Home News in Odia ୧୨୫ଟି ସିଟ୍ ହରାଇଲେ ପଛୁଆବର୍ଗ

୧୨୫ଟି ସିଟ୍ ହରାଇଲେ ପଛୁଆବର୍ଗ

ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଆଗାମୀ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ଆଜି ପ୍ରକାଶ କରାଯାଇଛି । ୨୦୧୭ ତ୍ରିସ୍ତରୀୟ ନିର୍ବାଚନ ତୁଳନାରେ ରାଜ୍ୟର ପଛୁଆବର୍ଗ ୨୦୨୨ ପଞ୍ଚାୟତ ନିର୍ବାଚନରେ ୱାର୍ଡମେମ୍ବରଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ସବୁ ସ୍ଥାନରେ କ୍ଷତିଗ୍ରସ୍ତ ହୋଇଛନ୍ତି ।

୯୨ ହଜାର ୱାର୍ଡ ମେମ୍ବର ନିର୍ବାଚନରେ ଓବିସି ମାନେ ୨୬ହଜାର ସ୍ଥାନ ପାଇବା ବଦଳରେ ଏଥରକ ମାତ୍ର ୧୩ ହଜାର ପର୍ଯ୍ୟନ୍ତ ସ୍ଥାନ ପାଇଛନ୍ତି । ଫଳରେ ସେମାନେ ପାଖାପାଖି ୧୩ହଜାର ସ୍ଥାନ ହରାଇଛନ୍ତି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଅଛି ।

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ବିଜେଡ଼ି ସରକାର ଗତ ଅଗଷ୍ଟ ମାସ ପାର୍ଲାମେ ଅଧିବେଶନ ସମୟରେ ପଛୁଆବର୍ଗଙ୍କୁ ୨୭ଭାଗ ସ୍ଥାନ ସଂରକ୍ଷଣ ଦେବା ଓ ଜାତିଗତ ଜନଗଣନା କରିବା ଦାବିରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି ଏହାର ସାଂସଦମାନେ ଯେଉଁ ଦାବି କରିଥିଲେ ସେ ଦାବି ପ୍ରତି କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ।

ରାଜ୍ୟ ସରକାର ମଧ୍ୟ କିମ୍ବା ବିଜେଡି ଦଳ ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ପତ୍ର ଦେବାପରେ ପଛୁଆବଗ ସଂରକ୍ଷଣ ନେଇ ଆଉ ଥରେ ମାତ୍ର ଦାବି ଦୋହରାଇ ନାହିଁ । ଯାହା ଫଳରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ୫୨ ଭାଗ ପଛୁଆବର୍ଗ ଯେଉଁମାନେ କି ୧୯୯୭, ୨୦୦୨, ୨୦୦୭, ୨୦୧୨ ଓ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୭ଭାଗ ସ୍ଥାନ ସଂରକ୍ଷଣ ପାଇଆସୁଥିଲେ, ସେମାନେ ଆଗାମୀ ୨୦୨୨ ନିର୍ବାଚନରେ ବହୁ ପରିମାଣରେ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି । ୨୭ ଭାଗ ସଂରକ୍ଷଣ ଯାଗାରେ ସେମାନେ କେଉଁଠି ୭ ତ କେଉଁଠି ୧୭ ଭାଗ ସଂରକ୍ଷଣ ପାଇବେ ।

ଉଦାହରଣ ସ୍ୱରୂପ ୮୫୩ଟି ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚିତ ହେବାକୁ ଯାଉଥିବା ବେଳେ ୨୭ ଭାଗ ସଂରକ୍ଷଣ ଯଦି ପଛୁଆବର୍ଗକୁ ଦିଆଯାଇଥାଆନ୍ତା, ତାହେଲେ ସେମାନେ ୨୨୯ଟି ଆସନରେ ଲଢି ପାରିଥାନ୍ତେ । କିନ୍ତୁ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗର ପୁରୁଷମାନଙ୍କ ପାଇଁ ୪୯ଟି ଓ ପଛୁଆବର୍ଗ ମହିଳାଙ୍କ ପାଇଁ ୫୫ଟି ଏହିଭଳି ମୋଟ୍ ଉପରେ ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ମାତ୍ର ୧୦୪ଟି ଆସନ ସଂରକ୍ଷିତ କରାଯାଇଅଛି ।

ଫଳରେ ରାଜ୍ୟର ୫୨ଭାଗ ପଛୁଆବର୍ଗ ତାଙ୍କର ସାମ୍ବିଧାନିକ ହକ୍ ଓ ଅଧିକାରରୁ ବଞ୍ଚିତ ହେବାକୁ ଯାଉଛନ୍ତି । ୨୨୯ଟି ଜିଲ୍ଲା ପରିଷଦ ଯାଗାରେ ପଛୁଆବର୍ଗର ପ୍ରାର୍ଥୀମାନେ ମାତ୍ର ୧୦୪ଟି ଆସନରେ ଲଢିବାକୁ ସକ୍ଷମ ହେବେ । ଏହା ନିଶ୍ଚିତ ଭାବରେ ପଛୁଆବର୍ଗ ସ୍ୱାର୍ଥର ପରିପନ୍ଥୀ । ତେଣୁ ନିଜର ହକ୍ ଓ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ କରିବାର ସ୍ୱପ୍ନ ଦେଖୁଥିବା ଏବଂ ସଂଗ୍ରାମ ପାଇଁ ପ୍ରତିଶ୍ରୁତିବଦ୍ଧ ପ୍ରତ୍ୟେକ ଭାଇ ଭଉଣୀ ଏକାଠି ହୋଇ ନିଜର ସାମ୍ବିଧାନିକ ଅଧିକାର ପାଇଁ ସଂଗ୍ରାମ କରିବାକୁ ଆଗେଇ ଆସିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି ।

ଆଗାମୀ ସଂସଦ ଅଧିବେଶନ ସମୟରେ ରାଜ୍ୟର ସାଂସଦମାନେ ପଛୁଆବର୍ଗ ସଂରକ୍ଷଣ ଆଇନ୍‌କୁ ସମ୍ବିଧାନର ନବମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ଜୋର୍‌ଦାର କରିବାକୁ ଆବଶ୍ୟକ ପଡ଼ିଲେ ସେଥିପାଇଁ ସମସ୍ତଙ୍କୁ ନେଇ ସଡ଼କରେ ସଂଗ୍ରାମ କରିବାକୁ ସେ ରାଜ୍ୟର ସାଂସଦମାନଙ୍କୁ ଶ୍ରୀ ବେହେରା ନିବେଦନ କରିଛନ୍ତି ।