Home General ୧୦୦ ଦିନର କାମ ଦେବାରେ ଓଡିଶା ଦ୍ୱିତୀୟ

୧୦୦ ଦିନର କାମ ଦେବାରେ ଓଡିଶା ଦ୍ୱିତୀୟ

ଭୁବନେଶ୍ୱର : ଲୋକଙ୍କ ହାତକୁ ୧୦୦ ଦିନର କାମ ଯୋଗାଇବା କ୍ଷେତ୍ରରେ ସମଗ୍ର ଦେଶରେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ଆନ୍ଧ୍ରପ୍ରଦେଶ ଏ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିଭଳି ଲୋକଙ୍କ ହାରାହାରି କାମ ପ୍ରଦାନ କ୍ଷେତ୍ରରେ ମଧ୍ୟ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନରେ ଥିବା ଜଣାଯାଇଛି ।

ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପରିବାରକୁ ବର୍ଷକୁ ଅତି କମ୍‍ରେ ୧୦୦ ଦିନର କାମ ଦେବାର ବ୍ୟବସ୍ଥା ରହିଛି । ତେବେ ଦେଶର ଯେଉଁ ୧୦ଟି ରାଜ୍ୟ ବର୍ଷକୁ ୧୦୦ ଦିନର କାମ ଯୋଗାଇଛନ୍ତି ସେମାନଙ୍କ ମଧ୍ୟରେ ଓଡିଶାର ସ୍ଥାନ ଦ୍ୱିତୀୟ ରହିଛି । ଓଡିଶା ସରକାର ଚଳିତ ଆର୍ଥିକ ବର୍ଷରେ ୨,୨୮,୨୦୬ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦେଇଥିବାବେଳେ ପ୍ରଥମ ସ୍ଥାନରେ ଥିବା ଆନ୍ଧ୍ରପ୍ରଦେଶ ୩,୪୭,୪୮୨ ପରିବାରକୁ ଶହେ ଦିନର କାମ ଯୋଗାଣ କରିଛି । ଓଡିଶା ପଛକୁ ଥିବା ରାଜ୍ୟଗୁଡିକ ହେଲେ ତେଲେଙ୍ଗାନା, ରାଜସ୍ଥାନ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ ଓ ଝାଡଖଣ୍ଡ ।

ସେହିଭଳି ହାରାହାରି ଦୈନିକ କାମ ଯୋଗାଣ କ୍ଷେତ୍ରରେ ମଧ୍ୟ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ମଧ୍ୟପ୍ରଦେଶ ଏ କ୍ଷେତ୍ରରେ ସର୍ବାଗ୍ରେ ରହିଛି । ଓଡିଶାରେ ହାରାହାରି ଭାବେ ୪୮.୧ ଦିନର କାମ ଯୋଗାଣ ହୋଇଥିବାବେଳେ ମଧ୍ୟପ୍ରଦେଶରେ ଏହା ୪୮.୯ ଦିନ ରହିଛି । ଓଡିଶା ପଛକୁ ଆନ୍ଧ୍ରପ୍ରଦେଶରେ ୪୭.୭, ତେଲେଙ୍ଗାନାରେ ୪୪.୫, ଗୁଜୁରାଟରେ ୪୪.୧, ରାଜସ୍ଥାନରେ ୪୧.୫, କର୍ଣ୍ଣାଟକରେ ୩୯.୫, ହିମାଚଳପ୍ରଦେଶରେ ୩୭.୪, ଝାଡଖଣ୍ଡରେ ୩୬.୫ ଏବଂ ପଶ୍ଚିମବଙ୍ଗରେ ଏହା ୩୬.୧ ଦିନ ରହିଛି ।

ଶହେ ଦିନର କାମ ଯୋଗାଣ ସହିତ ହାରାହାରି ଦୈନିକ କାମ ଯୋଗାଣ କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଶ୍ରମିକଙ୍କୁ ଠିକଣା ସମୟରେ ମଜୁରୀ ଦେବା କ୍ଷେତ୍ରରେ କିନ୍ତୁ ଅଷ୍ଟମ ସ୍ଥାନରେ ରହିଛି । କାମ କରିବାର ୮ଦିନ ମଧ୍ୟରେ ମଜୁରୀ ଦେବାରେ ଝାଡଖଣ୍ଡ ପ୍ରଥମ ସ୍ଥାନରେ ରହିଛି । ଧାର୍ଯ୍ୟ ସମୟ ମଧ୍ୟରେ ଝାଡଖଣ୍ଡ ୯୯.୯୯ ପ୍ରତିଶତ ଶ୍ରମିକଙ୍କୁ ପାଉଣା ପ୍ରଦାନ କରୁଥିବାବେଳେ ଓଡିଶାରେ ଏହା ୯୯.୩ ପ୍ରତିଶତ ରହିଛି । ଏ କ୍ଷେତ୍ରରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଏହା ପଛକୁ କେରଳ, ଉତ୍ତରାଖଣ୍ଡ, ହରିଆନା, ଆନ୍ଧ୍ର ପ୍ରଦେଶ, ଛତିଶଗଡ ଆଦି ରହିଛନ୍ତି । ତେବେ ପଶ୍ଚିମବଙ୍ଗ ଓ ଗୁଜୁରାଟ ଓଡିଶା ପଛରେ ଥିବା ଜଣାଯାଇଛି ।

ଲୋକଙ୍କୁ କାମ ଯୋଗାଣରେ ସ୍ୱଚ୍ଛତା ପାଇଁ ଅମ୍ବ୍ୟୁଡ୍‍ସମ୍ୟାନ ନିଯୁକ୍ତି କ୍ଷେତ୍ରରେ ଓଡିଶା ଆଗରେ ରହିଛି । ବିହାରରେ ୩୮ଟି ଜିଲ୍ଲାରେ ୩୨ଜଣ ଅମ୍ବ୍ୟୁଡସ୍‍ମ୍ୟାନ ନିଯୁକ୍ତ ହୋଇଥିବାବେଳେ ଓଡିଶାର ୩୦ ଜିଲ୍ଲାରେ ୨୮ଜଣ ନିଯୁକ୍ତି ପାଇଛନ୍ତି । ଝାଡଖଣ୍ଡରେ ମାତ୍ର ୩ଜଣ ଅମ୍ବ୍ୟୁଡସ୍‍ମ୍ୟାନ ନିଯୁକ୍ତ ହୋଇଥିବାବେଳେ ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ତାମିଲନାଡୁରେ ଜଣେ ହେଲେ ନିଯୁକ୍ତି ପାଇନାହାନ୍ତି । ଉତ୍ତରପ୍ରଦେଶରେ ୭୫ ଜିଲ୍ଲାରେ ମାତ୍ର ୧୨ ଜଣ ନିଯୁକ୍ତ ହୋଇଥିବାବେଳେ ରାଜସ୍ଥାନରେ ଏହି ସଂଖ୍ୟା ମାତ୍ର ୪ ରହିଛି । (ତଥ୍ୟ)