Home Judiciary ଓରିଶାରୁ ଓଡ଼ିଶା କେବେ?

ଓରିଶାରୁ ଓଡ଼ିଶା କେବେ?

ଭୁବନେଶ୍ୱର : ସଂସଦରେ ସମ୍ବିଧାନ ସଂଶୋଧନ ବିଲ୍‍ ମାଧ୍ୟମରେ ଆମ ରାଜ୍ୟର ନାମ ଇଂରାଜୀରେ ଓରିଶା ଓ ହିନ୍ଦୀରେ ଉଡିଶାରୁ ଓଡ଼ିଶାକୁ ପରିବର୍ତ୍ତନ ହେବା ସହ ଆମ ଭାଷାର ନାମ ବି ଇଂରାଜୀରେ ଓରିଆରୁ ଓଡ଼ିଆକୁ ସଂଶୋଧିତ ହୋଇଛି । ଇତିମଧ୍ୟରେ ୧୦ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି କଟକରେ ଥିବା ଓଡ଼ିଶାର ହାଇକୋର୍ଟ ନାମ ଆଜିର ଦିନରେ ବି ହାଇକୋର୍ଟ ଅଫ୍‍ ଓରିଶା ରହିଛି । ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ସୁପ୍ରିମକୋର୍ଟ ଓ ରାଜ୍ୟ ହାଇକୋର୍ଟ ଏ ଦିଗରେ ଦୃଷ୍ଟିଦେଇ ହାଇକୋର୍ଟର ନାମ ଓରିଶାରୁ ଓଡ଼ିଶାକୁ ପରିବର୍ତ୍ତନ କରିବା ଲାଗି ଦାବି ଉଠୁଛି ।

ଏ ପ୍ରସଙ୍ଗରେ ଅନ୍ୟତମ ଆଇନଜୀବୀ ପ୍ରହଲ୍ଲାଦ କୁମାର ସିଂହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ କହିଛନ୍ତି ଯେ ଦୀର୍ଘ ଆନ୍ଦୋଳନ ପରେ ୧୯୩୬ ଏପ୍ରିଲ ପହିଲାରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ଏହାର ୧୨ବର୍ଷ ପରେ ୧୯୪୮ ଜୁଲାଇ ୨୬ ତାରିଖରେ ହାଇକୋର୍ଟ ଅଫ୍‍ ଓରିଶା ସ୍ଥାପନ କରାଯାଇଥିଲା, ଯାହାର ୭୫ବର୍ଷ ପୂର୍ତ୍ତି ୨୦୨୩ରେ ପାଳିତ ହେବାକୁ ଯାଉଛି । ଏହା ପୂର୍ବରୁ ହାଇକୋର୍ଟରେ ମାମଲା ରୁଜୁ ପାଇଁ ଓଡ଼ିଶାର ଲୋକଙ୍କୁ ବିହାରର ପାଟନା ଯିବାକୁ ପଡୁଥିଲା ।

ଇଂରାଜୀ ଓ ହିନ୍ଦୀରେ ଆମ ଭାଷା ଓ ରାଜ୍ୟର ନାମକୁ ଇଂରେଜ ଅମଳରୁ ବିକୃତ କରି ଲେଖାଯାଉଥିବାରୁ ବିଭିନ୍ନ ମହଲରୁ ବାରମ୍ବାର ପ୍ରତିବାଦ ହେଉଥିଲା । ଶେଷରେ ଓଡ଼ିଶା ସରକାର ଓଡ଼ିଶାବାସୀଙ୍କ ଦାବିକୁ ଗ୍ରହଣ କରି ୧୧୧ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ୨୦୧୧ରେ ରାଜ୍ୟର ନାମ ଇଂରାଜୀରେ ଓରିଶାରୁ ଓଡ଼ିଶାକୁ ପରିବର୍ତ୍ତିତ ହୋଇଥିଲା । ଇତିମଧ୍ୟରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମଧ୍ୟ ମିଳିସାରିଛି ।

