Home News ୨୦ରେ ବିଜେଡ଼ିର ରାଜ୍ୟ କାର୍ଯ୍ୟକାରିଣୀ

୨୦ରେ ବିଜେଡ଼ିର ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ୨୩ ବର୍ଷ ପୂରି ଦଳ ୨୪ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଏହି ଉପଲକ୍ଷେ ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ ଆସନ୍ତା ୨୦ ତାରିଖରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ୨୧ ତାରିଖରେ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ ।

ଏଥିସହ କୋଭିଡ୍ କଟକଣାକୁ ଅନୁପାଳନ କରି ଆସନ୍ତା ୨୬ ତାରିଖରେ ବିଭିନ୍ନ ସ୍ତରରେ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯିବ ବୋଲି ଆଜି ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଏବଂ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ସୂଚନା ପ୍ରଦାନ କରିଛନ୍ତି ।

ଶ୍ରୀ ମିଶ୍ର କହିଛନ୍ତି ଯେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଆଜି ଓଡ଼ିଶାର ବୃହତ୍ତମ ଓ ଏକ ନମ୍ବର ଦଳ ହୋଇପାରିବା ସହ ଭାରତବର୍ଷର ଏକ ଲୋକପ୍ରିୟ ଆଞ୍ଚଳିକ ଦଳରେ ପରିଣତ ହୋଇଛି । ଆସନ୍ତା ୨୬ ତାରିଖରେ ଦଳର ପ୍ରତିଷ୍ଠା ଦିବସ । ଏହାର ଅବ୍ୟବହିତ ପୂର୍ବରୁ କାର୍ଯ୍ୟକାରିଣୀ ବୈଠକ ଏବଂ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ ।

୨୦ ଓ ୨୧ ତାରିଖରେ କାର୍ଯ୍ୟକାରିଣୀ ଏବଂ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ଲାଗି ଦଳର ସଭାପତି ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଦଳର ସାଙ୍ଗଠନିକ ବିଷୟ ଠାରୁ ଆରମ୍ଭ କରି ରାଜନୈତିକ ଓ ଅର୍ଥନୈତିକ ଆଦି ବିଭିନ୍ନ ପ୍ରସଙ୍ଗ ଆଲୋଚିତ ହେବ । ସେହିପରି ୨୬ ତାରିଖରେ ଦଳର ପ୍ରତିଷ୍ଠା ଦିବସ ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀ ଏବଂ ପୌରାଞ୍ଚଳ ସ୍ତରରେ ପାଳନ କରିବା ପାଇଁ ଦଳର ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ଦାସବର୍ମା କହିଛନ୍ତି ଯେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ୨୦ ତାରିଖରେ ଏବଂ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ୨୧ ତାରିଖରେ ଅନୁଷ୍ଠିତ ହେବ । ସେଥିରେ ଦଳର ସମସ୍ତ ବିଧାୟକ, ସାଂସଦ ଏବଂ ରାଜ୍ୟ ପରିଷଦର ସମସ୍ତ ସଦସ୍ୟ ଯୋଗଦେବେ । ଏହି ବୈଠକରେ ସାଙ୍ଗଠନିକ, ଅର୍ଥନୈତିକ ଏବଂ ଅନ୍ୟାନ୍ୟ ବହୁ ପ୍ରସଙ୍ଗ ଉପରେ ରାଜନୈତିକ ଚିଠା ପ୍ରସ୍ତାବ ଗ୍ରହଣ କରାଯିବ । ଏଥିସହ ଦଳର ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ରୂପରେଖ ପ୍ରସ୍ତୁତ ହେବ ଏବଂ ଏ ସମ୍ପର୍କରେ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯିବ ।

ଏହି ପରିପ୍ରେକ୍ଷୀରେ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯିବା ସହ ଆଗାମୀ ଦିନ ପାଇଁ ଦଳର ରଣକୌଶଳ ନିର୍ଦ୍ଧାରଣ କରାଯିବ । ବିଭିନ୍ନ ଦୃଷ୍ଟିକୋଣରୁ ଏହି ଦୁଇଦିନିଆ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ସେହିପରି ୩୨ଟି ସାଙ୍ଗଠନିକ ଜିଲ୍ଲାରେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ସଭ୍ୟ ସଂଗ୍ରହଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସଂକ୍ରାନ୍ତରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯିବ ।

ଶ୍ରୀ ନାୟକ କହିଛନ୍ତି ଯେ ବିଜୁ ବାବୁଙ୍କ ଆଦର୍ଶକୁ ଭିତ୍ତି କରି ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳ ପ୍ରତିଷ୍ଠା କରାଯାଇଥିଲା । ଆଗାମୀ ୨୬ ତାରିଖ ଦିନ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ, ମ୍ୟୁନିସିପାଲିଟି, ଏନଏସି ଏବଂ ଭୁବନେଶ୍ୱର, କଟକ ଭଳି ବଡ଼ ବଡ଼ ସହର ସମେତ ବ୍ଲକ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କୋଭିଡ୍ କଟକଣାକୁ ଅନୁପାଳନ କରି ଦଳର ସମସ୍ତ କାର୍ଯ୍ୟକ୍ରମ ବିଭିନ୍ନ ସ୍ତରରେ ପାଳିତ ହେବ ।