Home General ୧୮୫ କିଲୋମିଟର ବେଗରେ ସ୍ଥଳଭାଗ ଛୁଇଁବ ୟାସ

୧୮୫ କିଲୋମିଟର ବେଗରେ ସ୍ଥଳଭାଗ ଛୁଇଁବ ୟାସ

ଭୁବନେଶ୍ୱର : ବାତ୍ୟା ୟାସ୍‍ ଏବେ ପାରାଦୀପ ଠାରୁ ୫୦୦ କିଲୋମିଟର ଦୂରରେ ଅଛି । ଆଜି ଏହା ଭୀଷଣ ବାତ୍ୟାର ରୂପ ନେବା ପରେ ଆସନ୍ତା କାଲି ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ୨୬ ତାରିଖ ଦ୍ୱିପ୍ରହର ସମୟରେ ଏହା ପାରାଦୀପ ଓ ସାଗର ଦୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫ ରୁ ୧୮୫ କିମି ପର୍ଯ୍ୟନ୍ତ ରହିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ବାତ୍ୟା ଯୋଗୁ ଏବେ ସମୁଦ୍ରରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୮୫ କିମି ଭିତରେ ରହିଛି । ଆଜି ଅପରାହ୍ନରୁ ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୪୦ରୁ୫୦ କିମି ବେଗରେ ପବନ ହେବ । ୨୫ ତାରିଖ ମଧ୍ୟରାତ୍ର ପରେ ପବନ ବଢ଼ିବ ଏବଂ ଏହା ଘଣ୍ଟା ପ୍ରତି ୮୦ କିମି ଛୁଇଁପାରେ । ୨୬ ତାରିଖ ସକାଳୁ ପବନର ବେଗ ବଢ଼ି ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି ହେବ । ଉପକୂଳ ଛୁଇଁଲା ବେଳକୁ ପବନ ବେଗ ଘଣ୍ଟାପ୍ରତି ସର୍ବାଧିକ ୧୫୫ରୁ ୧୮୫ କିମି ହେବ ।

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବାତ୍ୟାର ବେଶି ପ୍ରଭାବ ପଡ଼ିବ । ଏହା ବାଲେଶ୍ୱର ଦେଇ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି । ସଂପୃକ୍ତ ୪ ଜିଲ୍ଲାରେ ଘଣ୍ଟାପ୍ରତି ୧୨୦ରୁ ୧୬୦ କିମି ବେଗରେ ପବନ ବହିପାରେ । ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଘଣ୍ଟାପ୍ରତି ୯୦ରୁ ୧୨୦ କିମି ବେଗରେ ପବନ ହେବ । ସେହିଭଳି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିମି ବେଗରେ ପବନ ବହିବ ।

୨୫ ଓ ୨୬ ତାରିଖରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ବାତ୍ୟା ପ୍ରଭାବରେ ସମୁଦ୍ରରୁ ୨ରୁ୪ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିବା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି । ଆଗକୁ ପୂର୍ଣ୍ଣିମା ଥିବା ଓ ସଂପୃକ୍ତ ଅଞ୍ଚଳ ସମତଳ ଥିବାରୁ ଜୁଆର ଆସିପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି ଯେ ବାତ୍ୟା ୟାସ୍‍ ଦ୍ୱାରା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ପ୍ରଭାବିତ ହେବ । ସେଥିପାଇଁ ଏହି ୪ ଜିଲ୍ଲାକୁ ଏକ ନମ୍ବର ରେଡ୍‍ ୱାର୍ଣ୍ଣିଂ ରେ ରଖାଯାଇଛି । ସେ କହିଛନ୍ତି ଯେ ସୃଷ୍ଟି ହୋଇଥିବା ବାତ୍ୟା ଆଜି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ । ଏହି ବାତ୍ୟା ଏବେ ସ୍ଥିର ରହିଛି । ବାତ୍ୟା ସ୍ଥିର ରହିଲେ ଅଧିକ ଶକ୍ତିଶାଳୀ ହେବାର ନଜିର ରହିଛି ।

ସେହିପରି ବାତ୍ୟା ୟାସ୍‍ ପାଇଁ ରାଜ୍ୟର ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି । ପାରାଦୀପ ଓ ଧାମରା ପାଇଁ ୪ ନଂ ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ଗୋପାଳପୁର ପାଇଁ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି ।

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଲାଇଛନ୍ତି । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୫ ବରିଷ୍ଠ ସଚିବଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି । ଏନଡିଆରଏଫ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ଏଠାରେ ଏନଡିଆରଏଫର ୫ଟି ଟିମ୍ କାମ କରିବ । ବାତ୍ୟା ମୁକାବିଲାରେ ଓଡ୍ରାଫର ୮୦୦ କର୍ମଚାରୀ ସାମିଲ ହେବ ବୋଲି ଓଡ଼ିଶା ପୁଲିସ ପକ୍ଷରୁ ଟ୍ୱିଟକରି ସୂଚନା ଦିଆଯାଇଛି ।

ବାତ୍ୟାରେ କ୍ଷତିଗ୍ରସ୍ତ ହେବାକୁ ଥିବା ଜିଲ୍ଲା ବିଶେଷ କରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବାତ୍ୟା ୟାସ୍‍ ପ୍ରଭାବ ଅଧିକ ରହିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ବାତ୍ୟା ପରବର୍ତ୍ତୀ ରିଲିଫ୍ କାର୍ଯ୍ୟ ତଦାରଖ ପାଇଁ ରାଜ୍ୟ ସରକାର ୫ ଜଣ କରି ବରିଷ୍ଠ ଆଇଏଏସ୍ ଓ ଆଇପିଏସ୍‍ଙ୍କୁ ଦାୟିତ୍ୱ ଦେଇଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ବରିଷ୍ଠ ଆଇଏଏସ୍‍ ଅଫିସର ହେମନ୍ତ ଶର୍ମାଙ୍କୁ ଦିଆଯାଇଥିବା ବେଳେ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଭିଭି ଯାଦବ ଓ ବିଶାଳ ଦେବ ଯଥାକ୍ରମେ ଭଦ୍ରକ ଓ ବାଲେଶ୍ୱର ଦାୟିତ୍ୱ ନେବେ । ସେହିପରି ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱ ସୁରେଶ ବଶିଷ୍ଟଙ୍କୁ ଦିଆଯାଇଛି ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଆଇପିଏସ୍ ଜୟନାରାୟଣ ପଙ୍କଜଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜଗତସିଂହପୁର ପାଇଁ ଅମିତାଭ ଠାକୁର, ଭଦ୍ରକ ପାଇଁ ଅମିତେନ୍ଦ୍ର ନାଥ ସିହ୍ନା, ବାଲେଶ୍ୱର ପାଇଁ ଦୀପ୍ତେଶ ପଟ୍ଟନାୟକ ଓ ମୟୂରଭଞ୍ଜ ପାଇଁ ଆଇପିଏସ୍ ଅନିରୁଦ୍ଧ କୁମାର ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି ।