Home Finance ୨୦ଜିଲ୍ଲା ବୁଲିଲାଣି ରାଜସ୍ୱ ରଥ

୨୦ଜିଲ୍ଲା ବୁଲିଲାଣି ରାଜସ୍ୱ ରଥ

ଭୁବନେଶ୍ୱର : କୋଭିଡ୍‌-୧୯ ମହାମାରୀ ସମୟରେ ସରକାରୀ କାର୍ଯ୍ୟାଳୟକୁୁ କିମ୍ବା ଅନ୍ୟ କେନ୍ଦ୍ରକୁ ଲୋକମାନେ ନଆସି ନିରବଚ୍ଛିନ୍ନ ଭାବେ ରାଜସ୍ୱ ସେବା ପାଇବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ସମୟୋପଯୋଗୀ ତଥା ଅଭିନବ ପଦକ୍ଷେପ ସ୍ୱରୂପ ‘ରାଜସ୍ୱ ରଥ’ ମାଧ୍ୟମରେ ସେବା ବିତରଣ କାର୍ଯ୍ୟକ୍ରମ ଚଳିତ ମାସ ଗତ ୧୩ ତାରିଖରେ ଶୁଭାରମ୍ଭ କରାଯାଇଥିଲା ।

ବିଗତ ଦୁଇ ସପ୍ତାହ ଲକ୍‌ଡାଉନ୍‌ ମଧ୍ୟରେ ଏହି କାର୍ଯ୍ୟକ୍ରମ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାର ୧୨୮ରୁ ଊଦ୍ଧ୍ୱର୍ ତହସିଲରେ ସଫଳତାର ସହ ଆରମ୍ଭ କରାଯାଇପାରିଛି । ସହସ୍ରାଧିକ ହିତାଧିକାରୀ ଏହା ଦ୍ୱାରା ଲାଭବାନ ହୋଇଛନ୍ତି । ଉଦାହରଣ ସ୍ୱରୂପ କଳାହାଣ୍ଡି ଜିଲ୍ଲାର ଜୟପାଟଣା ତହସିଲରେ ସପ୍ତାହକ ମଧ୍ୟରେ ଉପକୃତ ହୋଇଛନ୍ତି ୨୧୪ ଜଣ ହିତାଧିକାରୀ ।

ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ ‘ବସୁନ୍ଧରା’ ତଥା ଘରଡିହ ଆଦି ବିବିଧ ପଟ୍ଟା ବଣ୍ଟନ କରାଯାଇଥିବାବେଳେ ୨୫ ଜଣଙ୍କୁ ପଟ୍ଟା ନକଲ ତଥା ୮୯ ଜଣଙ୍କୁ ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଆଦି ବିବିଧ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ନିକଟରେ ଏହି ସେବା ସମଗ୍ର ରାଜ୍ୟରେ ଉପଲବ୍ଧ କରାଇବାର ଲକ୍ଷ୍ୟ ରଖାଯାଇଛି ।

ଲୋକଙ୍କ ନିକଟରେ ପହଞ୍ଚି ‘ରାଜସ୍ୱ ରଥ’ ମାଧ୍ୟମରେ କମ୍ପୁ୍ୟଟର ଓ ଇଣ୍ଟରନେଟ୍‌ ଦ୍ୱାରା ବିଭିନ୍ନ ସେବା ନିମନ୍ତେ ଅନ୍‌ଲାଇନ୍‌ ଆବେଦନଠାରୁ ଆରମ୍ଭ କରି ଦାଖଲଖାରଜ ମାମଲା, କିସମ ପରିବର୍ତ୍ତନ ମାମଲାର ସମାଧାନ, ପଟ୍ଟା ଓ ବିବିଧ ପ୍ରମାଣପତ୍ର ବଣ୍ଟନ ଆଦି ରାଜସ୍ୱ ସେବା ଯୋଗାଇବା ଦ୍ୱାରା ସରକାରୀ କାର୍ଯ୍ୟାଳୟ ସହିତ ଜନସାଧାରଣଙ୍କର ପ୍ରତ୍ୟକ୍ଷ ଯୋଗାଯୋଗକୁ ହ୍ରାସ କରାଯାଇପାରିଛି ।

କୋଭିଡ୍‌-୧୯ ମହାମାରୀ କୋପରୁ ଜନସାଧାରଣ, କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜସ୍ୱ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ବାରଣ ନିର୍ଦ୍ଦେଶନାମାର ପାଳନ କରାଯାଇପାରୁଛି । କୋଭିଡ୍‌-୧୯ ମହାମାରୀ ବିପଦ ସମୟରେ ରାଜସ୍ୱ ସେବା ବିତରଣର ଏହି ଅଭିନବ ଉପାୟ ଜନସାଧାରଣଙ୍କ ଦ୍ୱାରା ବହୁଳ ଭାବେ ଆଦୃତ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here