Home Health ୧୧ଶହ ଟପିଲାଣି ଡେଙ୍ଗୁ ସଂକ୍ରମଣ

୧୧ଶହ ଟପିଲାଣି ଡେଙ୍ଗୁ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଶହ ଟପିଥିବାବେଳେ ଖୋରଧା ଜିଲ୍ଲା ତାଲିକାର ସବୁଠାରୁ ଆଗରେ ରହିଛି । ଏଥି ସହିତ କୋରାପୁଟ, ରାୟଗଡା ଓ ମାଲକାନଗିରିରେ ମଧ୍ୟ ଡେଙ୍ଗୁ କାୟା ବିସ୍ତାର କରିବାରେ ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୭ରେ ପହଞ୍ଚିଛି । ଏଥି ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୩୯୪ ଥିବାବେଳେ କୋରାପୁଟରେ ୨୭୪, ରାୟଗଡାରେ ୧୬୬, ମାଲକାନଗିରିରେ ୧୧୯, ପୁରୀରେ ୪୮, ନୟାଗଡରେ ୨୫, କଟକରେ ୧୯, ଜଗତ୍‍ସିଂହପୁର ଓ ବାଲେଶ୍ୱରରେ ୧୫କରି ଚିହ୍ନଟ ହୋଇଛନ୍ତି । ନୂଆପଡା, କନ୍ଧମାଳ, ଝାରସୁଗୁଡା, ଦେବଗଡ, ବଲାଙ୍ଗିର ଜିଲ୍ଲାକୁ ବାଦ୍‍ ଦେଲେ ଅନ୍ୟାନ୍ୟ ଜିଲ୍ଲାରେ ଏହି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ରହିଛି ।

ରାଜ୍ୟରେ ୧୫,୨୬୬ ରକ୍ତ ନମୂନା ପରୀକ୍ଷାରୁ ୧୧୩୭ ଜଣ ଡେଙ୍ଗୁ ସଂକ୍ରମିତ ଥିବା ଚିହ୍ନଟ ହୋଇଥିବା ସରକାରୀ ଭାବେ ଦର୍ଶଯାଉଥିବାବେଳେ ବାସ୍ତବରେ ଏହି ସଂଖ୍ୟା ଢେର ଅଧିକ ବୋଲି କୁହାଯାଉଛି । ଖୋରଧା ଜିଲ୍ଲାରେ ଏବେ ସୁଦ୍ଧା ୩୯୪ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବାବେଳେ ଏଥିରୁ ସିଂହଭାଗ ରହିଛନ୍ତି ଭୁବନେଶ୍ୱରରୁ । ଏହି ସମସ୍ତଙ୍କ ରକ୍ତ ନମୂନା କ୍ୟାପିଟାଲ ହସ୍ପିଟାଲ, ଆରଏମ୍‍ଆରସି କିମ୍ବା ଭୁବନେଶ୍ୱର ଏମ୍‍ସରେ ପରୀକ୍ଷା ହୋଇଛି । ଏହା ବାଦ୍‍ ଅନ୍ୟଠାରେ ରକ୍ତ ପରୀକ୍ଷାରୁ ଡେଙ୍ଗୁ ବାହାରିଲେ ତାହା ସରକାରୀ ତାଲିକାରେ ଦର୍ଶାଯାଉ ନାହିଁ ।

ତେଣୁ ଯେଉଁସବୁ ଡେଙ୍ଗୁ ରୋଗୀ ଘରୋଇ ଡାକ୍ତରଖାନାରେ ଚିହ୍ନଟ ହେବା ସହିତ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ନାଁ ସରକାରୀ ଡେଙ୍ଗୁ ତାଲିକାରେ ନାହିଁ । ତେବେ କ୍ୟାପିଟାଲ ହସ୍ପିଟାଲରେ ହେଉଥିବା ନମୂନା ପରୀକ୍ଷାରୁ ଜିଲ୍ଲାର ଅଧିକାଂଶ ଡେଙ୍ଗୁରୋଗୀ ଚିହ୍ନଟ ହେଉଛନ୍ତି । ହେଲେ ଏଠାରେ ରକ୍ତ ପରୀକ୍ଷାପାଇଁ ବ୍ୟାପକ ଅବ୍ୟବସ୍ଥା ଓ ସମୟସାପେକ୍ଷ ହୋଇଥିବାରୁ ଲୋକେ ବେସରକାରୀ ସଂସ୍ଥାରେ ପରୀକ୍ଷା ପାଇଁ ଯାଉଛନ୍ତି । ଗତବର୍ଷ ଡେଙ୍ଗୁ ସମୟରେ ଆକ୍ରାନ୍ତ ରୋଗୀଙ୍କ ମତାମତ ୟୁନିସେଫ୍‍ କର୍ତ୍ତୃପକ୍ଷ ଗ୍ରହଣ କରିଥିଲେ । ଅଧିକାଂଶ ଡେଙ୍ଗୁରୋଗୀ ନିୟମିତ ରକ୍ତପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ କହିଥିଲେ । ହେଲେ ଆଜି ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲରେ ତାହା ହୋଇପାରିଲା ନାହିଁ ।

ସେହିଭଳି ରାଜଧାନୀରେ ଡେଙ୍ଗୁ ମୁକାବିଲା ପାଇଁ ବିଏମ୍‍ସିର ଘୋଷିତ ଡ୍ରାଏ ଡେ ଅଭିଯାନ ଓ ଅନ୍ୟାନ୍ୟ ସଫେଇ ଅଭିଯାନ ଏକ ପ୍ରକାର ଅକାମୀ ହୋଇପଡିଛି । ମଶା ବଂଶ ହୁ ହୁ ମାଡୁଥିବାବେଳେ ଧିରେ ଧିରେ ଏହାର ନିୟନ୍ତ୍ରଣ ପୌର ପ୍ରଶାସନ ହାତକୁ ଖସିବାରେ ଲାଗିଛି । ଇତି ମଧ୍ୟରେ ସହରର ବିଭିନ୍ନ ଘରୋଇ ଡାକ୍ତରଖାନରେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁଖବର ଗଣମାଧ୍ୟମରେ ଆସୁଥିବାବେଳେ ସରକାରୀ ତାଲିକାରେ କିନ୍ତୁ ଜଣେ ହେଲେ କେହି ମୃତ୍ୟୁବରଣ କରିନଥିବା ଦର୍ଶାଯାଉଛି । (ତଥ୍ୟ)