Home Education ୧ ଲକ୍ଷ କ୍ୟାଡେଟଙ୍କୁ ତାଲିମ ପ୍ରଦାନ

୧ ଲକ୍ଷ କ୍ୟାଡେଟଙ୍କୁ ତାଲିମ ପ୍ରଦାନ

329
0

ଭୁବନେଶ୍ୱର : ଆଜି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍‌ସିସିର ଏକ ସମାବେଶରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରାୟ ୧ ଲକ୍ଷ କ୍ୟାଡେଟଙ୍କୁ ସ୍ଥଳସେନା, ବାୟୁସେନା ଓ ନୌସେନା ପକ୍ଷରୁ ତାଲିମ ଦିଆଯାଉଛି । ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା । ଏନ୍‌ସିସି ପାଇଁ ତାଲିମ ଭିତ୍ତିଭୂମିକୁ ମଜଭୁତ କରାଯାଉଛି । ଆଗରୁ ସେମାନଙ୍କ ପାଇଁ ମାତ୍ର ଗୋଟିଏ ଫାଇରିଂ ସିମୁଲେଟର ଥିବାବେଳେ ଏବେ ୯୮ଟି ପ୍ରତିଷ୍ଠା କରାଯାଉଛି । ମାଇକ୍ରୋ ଫ୍ଲାଇଟ ସିମୁଲେଟର ସଂଖ୍ୟା ମଧ୍ୟ ୫ରୁ ୪୪କୁ ଏବଂ ରୋଇଂ ସିମୁଲେଟର ସଂଖ୍ୟା ୧୧ରୁ ୬୦କୁ ବୃଦ୍ଧି କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାମାଜିକ ଜୀବନରେ ଉଚ୍ଚ ଶୃଙ୍ଖଳାଭାବ ଥିବା ଦେଶ ସବୁ କ୍ଷେତ୍ରରେ ଆଗକୁ ବଢିଥାଏ । ଏନସିସି ଭାରତର ସାମାଜିକ ଜୀବନରେ ଶୃଙ୍ଖଳାର ଭାବନା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । କରୋନା ଭଳି ପ୍ରାକୃତିକ ବିପଦ ସମୟରେ ଏନ୍‌ସିସି କ୍ୟାଡେଟମାନଙ୍କର ଭୂମିକା ଓ ଅବଦାନକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଶଂସା କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଫିଲ୍ଡ ମାର୍ଶାଲ କାରିଆପ୍ପାଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ ଏବଂ କହିଥିଲେ ଯେ ତାଙ୍କ ସମ୍ମାନାର୍ଥେ ଏହି ପଡିଆର ନାମ କାରିଆପ୍ପା ଗ୍ରାଉଣ୍ଡ ରଖାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହିଳା କ୍ୟାଡେଟମାନଙ୍କ ପାଇଁ ପ୍ରତିରକ୍ଷା ବାହିନୀରେ ନୂଆ ସୁଯୋଗ ଆସୁଛି । ଏନ୍‌ସିସିରେ ଏବେ ଝିଅଙ୍କ ସଂଖ୍ୟା ବଢି ୩୫ ଶତାଂଶରେ ପହଞ୍ଚିବା ଘେନି ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ସେ ମଧ୍ୟ ଏହି ଅବସରରେ ୧୯୭୧ରେ ବାଂଲାଦେଶ ଯୁଦ୍ଧରେ ଭାରତର ବିଜୟର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତିରକ୍ଷା ବାହିନୀକୁ ଅଭିନନ୍ଦନ ଜଣାଇଥିଲେ ।

ଜାତୀୟ ଯୁଦ୍ଧ ସ୍ମାରକ ପରିଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ କ୍ୟାଡେଟମାନଙ୍କୁ ପରାମର୍ଶ ଦେବା ସହ ପୁନର୍ବିନ୍ୟସ୍ଥ ସାହସିକତା ପୁରସ୍କାର ପୋର୍ଟାଲ ସହ ସଂଯୁକ୍ତ ହେବାକୁ କହିଥିଲେ । ସେ ଆହୁରି କହିଥିଲେ ଯେ ଏନ୍‌ସିସି ଡିଜିଟାଲ ପ୍ଲାଟଫର୍ମ ଦ୍ରୁତଗତିରେ ଆଗକୁ ବଢୁଛି ଏବଂ ଏହା ଆଇଡିଆ ସେୟାରିଂର ଏକ ପ୍ଲାଟଫର୍ମ ପାଲଟିଛି ।

ବର୍ଷପୂର୍ତ୍ତି ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତବର୍ଷ ଭାରତ ସ୍ୱାଧୀନତାର ୭୫ ବର୍ଷରେ ପଦାର୍ପଣ କରିବ । ଦେଶ ମଧ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଛି । ନେତାଜୀଙ୍କ ଗୌରବ ମଣ୍ଡିତ ଜୀବନୀରୁ ପ୍ରେରଣା ନେବାକୁ ସେ ମଧ୍ୟ କ୍ୟାଡେଟମାନଙ୍କୁ ପରାମର୍ଶ ଦେଇଥିଲେ । ଆସନ୍ତା ୨୫-୨୬ ବର୍ଷ ମଧ୍ୟରେ ଭାରତ ସ୍ୱାଧୀନତାର ଶତବାର୍ଷିକ ପାଳନ କରିବାକୁ ଯାଉଥିବାରୁ ସେ ସଂପର୍କରେ ସଚେତନ ରହିବାକୁ ସେ କ୍ୟାଡେଟମାନଙ୍କୁ ପରାମର୍ଶ ଦେଇଥିଲେ ।

ସେହିଭଳି ଏନ୍‌ସିସିରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେ କହିଛନ୍ତି ଯେ ନୂଆ ଶିକ୍ଷାନୀତି ସମଗ୍ର ବ୍ୟବସ୍ଥାକୁ ଛାତ୍ର କୈନ୍ଦ୍ରିକ କରିବା ପାଇଁ ଉଦ୍ଦିଷ୍ଟ । ଏଥିରେ ପାଠ୍ୟକ୍ରମ ବାଛିବାରେ କୋହଳ ବ୍ୟବସ୍ଥା କରାଯାଇଛି । ନିଜର ଆବଶ୍ୟକତା ଏବଂ ଆଗ୍ରହ ଅନୁସାରେ ଯେକୌଣସି ଛାତ୍ରଛାତ୍ରୀ ନିଜର ବିଷୟବସ୍ତୁ ବାଛି ତାହା ପଢିପାରିବେ । ବିଭିନ୍ନ ପ୍ରକାର ସଂସ୍କାର ଦ୍ୱାରା ସରକାର ଯେଉଁସବୁ ସୁଯୋଗ ସୃଷ୍ଟି କରିଛନ୍ତି ତାହାର ଉପଯୋଗ କରି ଯୁବ ସମାଜ ଆଗକୁ ବଢିଲେ ଦେଶର ପ୍ରଗତି ସମ୍ଭବ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here