Home Finance ୧.୧୨ ଲକ୍ଷ କୋଟି ଟପିବ ଋଣ ଭାର

୧.୧୨ ଲକ୍ଷ କୋଟି ଟପିବ ଋଣ ଭାର

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ଏକ ଲକ୍ଷ ୧୨ହଜାର କୋଟି ଟଙ୍କାକୁ ଟପିଯିବ । କାରଣ ଚଳିତବର୍ଷ ସରକାର ପାଖାପାଖି ୧୧ହଜାର କୋଟି ଟଙ୍କା ଋଣ କରିବାକୁ ଯୋଜନା କରିଥିବା ଜଣାଯାଇଛି ।

ଚଳିତ ଆର୍ଥିକ ବର୍ଷ ପ୍ରାରମ୍ଭରେ ଏହି ଋଣ ଭାର ଏକ ଲକ୍ଷ କୋଟିରୁ ସାମାନ୍ୟ ଅଧିକ ଥିବାବେଳେ ଆଗାମୀ ମାର୍ଚ୍ଚ ୩୧, ୨୦୨୩ ବେଳକୁ ଏହା ୧,୧୨,୪୦୧କୋଟି ଟଙ୍କା ହୋଇଯିବ ବୋଲି ଆକଳନ କରାଯାଇଛି । ରାଜ୍ୟ ସରକାର ଯେତିକି ଋଣ କରୁଛନ୍ତି ତାହା ପ୍ରକଳ୍ପ ପ୍ରତିଷ୍ଠା ପାଇଁ ବ୍ୟୟ କରୁଛନ୍ତି । ତେଣୁ ଋଣ ଓ ସୁଧର ବୋଝର ଚାପ ସରକାରଙ୍କ ଉପରେ ପଡୁ ନାହିଁ ।

କାରଣ ଋଣ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବିନିଯୋଗ ହେଉଥିବା ଯୋଗୁଁ ସରକାର ଋଣ ପରିଶୋଧ କରିବା କ୍ଷେତ୍ରରେ ଅସୁବିଧାରେ ପଡୁ ନାହାନ୍ତି । ଯଦି ଋଣ କରି ପ୍ରଶାସନିକ ପ୍ରଶାସନିକ ବ୍ୟୟରେ ବିନିଯୋଗ ହେଉଥାନ୍ତା ତାହେଲେ ସରକାରଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରୁଥାନ୍ତା ।

ମଧ୍ୟମ ମିଆଦୀ ଆକଳନ ଅନୁଯାୟୀ ରାଜ୍ୟର ମୋଟ ଘରୋଇ ଉତ୍ପାଦନ (ଜିଏସ୍‍ଡିପି) ଅନୁପାତରେ ମୋଟ ଋଣ ୨୦୨୫-୨୬ ଆର୍ଥିକ ବର୍ଷରେ ୧୮.୧ ପ୍ରତିଶତ ସ୍ତରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଜିଏସ୍‍ଡିପିର ୨୫ ପ୍ରତିଶତ ମଧ୍ୟରେ ଋଣଭାର ରହିବାକଥା । ତେଣୁ ଏଥିପାଇଁ କର୍ତ୍ତୃପକ୍ଷ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

ରାଜ୍ୟରେ ରାଜସ୍ୱ ଅଭିବୃଦ୍ଧି ଅଧିକ ଭାବେ ହେଉଥିବା ଯୋଗୁଁ ତାହା ସୁଧ ପଇଠ କ୍ଷେତ୍ରରେ ବେଶ୍‍ ସହାୟକ ହେଉଛି । ରାଜ୍ୟର ରାଜସ୍ୱ ଅଭିବୃଦ୍ଧିର ହାର ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ଅଧିକ ରହିଛି । ଦେଶ ଓ ରାଜ୍ୟର ଋଣ ଭାର ସଂକ୍ରାନ୍ତରେ ହୋଇଥିବା ଅନୁଧ୍ୟାନରୁ ଜଣାଯାଏ ଯେ ଓଡିଶାର ଋଣ ଭାର ଜିଏସ୍‍ଡିପିର ୧୫.୮ ପ୍ରତିଶତ ଥିବାବେଳେ ଦେଶର ଋଣ ଭାର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୬୧ ପ୍ରତିଶତରେ ପହଞ୍ଚିଲାଣି ।

