Home Environment ୧୧ରୁ ଓଡ଼ିଶାରେ ବର୍ଷା ସମ୍ଭାବନା

୧୧ରୁ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଶନିବାର ରାତିରୁ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ମଙ୍ଗଳବାର ତାମିଲନାଡୁ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବାରୁ ସେହି ଅଂଚଳରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି ।

ନଭେମ୍ବର ୧୧ ତାରିଖ ରାତିରେ ଏହି ଲଘୁଚାପ ତାମିଲନାଡୁ ସୀମା ଅତିକ୍ରମ କରିବ ବୋଲି ସିଇସି ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ମଙ୍ଗଳବାର ଅପରାହ୍ଣରୁ ଆକାଶ ମେଘାଚ୍ଛନ୍ନ ରହିବା ସହ ନଭେମ୍ବର ୧୧ ତାରିଖ ରୁ ୧୩ ତାରିଖ ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଘୂର୍ଣ୍ଣିଝଡ ଓ ବଜ୍ରପାତ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ନଭେମ୍ବର ୧୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହା ନଭେମ୍ବର ୧୬ରେ କେନ୍ଦ୍ର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତୀ ହେବାର ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫସଲ ଧାନ ଅମଳ କରିବା ସମୟ ହୋଇଥିବାରୁ ଏହାକୁ ଏହି ଲଘୁଚାପଜନିତ ବର୍ଷାରୁ ରକ୍ଷା କରିବା ପାଇଁ କୃଷକମାନେ ପ୍ରତିଷେଧକମୂଳକ ପଦକ୍ଷେପ ନେବା ଜରୁରୀ ଅଟେ ବୋଲି ସିଇସି କହିଛି ।

ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଉତରପଶ୍ଚିମ ଓ ଉତର ଦିଗରୁ ପ୍ରବାହିତ ଶୁଷ୍କ ଥଣ୍ଡା ପବନ ନିମନ୍ତେ ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିବାର ସମ୍ଭାବନା ଥିବା ବେଳେ ମଙ୍ଗଳବାର ଠାରୁ ରାତିର ତାପମାତ୍ର କ୍ରମଶଃ ବଢ଼ିବାର ସମ୍ଭାବନା ଅଛି । ନଭେମ୍ବର ୧୦ ତାରିଖ ଅପରାହ୍ଣରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଓଡ଼ିଶାର ଆକାଶ ମେଘାଚ୍ଛନ୍ନ ରହିବାର ସୂଚନା ଥିବା ବେଳେ ଥଣ୍ଡାର ପ୍ରକୋପ ମଧ୍ୟ ଜାରି ରହିବ ବୋଲି ସିଇସି ପକ୍ଷରୁ କୁହାଯାଇଛି ।