ୟରେ ୨୭୫ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ଘଟିଛି । ବ୍ୟାପକ ବନୀକରଣ ହେଲେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ପ୍ରତିହତ କରାଯାଇପାରିବ । ତେଣୁ ଅଧିକରୁ ଅଧିକ ବୃକ୍ଷଚାରା ଲାଗଯିବା ଉପରେ ଡ.ଶର୍ମା ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନ ମୁଖ୍ୟ ବନସଂରକ୍ଷକ ଶିଶିର କୁମାର ରଥ ସ୍ୱାଗତ ଭାଷଣ ଦେଇଥିଲେ ଓ ବଡଗଡ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଡ.ପ୍ରଜ୍ଞା ପାରମିତା ଜେନା ଧନ୍ୟବାଦ ଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏହି ବନମହୋତ୍ସବରେ ଉପସ୍ଥିତ ଥିଲେ । ପରେ ପରେ ବଡଗଡ ହାଇସ୍କୁଲ ପରିସରରେ ସମସ୍ତ ଅତିଥିଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା ।