Home Health ୧୫ଲକ୍ଷ ଟିକା ତୁରନ୍ତ ଦିଅ

୧୫ଲକ୍ଷ ଟିକା ତୁରନ୍ତ ଦିଅ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ଟିକାର ଗୁରୁତର ଅଭାବ ଦେଖାଦେଇଥିବାବେଳେ ତୁରନ୍ତ ୧୫ଲକ୍ଷ ଡୋଜ୍‍ ଟିକା ପଠାଇବାକୁ ରାଜ୍ୟ ସରକାର କେନ୍ଦ୍ରକୁ କହିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏହି ମର୍ମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରାଜ୍ୟ ସରକାରଙ୍କ ନିକଟରେ ଯେତିକି କୋଭିଡ-୧୯ ଟିକା ରହିଛି ତାହା ଆଉ ମାତ୍ର ୨ଦିନ ଯିବ । ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ଏପ୍ରିଲ ୫ତାରିଖ ସକାଳ ୮ଟା ସୁଦ୍ଧା ରାଜ୍ୟରେ ୭,୫୦,୯୮୦ ଟିକା ଉପଲବ୍ଧ ଥିବାବେଳେ ଏଥି ମଧ୍ୟରୁ ୬,୦୨,୪୩୦ କୋଭିସିଲ୍ଡ ଓ ୧,୪୮,୫୫୦ କୋଭାକ୍ସିନ ଟିକା ରହିଛି । ରାଜ୍ୟରେ ଦୈନିକ ହାରାହାରି ୨ଲକ୍ଷ ଟିକାକରଣ ହେଉଥିବାବେଳେ କୋଭିସିଲ୍ଡ ଟିକାର ଗୁରୁତର ଅଭାବ ଦେଖାଦେଇଛି । ମାତ୍ର ଦୁଇଦିନ ପାଇଁ ଏହି ଟିକା ମହଜୁଦ ରହିଛି ।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତୁରନ୍ତ ଓଡିଶାକୁ ୧୫ଲକ୍ଷ ଡୋଜ୍‍ ଟିକା ଯୋଗାଣ ପାଇ କୁହାଯାଇଛି । ଅନ୍ୟ ପକ୍ଷରେ ଏପ୍ରିଲ ୬ତାରିଖ ଦିନ ୨ଟାସୁଦ୍ଧା ରାଜ୍ୟରେ ୩,୪୯,୧୩୦ ଡୋଜ୍‍ କୋଭିସିଲ୍ଡ ପହଞ୍ଚିବାର ଆଶ୍ୱାସନା ଦିଆଯାଇଛି ଯାହାକି ଦୁଇ ଦିନ ପାଇଁ ପର୍ଯ୍ୟାପ୍ତ ନୁହେଁ । ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ଓଡିଶାରେ ନଷ୍ଟ ହେଉଥିବା ଟିକାର ପରିମାଣ ମାଇନସ ୦.୫ ପ୍ରତିଶତ ରହିଛି ଯାହାକି ସମଗ୍ର ଦେଶରେ ସବୁଠାରୁ କମ୍‍ । ତଦନୁଯାୟୀ ରାଜ୍ୟ ସରକାର ଓଡିଶାକୁ ୧୫ଲକ୍ଷ କୋଭିସିଲ୍ଡ ଟିକା ତୁରନ୍ତ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଟିକାକରଣ ସମୟରେ ପରିବର୍ତ୍ତନ କରାଯାଇଛି । ଏଣକି ଦୈନିକ ସକାଳ ୮ରୁ ଦିନ ୧୨ଟା ଓ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଟିକାକରଣ ଚାଲିବ । ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ରୋଗୀମାନଙ୍କ ଅପେକ୍ଷାପାଇଁ ପର୍ଯ୍ୟାପ୍ତ ପରିମାଣରେ ସ୍ଥାନ, ପ୍ରତୀକ୍ଷାଗୃହ ଏବଂ ଟିକାକରଣ କୋଠରୀ ସହିତ ପାନୀୟଜଳ ସୁବିଧା ପାଇଁ କୁହାଯାଇଛି । (ତଥ୍ୟ)