Home General ୧୭ଲକ୍ଷରୁ ଅଧିକ ନୂଆ ଭୋଟର

୧୭ଲକ୍ଷରୁ ଅଧିକ ନୂଆ ଭୋଟର

ଭୁବନେଶ୍ୱର : ପାଞ୍ଚବର୍ଷ ମଧ୍ୟରେ ରାଜ୍ୟରେ ୧୭.୧୩ ଲକ୍ଷରୁ ଅଧିକ ବ୍ୟକ୍ତି ଭୋଟର ତାଲିକାରେ ଯୋଡିହୋଇ ଯାଇଛନ୍ତି । ୨୦୧୭ ମସିହାରେ ହୋଇଥିବା ଶେଷ ପଞ୍ଚାୟତ ନିର୍ବାଚନ ସମୟରେ ଭୋଟର ତାଲିକାରେ ୩,୦୮,୩୯,୦୩୩ ଜଣ ଥିବାବେଳେ ୨୦୨୧ ରେ ଏହା ବୃଦ୍ଧିପାଇ ୩,୨୫,୫୨,୨୦୨ ରେ ପହଞ୍ଚିଛି । ପାଞ୍ଚବର୍ଷ ମଧ୍ୟରେ ତାଲିକାରେ ୧୭,୧୩,୧୬୯ ନୂଆ ଭୋଟର ଯୋଡିହୋଇ ଯାଇଛନ୍ତି ।

ଭୋଟର ତାଲିକାରେ ଯୋଡିହୋଇ ଯାଇଥିବା ମୋଟ ଭୋଟରଙ୍କ ମଧ୍ୟରୁ ୬,୭୮,୯୬୦ ଜଣ ପୁରୁଷ ହୋଇଥିବାବେଳେ ୧୦,୩୩,୩୦୦ ଜଣ ମହିଳା ଏବଂ ୯୦୯ ଜଣ ତୃତୀୟଲିଙ୍ଗ ବର୍ଗର ଅଟନ୍ତି । ଏହାକୁ ମିଶାଇ ରାଜ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧,୬୬,୨୫,୨୬୩ରେ ପହଞ୍ଚି ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧,୫୯,୨୩,୮୮୪ ଏବଂ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩୦୫୫ରେ ପହଞ୍ଚିଛି ।

ରାଜ୍ୟରେ ଭୋଟର ତାଲିକାରେ ଅଭିବୃଦ୍ଧି ହାର ୨୦୧୮ ମସିହାରେ ୦.୪୭ ପ୍ରତିଶତ ଥିବାବେଳେ ୨୦୧୯ରେ ୨.୬୩ ପ୍ରତିଶତ, ୨୦୨୦ ରେ ୨.୨୩ ପ୍ରତିଶତ ଏବଂ ଚଳିତ ବର୍ଷ ଏହା ୦.୧୩ ପ୍ରତିଶତ ରେକର୍ଡ କରାଯାଇଛି । ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୩.୨୫ କୋଟିରୁ ଅଧିକ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଚଳିତବର୍ଷ ନଭେମ୍ବର ପହିଲା ସୁଦ୍ଧା ଯେଉଁମାନଙ୍କ ବୟସ ୧୮ବର୍ଷ ହୋଇଥିବ ସେମାନେ ଭୋଟର ତାଲିକାରେ ସାମିଲ ହୋଇପାରିବେ ।

ନିକଟରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଜିଲ୍ଲାପାଳ ଓ ବିଡିଓମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ପ୍ରତି ୱାର୍ଡରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଇଛନ୍ତି । କମ୍‍ ବୟସର ଯୁବକ ଯୁବତୀମାନେ ଯେଭଳି ଭୋଟର ତାଲିକାରେ ସାମିଲ ନୁହନ୍ତି ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ବିଡିଓମାନଙ୍କୁ କୁହାଯାଇଛି । ଯଦି କୌଣସି ଠାରେ ଏଭଳି କାର୍ଯ୍ୟ ଦେଖିବାକୁ ମିଳିବ ସେ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନ ଶ୍ରୀ ପାଢୀ ଚେତାବନୀ ଦେଇଛନ୍ତି ।

ଯଦି କୌଣସି ବ୍ଲକ କିମ୍ବା ପଞ୍ଚାୟତରେ ଅସ୍ୱାଭାବିକ ଭାବେ ଭୋଟର ତାଲିକାରେ ବୃଦ୍ଧି ପରିଲକ୍ଷିତ ହୁଏ ତେବେ ସେ କ୍ଷେତ୍ରରେ ସାନି ଯାଞ୍ଚ କରି ସଠିକ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଭୋଟର ତାଲିକାର ଉଭୟ ସଫ୍ଟ କପି ଓ ହାର୍ଡ କପି ଦାଖଲ ପାଇଁ ଅଧିକାରୀମାନଙ୍କୁ କୁହାଯାଇଛି ।

ଓଡିଶାରେ ଥିବା ପ୍ରତ୍ୟେକ ଜାତୀୟ ଓ ରାଜ୍ୟ ସ୍ତରୀୟ ରାଜନୈତିକଦଳଙ୍କୁ ବିନା ମୂଲ୍ୟରେ ଭୋଟର ତାଲିକାର ଏକ କିତା ନକଲ ଯୋଗାଇ ଦିଆଯିବ । ଅନ୍ୟ ରାଜନୈତିକ ଦଳ ଓ ସାଧାରଣ ଲୋକେ ଏହି ତାଲିକା ଅର୍ଥ ପଇଠ କରି ନେଇପାରିବେ । ଭାରତର ର୍ନିବାଚନ କମିଶନ ବିଧାନସଭା ନିର୍ବାଚନମଣ୍ଡଳୀ ୱାରୀ ଭୋଟର ତାଲିକାରେ ସଂଶୋଧନ କରୁଛନ୍ତି । ତଦନୁଯାୟୀ ନଭେମ୍ବର ୧୬ତାରିଖ ସୁଦ୍ଧା ୱାର୍ଡୱାରୀ ଭୋଟର ତାଲିକା ପଞ୍ଚାୟତ ଦପ୍ତରରେ ପ୍ରଦର୍ଶନ ପାଇଁ କୁହାଯାଇଛି ।

ଭୋଟର ତାଲିକା ସଂକ୍ରାନ୍ତୀୟ ଅଭିଯୋଗର ଶୁଣାଣି କରି ଡିସେମ୍ବର ୪ତାରିଖ ସୁଦ୍ଧା ବିଡିଓମାନେ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ ସହିତ ଏହାକୁ ଡିସେମ୍ବର ୬ସୁଦ୍ଧା ନିର୍ବାଚନ କମିଶନଙ୍କୁ ପଠାଇବାକୁ କୁହାଯାଇଛି । ଡିସେମ୍ବର ୧୬ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏହି ପ୍ରକ୍ରିୟା ବାଲେଶ୍ୱର ଜିଲ୍ଲାକୁ ବାଦ୍‍ ଦେଇ ଅନ୍ୟ ୨୯ଟି ଜିଲ୍ଲାରେ ଚଳାଯାଉଛି । ରେମୁଣା ଏନ୍‍ଏସିରେ ସଂରକ୍ଷଣ ଏବଂ ସୀମାନିର୍ଦ୍ଧାରଣରେ ବିଳମ୍ବ ଯୋଗୁଁ ସେହି ଜିଲ୍ଲା ଏଥିରୁ ବାଦ୍‍ ପଡିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here