ଖୋଲା ବଜାରରୁ ଋଣ ନଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ସହାୟକ ହୋଇଛି । କାରଣ ଖୋଲା ବଜାରରେ ଯେଉଁ ଋଣ ମିଳେ ତାହାକୁ ଉଚ୍ଚ ସୁଧ ହାରରେ ଆଣିବାକୁ ପଡିଥାଏ । ତାହା ନକରି ସ୍ୱଳ୍ପ ସୁଧ ହାରରେ ଯେଉଁସବୁ ସଂସ୍ଥାରୁ ଋଣ ଆଣିହେବ ସେଠାରୁ ଆଣିବାପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୨୦୦୦ ମସିହାରେ ରାଜ୍ୟର ଅର୍ଥନୈତିକ ଅବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ପରିସ୍ଥିତିର ସମ୍ମୁଖୀନ ହୋଇଥଲା । ଗୋଟିଏ ବର୍ଷରେ ୩୬୫ଦିନ ମଧ୍ୟରୁ ୩୬୪ ଦିନ ଓଭରଡ୍ରାଫ୍ଟ କରିବାକୁ ପଡୁଥିଲା । ତେବେ ବର୍ତ୍ତମାନ ଓଭରଡ୍ରାଫ୍ଟ ତ ଦୂରରକଥା ବର୍ଷାଧିକ କାଳ ହେଲା ସରକାର ଖୋଲା ବଜାରରୁ ଋଣ କରୁ ନାହାନ୍ତି ।

ଗତ ଆର୍ଥିକ ବର୍ଷରେ ସରକାର ଖୋଲା ବଜାରରୁ ଟଙ୍କାଟିଏ ମଧ୍ୟ ଋଣ ଉଠାଣ କରିନାହାନ୍ତି । ତେବେ ବୃହତ୍‍ ପ୍ରକଳ୍ପମାନ ପ୍ରତିଷ୍ଠା ପାଇଁ ଯେଉଁ ଋଣ କରୁଛନ୍ତି ତାହା ରାଜ୍ୟ ସରକାର ଓଡିଶା ଖଣିଜ ଅଞ୍ଚଳ ବିକାଶ ନିଗମ (ଓଏମ୍‍ବିଏଡିସି) ପାଣ୍ଠି ଏବଂ କ୍ଷତିପୂରକ ବନୀକରଣ (କାମ୍ପା) ପାଣ୍ଠିରୁ ଋଣ ନେଉଛନ୍ତି, ଯାହା ସ୍ୱଳ୍ପ ସୁଧ ହାରର ଋଣ ଅଟେ ।

୨୦୨୧-୨୨ ମଧ୍ୟରେ ଖୋଲା ବଜାର ୠଣ ପରିମାଣ ଶୂନ ଥିବାବେଳେ ୨୦୨୨-୨୩ ମଧ୍ୟରେ ଏହା ସମାନ ସ୍ତରରେ ରହିବ । କାରଣ ପୁଞ୍ଜି ପ୍ରକଳ୍ପଗୁଡିକ ପାଇଁ ରାଜ୍ୟ ସରକାରଙ୍କ ଶସ୍ତା ଋଣ ଉତ୍ସ ଉପଲବ୍ଧ । ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟ ସରକାରୀ ସଂସ୍ଥା, ପୌରସଂସ୍ଥା ଏବଂ ସମବାୟ ଅନୁଷ୍ଠାନକୁ ମୋଟ ୬୧୪୦.୯୧ କୋଟି ଟଙ୍କା ଋଣ ଗ୍ୟାରେଣ୍ଟି ଦେଇଛନ୍ତି । ଏହା ଜିଏସ୍‍ଡିପିର ୦.୯୬ ପ୍ରତିଶତ । ଏହି ଗ୍ୟାରେଣ୍ଟି ସରକାରଙ୍କ ଋଣ ଭାରର ଅଂଶ ନୁହେଁ । ଏହି ଋଣକୁ ଉପରୋକ୍ତ ସଂସ୍ଥାମାନେ ପରିଶୋଧ କରିଥାନ୍ତି ।

ବର୍ତ୍ତମାନ ପ୍ରାୟ ସମସ୍ତ ଋଣ ସାମାଜିକ ଲାଭଦାୟକ ପୁଞ୍ଜି ପ୍ରକଳ୍ପରେ ବ୍ୟବହୃତ ହୋଇଛି ଯାହା ଅର୍ଥନୈତିକ କାର୍ଯ୍ୟକଳାପ, ନିଯୁକ୍ତି ସୃଷ୍ଟି ଏବଂ ରାଜ୍ୟବାସୀଙ୍କ ଜୀବନ ଧାରଣରେ ଉନ୍ନତି ଆଣିବାପାଇଁ ସହାୟକ ହେଉଛି । ସେହି ଅନୁଯାୟୀ ଭଲ ପ୍ରକଳ୍ପ ଚିହ୍ନଟ କରିବାକୁ ନିଷ୍ପତ୍ତି ନିଆଯାଇଛି ଏବଂ ଋଣ ଅର୍ଥ ବିନିଯୋଗ ପାଇଁ ଚୟନ କରାଯାଇଛି । ତେଣୁ ଅପେକ୍ଷାକୃତ କମ୍‍ ପରିମାଣର ଋଣ, ସ୍ୱଳ୍ପ ସୁଧ ହାରରେ ଋଣ ସଂଗ୍ରହ ଦ୍ୱାରା ରାଜ୍ୟର ଆର୍ଥିକ ସ୍ଥିତି ସୁଦୃଢ ହୋଇପାରିଛି ବୋଲି ସେ କହିଛନ୍ତି । (ତଥ୍ୟ)