ସମ୍ବିଧାନ ସଂଶୋଧନ ଆଇନ ଆଧାରରେ ଗୋଟିଏ ସରକାରୀ ବିଜ୍ଞପ୍ତି ବଳରେ ସବୁ ଦପ୍ତରରେ ଓରିଶା ସ୍ଥାନରେ ଓଡ଼ିଶା ବ୍ୟବହୃତ ହେଲା, ଏମିତିକି ଯାନବାହନ ପଞ୍ଜୀକରଣ କ୍ଷେତ୍ରରେ ପୂର୍ବରୁ ଥିବା ‘ଓଆର’ ବଦଳରେ ‘ଓଡି’ ବ୍ୟବହୃତ ହୋଇ ଆସୁଛି । ସମଗ୍ର ଓଡ଼ିଶାରେ ଓରିଶା ଶବ୍ଦ ଲିଭିଯାଇଥିବା ବେଳେ କେବଳ କଟକର ହାଇକୋର୍ଟ ସୌଧରେ ‘ହାଇକୋର୍ଟ ଅଫ୍‍ ଓରିଶା’ ଲେଖା ରହିଛି ଏବଂ ହାଇକୋର୍ଟଙ୍କ ରାୟ ଓ ଅନ୍ୟ କାଗଜପତ୍ରରେ ଓଡ଼ିଶା ଲେଖାନଯାଇ ଇଂରାଜୀରେ ଓରିଶା ଶବ୍ଦ ବ୍ୟବହୃତ ହେଉଛି । ଏହାର ସଂଶୋଧନ ପାଇଁ ୨୦୧୬ ମସିହାରେ କେନ୍ଦ୍ର ସରକାର ଏକ ବିଲ୍‍ ସଂସଦରେ ଉପସ୍ଥାପନ କରିଥିଲେ ମଧ୍ୟ ଲୋକସଭାର କାର୍ଯ୍ୟକାଳ ପୁରି ଯିବାରୁ ତାହା ଅକାମୀ ହୋଇପଡିଛି ।

ଏ ପ୍ରସଙ୍ଗରେ ରାଜ୍ୟ ସରକାର ବିଧାନସଭାରେ ସ୍ୱତନ୍ତ୍ର ବିଲ୍‍ ପାରିତ କରାଇ ଆମ ହାଇକୋର୍ଟର ନାମ ଓରିଶା ପରିବର୍ତ୍ତେ ଓଡ଼ିଶା ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ ଏବଂ କେନ୍ଦ୍ର ସରକାର ମଧ୍ୟ ରାଜ୍ୟର ପ୍ରସ୍ତାବକୁ ଅପେକ୍ଷା ନ କରି ଏ ସଂକ୍ରାନ୍ତରେ ସ୍ୱତନ୍ତ୍ର ବିଧେୟକ ଆଣିବା ପାଇଁ ଶ୍ରୀ ସିଂହ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଦଳମତ ନିର୍ବିଶେଷରେ ରାଜ୍ୟର ସମସ୍ତ ସାଂସଦ ଲୋକସଭା ଓ ରାଜ୍ୟସଭାରେ ଏ ପ୍ରସଙ୍ଗରେ ସମ୍ମିଳିତ ଦାବି ଉଠାଇବାକୁ ମଧ୍ୟ ସେ ନିବେଦନ କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ବମ୍ବେ, କଲିକତା, ମାଡ୍ରାସ, ଆହ୍ଲାବାଦ ଆଦି ସ୍ଥାନର ନାମ ଇତିମଧ୍ୟରେ ପରିବର୍ତ୍ତିତ ହୋଇସାରିଥିଲେ ମଧ୍ୟ ସେଠାରେ ଥିବା ହାଇକୋର୍ଟଗୁଡିକ ବି ପୁରୁଣା ନାମରେ ରହିଛି । କେନ୍ଦ୍ର ସରକାର ସଂସଦରେ ସ୍ୱତନ୍ତ୍ର ବିଲ୍‍ ଆଣି ଏ ସମସ୍ତ ହାଇକୋର୍ଟର ନାମ ଅତି ସହଜରେ ସଂଶୋଧନ କରିପାରିବେ ବୋଲି ପୂର୍ବରୁ ମଧ୍ୟ ସଂସଦରେ ଦାବି ହୋଇଛି ।

ଏହାଛଡା କଟକ, ଆଳି ପରି ରାଜ୍ୟର ଆଉ ଯେଉଁ କେତେକ ସ୍ଥାନର ନାମ ଇଂରାଜୀରେ ଭିନ୍ନ ଭାବେ ଲେଖାଯାଉଛି ସେଗୁଡିକର ବି ଠିକଣା ସଂଶୋଧନ ଆବଶ୍ୟକ । ଏବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ସେ ଚାହିଁଲେ ଖୁବ୍‍ କମ୍‍ ସମୟ ମଧ୍ୟରେ ହାଇକୋର୍ଟ ଅଫ୍‍ ଓରିଶାର ନାମ ବଦଳି ହାଇକୋର୍ଟ ଅଫ୍‍ ଓଡ଼ିଶା ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । (ତଥ୍ୟ)