Home Finance ୧୦୦୦ ଏସ୍‍ଏଚ୍‍ଜି ମହିଳାଙ୍କୁ ବିସିଏ ନିଯୁକ୍ତି

୧୦୦୦ ଏସ୍‍ଏଚ୍‍ଜି ମହିଳାଙ୍କୁ ବିସିଏ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟରେ ଆଉ ୧୦୦୦ ମହିଳା ଏସ୍‍ଏଚଜି ସଦସ୍ୟାଙ୍କୁ ପଞ୍ଚାୟତ ସ୍ତରରେ ବ୍ୟାଙ୍କିଙ୍ଗ୍‍ କରେସପେଣ୍ଡଣ୍ଟ ଏଜେଣ୍ଟ (ବିସିଏ) ଭାବେ ନିଯୁକ୍ତି ଦିଆଯିବ । ବ୍ୟାଙ୍କ୍‍ ନଥିବା ଇଲାକାରେ ଏମାନେ ଲୋକଙ୍କୁ ବ୍ୟାଙ୍କିଙ୍ଗ୍‍ସେବା ଯୋଗାଇଦେବେ ।

ବର୍ତ୍ତମାନ ରାଜ୍ୟରେ ପାଞ୍ଚଟି ବ୍ୟାଙ୍କ୍‍ ଜରିଆରେ ୧୨୬୨ ବିସିଏ କାର୍ଯ୍ୟ କରୁଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ଏମାନଙ୍କ ଜରିଆରେ ୨୩୦କୋଟି ଟଙ୍କାର କାରବାର ହୋଇଛି । ବ୍ୟାଙ୍କ୍‍ ନଥିବା ପଞ୍ଚାୟତଗୁଡିକରେ ଲୋକଙ୍କ ନିକଟରେ ବ୍ୟାଙ୍କ୍‍ସେବା ପହଞ୍ଚାଇବାପାଇଁ ସ୍ୱୟଂ ସହାୟିକା ଗୋଷ୍ଠି ସଦସ୍ୟାଙ୍କୁ ବିସିଏ ଭାବେ ନିଯୁକ୍ତି ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବାରୁ ଏହି କାର୍ଯ୍ୟକ୍ରମ ସଫଳତା ଲାଭ କରୁଛି ।

ମୋଟ୍‍ ୧୨୬୨ ବିସିଏ କାର୍ଯ୍ୟ କରୁଥିବାବେଳେ ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗ ଏଥିପାଇଁ ସହଯୋଗୀ ଭାବେ ୟେସ ବ୍ୟାଙ୍କ୍‍, ଏସ୍‍ବିଆଇ, ଆଇସିଆଇସିଆଇ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍‍ ଓ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍‍ ସହିତ ରାଜିନାମା ସ୍ୱାକ୍ଷର କରିଛନ୍ତି । ୟେସ ବ୍ୟାଙ୍କ୍‍ ୪୯୮ ବିସିଏଙ୍କୁ ନିୟୋଜିତ କରିଥିବାବେଳେ ଏସବିଆଇ ୨୯୬, ଓଡିଶା ଗ୍ରାମୀଣ ବ୍ୟାଙ୍କ୍‍ ୨୩୬, ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍‍ ୧୩୮ ଓ ଆଇସିଆଇସିଆଇ ବ୍ୟାଙ୍କ୍‍ ୯୪ଜଣ ବିସିଏଙ୍କୁ ମୁତୟନ କରିଛି ।

ଏହି ସଫଳତାକୁ ଦେଖି ବ୍ୟାଙ୍କ୍‍ ନଥିବା ପଞ୍ଚାୟତରେ ଲୋକଙ୍କୁ ବ୍ୟାଙ୍କିଙ୍ଗ୍‍ ସେବା ଯୋଗାଇବାପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ଆଉ ୧୦୦୦ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାଙ୍କୁ ବିସିଏ ଭାବେ ନିଯୁକ୍ତି ଦେବାପାଇଁ ସ୍ଥିର ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବର୍ତ୍ତମାନ କେବଳ ୫ଟି ବ୍ୟାଙ୍କ ଏସଏଚଜି ସଦସ୍ୟମାନଙ୍କୁ ବିସିଏ ଭାବେ ନିଯୁକ୍ତି ଦେଇଥିବାବେଳେ ରାଜ୍ୟ ସରକାର ଏବେ ଅନ୍ୟ ବ୍ୟାଙ୍କ୍‍ଗୁଡିକୁ ମହିଳା ଏସଏଚଜି ସଦସ୍ୟଙ୍କୁ ବିସିଏ ଭାବେ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବ୍ୟାଙ୍କ୍‍ଗୁଡିକୁ ଏହି ମର୍ମରେ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ଥିବା ମୋଟ୍‍ ୬୭୯୮ ପଞ୍ଚାୟତ ମଧ୍ୟରେ ଦୁଇ ତୃତୀୟାଂଶରେ ଏବେ ବି ବ୍ୟାଙ୍କ୍‍ଶାଖା ନାହିଁ । ତେଣୁ ଏଠାରେ ବିସିଏ ମାନେ ଗ୍ରାମାଞ୍ଚଳ ଲୋକଙ୍କୁ ବ୍ୟାଙ୍କସେବା ଯୋଗାଇବାର ମାଧ୍ୟମ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟମାନଙ୍କୁ ବିସିଏ ଭାବେ ନିଯୁକ୍ତି ଦିଆଯାଉଥିବାବେଳେ ସେମାନେ ଦାୟିତ୍ୱବାନ ସହ ସେବା ଯୋଗାଉଥିବା ଅଧିକାରୀମାନେ ଅନୁଭବ କରୁଛନ୍ତି ।

ଚଳିତ ଆର୍ଥିକ ବର୍ଷରେ ୨.୮୦ଲକ୍ଷ ଏସଏଚ୍‍ଜିକୁ ୬୦୦୦ କୋଟିରୁ ଅଧିକ ଟଙ୍କାର ଋଣ ଯୋଗାଣର ଲକ୍ଷ୍ୟ ଥିବାବେଳେ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ମାତ୍ର ୬୪,୫୫୦ ଏସ୍‍ଏଚ୍‍ଜି ଋଣ ପାଇଛନ୍ତି । ଏବେ ବି ଋଣ ପାଇଁ ୪୫,୬୫୦ ଟି ଆବେଦନପତ୍ର ବ୍ୟାଙ୍କ୍‍ଗୁଡିକରେ ପଡି ରହିଥିବାବେଳେ ଏହାର ତୁରନ୍ତ ସମାଧାନ କରି ଋଣ ଯୋଗାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । (ତଥ୍ୟ)