Home Covid ୧୫ଜିଲ୍ଲାରେ ଟିକାକରଣ ସ୍ଥଗିତ

୧୫ଜିଲ୍ଲାରେ ଟିକାକରଣ ସ୍ଥଗିତ

ଭୁବନେଶ୍ୱର : ଟିକା ଅଭାବରୁ ରାଜ୍ୟର ୧୫ ଜିଲ୍ଲାରେ ଆଜି ଟିକାକରଣ ସ୍ଥଗିତ ରହିଛି । ଲଗାତାର ଭାବେ ତିନି ଦିନ ଧରି ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ଏଭଳି ସ୍ଥିତି ଉପୁଜୁଛି । ଜୁଲାଇ ପହିଲାରେ ୧୬ ଜିଲ୍ଲାରେ ଟିକାକରଣ ବନ୍ଦ ଥିବାବେଳେ ଗତକାଲି ୧୭ଜିଲ୍ଲାରେ ଟିକାକରଣ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇଥିଲେ ।

ଆଜି ଟିକାକରଣ ବନ୍ଦ ରହିଥିବା ୧୫ଟି ଜିଲ୍ଲା ମଧ୍ୟରେ ବଲାଙ୍ଗିର, ବାଲେଶ୍ୱର, ବୌଦ, ଦେବଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ନୂଆପଡା, ରାୟଗଡା ଓ ସୋନପୁର ରହିଛି । ଏହିସବୁ ଜିଲ୍ଲା ମଧ୍ୟରୁ ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, ମୟୁରଭଞ୍ଜରେ ସଂକ୍ରମଣ ସଂଖ୍ୟା ଅଧିକ ରହୁଥିବାରୁ ତାହାକୁ ‘ବି’ ବର୍ଗ ଜିଲ୍ଲା ତାଲିକାରେ ରଖାଯାଇଛି ।

ଏଥି ଯୋଗୁଁ ରାଜ୍ୟରେ ଦୈନିକ ୩ଲକ୍ଷ ଟିକାକରଣ ପାଇଁ ଯେଉଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା ତାହା ବହୁ ପଛରେ ପଡିଗଲାଣି । ଗତକାଲି ଗୋଟିଏ ଦିନରେ ୧୮ରୁ ୪୪ବର୍ଷ ବୟସ ବର୍ଗରେ ମାତ୍ର ୨୨,୭୧୫ ଡୋଜ୍‍ ଟିକା ଦିଆଯାଇଥିବାବେଳେ ବେଳେ ୪୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୭୯୭୯ ଡୋଜ୍‍ ଦିଆଯାଇଥିଲା ।

ତେବେ ଗତ କାଲି ରାଜ୍ୟରେ ଆଉ ୯ଲକ୍ଷ ଡୋଜ୍‍ କୋଭିସିଲ୍ଡ ପହଞ୍ଚିଥିବାରୁ ଅଧିକ ଲୋକଙ୍କୁ ଟିକା ଦିଆଯିବାର ସୂଚନା ମିଳିଛି । ସେହିଭଳି ପ୍ରଥମଥର ପାଇଁ ରାଜଧାନୀ ବାହାରେ ଅର୍ଥାତ୍‍ ଗଞ୍ଜାମ ଜିଲ୍ଲାରେ କୋଭାକ୍ସିନ ଟିକା ଦିଆଯିବା ପାଇଁ ସରକାର ସ୍ଥିର କରିଛନ୍ତି ।

ଟିକା ଅଭାବ ଯୋଗୁଁ ରାଜ୍ୟରେ ଟିକାକରଣ ଏକ ପ୍ରକାର ଧିମେଇ ଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‍ ୧,୧୯,୫୨,୨୪୧ ଡୋଜ୍‍ ଟିକା ଦିଆଯାଇ ସାରିଛି । ତେବେ ଏଥିୋର ସର୍ବାଧିକ ସଂଖ୍ୟାରେ ପ୍ରଥମ ଡୋଜ୍‍ ଟିକା ଦିଆଯାଇଥିବାବେଳେ ଅନେକ ସ୍ଥାନରେ ଲୋକେ ଦ୍ୱିତୀୟ ଡୋଜ ଅପେକ୍ଷାରେ ଅଛନ୍ତି ।