Home Administration ୧୧ ଜିଲ୍ଲାରେ ଡବ୍ଲ୍ୟୁଓଡିସିର କ୍ଷେତ୍ରୀୟ କାର୍ଯ୍ୟାଳୟ

୧୧ ଜିଲ୍ଲାରେ ଡବ୍ଲ୍ୟୁଓଡିସିର କ୍ଷେତ୍ରୀୟ କାର୍ଯ୍ୟାଳୟ

ଭୁବନେଶ୍ୱର : ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟ କରୁଥିବା ସମସ୍ତ ୧୧ ଗୋଟି ଜିଲ୍ଲାରେ ତା’ର କ୍ଷେତ୍ର କାର୍ଯ୍ୟାଳୟ କାର୍ଯ୍ୟାରମ୍ଭ କରିଛି । ଏଗୁଡ଼ିକୁ ଅଧିକ ମାନବସମ୍ବଳ ଯୋଗାଇ କିପରି ତା’ର କାର୍ଯ୍ୟଧାରାକୁ ଅଧିକ ଗତିଶୀଳ କରାଯିବ, ସେ ନେଇ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆହୂତ ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା ।

ଏଥି ସହିତ ଯେଉଁ ଜିଲ୍ଲାପାଳମାନେ ଆଞ୍ଚଳିକ କାର୍ଯ୍ୟାଳୟ ଦାୟିତ୍ୱରେ ରହିଛନ୍ତି ସେମାନେ ଅନ୍ତତଃ ପ୍ରତି ସପ୍ତାହରେ ଥରେ କାର୍ଯ୍ୟାଳୟକୁ ଯିବାକୁ ପ୍ରସ୍ତାବ ରଖାଯାଇଥିଲା । ପଶ୍ଚିମ ଓଡିଶାର ଜିଲ୍ଲାଗୁଡ଼ିକରେ ସଂପୂର୍ଣ୍ଣ ହୋଇନଥିବା ପ୍ରକଳ୍ପର ତାଲିକା ସଂପୃକ୍ତ ସାଂସଦ ଓ ବିଧାୟକମାନଙ୍କୁ ଦେବାକୁ ବୈଠକରେ କୁହାଯାଇଥିଲା । କେତେକ ପ୍ରମୁଖ ସହରରେ ପରିଷଦର ପାଣ୍ଠିରୁ ଆଧୁନିକ ପ୍ରେକ୍ଷାଳୟ ନିର୍ମାଣ ସକାଶେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଆସୁଥିବା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକର ଫିଜିବଲ୍‌ ରିପୋର୍ଟ ନିର୍ଦ୍ଧାରିତ ସମୟ ମଧ୍ୟରେ ଦେବାକୁ କୁହାଯାଇଛି । ଝାରସୁଗୁଡ଼ା ବିଧାୟକ ହୀରାକୁଦଠାରେ ଏକ ଚିଲିଂ ପ୍ଲାଣ୍ଟ ନିର୍ମାଣ ସକାଶେ ପ୍ରସ୍ତାବ ଦେଇଥିଲେ । ସେହିପରି ଦେବଗଡ଼ ବିଧାୟକ ଦେବଗଡ଼ରେ ଇକୋ-ଟୁରିଜିମ୍‌କୁ ପ୍ରାଧାନ୍ୟ ଦେବାକୁ କହିଥିଲେ । ଇନ୍ଦ୍ରାବତୀ ଜଳଭଣ୍ଡାରଠାରେ କେଜ୍‌ କଲଚର୍‌ ଯୋଗେ ମାଛଚାଷ କରିବାକୁ ଲାଞ୍ଜିଗଡ଼ ବିଧାୟକ ପ୍ରସ୍ତାବ ରଖିଥିଲେ । ଖରିଆର ବିଧାୟକ ମହେନ୍ଦ୍ରତନୟାଠାରେ ପର୍ଯ୍ୟଟନର ବିକାଶ କରିବାକୁ ଅନୁରୋଧ ରଖିଥିଲେ । ବରଗଡ଼ ସାଂସଦ ବରଗଡ଼ଠାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ନିମନ୍ତେ ଖେଲୋଇଣ୍ଡିଆର ପାଣ୍ଠିକୁ ବିନିଯୋଗ ପାଇଁ ପ୍ରସ୍ତାବ ରଖିଥିଲେ ।

ପୂର୍ବାପେକ୍ଷା ଏଣିକି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ ଭିତ୍ତିଭୂମି ସୃଷ୍ଟି ଭଳି କେତେକ ଜଟିଳ ମାନଦଣ୍ଡର ପ୍ରକୃତ ମୂଲ୍ୟାଙ୍କନ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିବା ବୈଠକରେ ପ୍ରକାଶ କରାଯାଇଥିଲା । ଏହାକୁ ନେଇ ଏକ ଭିଜନ ଡକୁ୍ୟମେଣ୍ଟ ୨୦୨୫ ପ୍ରସ୍ତୁତ କରାଯାଉଛି, ଯାହାକୁ ଆସନ୍ତା ୨/୩ ମାସ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନାବରଣ କରାଯିବ । ପରେ ଅଧ୍ୟକ୍ଷ ଶ୍ରୀ ତି୍ରପାଠୀଙ୍କ ଦ୍ୱାରା ପରିଷଦର ଅର୍ଥ ମଞ୍ଜୁରୀ, ବ୍ୟୟ ଓ ଭିଜନ ଡକୁ୍ୟମେଣ୍ଟର କେତେକ ପ୍ରମୁଖ ତଥ୍ୟାବଳୀ ଉପସ୍ଥାପନ କରାଯାଇଥିଲା ।

ସେ ପରିଷଦର ବଜେଟ୍‌ ୨୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଦର୍ଶାଇ କୋଭିଡ୍‌-୧୯ ମହାମାରୀର ମୁକାବିଲା ସକାଶେ ଅତ୍ୟାବଶ୍ୟକୀୟ ଭିତ୍ତିଭୂମି ସୃଷ୍ଟି ପାଇଁ ଅତିରିକ୍ତ ଭାବେ ୨୫ କୋଟି ଟଙ୍କା ସରକାର ପ୍ରଦାନ କରିଥିବା ଦର୍ଶାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ପ୍ରକାରେ ପରିଷଦ ଲୋୟର ଶୁକତେଲ ଭଳି ପ୍ରକଳ୍ପର ପୁନରୁଦ୍ଧାର କରିଥିବା କହିଥିଲେ । ବରଗଡ଼ ସାଂସଦ ଭିଜନ ଡକୁ୍ୟମେଣ୍ଟ-୨୦୨୫ ଏକ ଅଭିନବ ଏବଂ ଆବଶ୍ୟକୀୟ ଦସ୍ତାବିଜ୍‌ ବୋଲି କହିବା ସହ ଏହା ନିର୍ଦ୍ଧାରିତ ଲକ୍ଷ୍ୟରେ ପହଞ୍ଚିବା ପାଇଁ ସହଯୋଗ ପ୍ରଦାନ କରିବ ବୋଲି କହିଥିଲେ ।