Home General ୧୦ବର୍ଷରେ ୫ ନୂଆ ରେଳ ପ୍ରକଳ୍ପ……

୧୦ବର୍ଷରେ ୫ ନୂଆ ରେଳ ପ୍ରକଳ୍ପ……

ଭୁବନେଶ୍ୱର : ବିଗତ ୧୦ବର୍ଷରେ ରାଜ୍ୟରେ ୫ଟି ନୂଆ ରେଳପ୍ରକଳ୍ପ ଆରମ୍ଭ ହୋଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ରାଜ୍ୟରେ ନୂଆ ରେଳପଥ ନିର୍ମାଣ ସଂକ୍ରାନ୍ତରେ ବିଜେପି ବିଧାୟକ ମୋହନ ଚରଣ ମାଝି ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୫ଟି ନୂଆ ରଳପଥ ନିର୍ମାଣ ପ୍ରକଳ୍ପ ଆରମ୍ଭ ହୋଇଛି । ସେଗୁଡିକ ହେଲା ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ୍‍, ଶାଳଗାଁ-ବୁଢାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ୍‍, ଜୟପୁର-ନବରଙ୍ଗପୁର ନୂତନ ଲାଇନ୍‍, ଜୟପୁର-ମାଲକାନଗିରି ନୂତନ ଲାଇନ୍‍ ଏବଂ ବିଜୟନଗରମ-ଟିଟିଲାଗଡ ତୃତୀୟ ଲାଇନ୍‍ ।

ଏହି ରେଳପଥଗୁଡିକ ଲାଗି ନୂତନ ଭୂଅର୍ଜନ ଆଇନ୍‍, ୨୦୧୩ ମୁତାବକ ଜମି ଅଧିକଗ୍ରହଣ କାର୍ଯ୍ୟ ଜାରି ରହିଛି । ଉକ୍ତ ରେଳପ୍ରକଳ୍ପଗୁଡିକର ରେଟ୍‍ ଅଫ୍‍ ରିଟର୍ଣ୍ଣ ହିସାବ କେନ୍ଦ୍ର ରେଳ ମନ୍ତ୍ରଣାଳୟଙ୍କ ପରିସରଭୁକ୍ତ । ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପରେ ରାଜ୍ୟ ସରକାର ପ୍ରକଳ୍ପ ଖର୍ଚ୍ଚର ୧୫ ପ୍ରତିଶତ ବହନ କରୁଛନ୍ତି ଏବଂ ଜୟପୁର-ନବରଙ୍ଗପୁର ରେଳପ୍ରକଳ୍ପରେ ରାଜ୍ୟ ସରକାର ଜମି ମାଗଣାରେ ପ୍ରଦାନ କରିବା ସହିତ ନିର୍ମାଣ ଖର୍ଚ୍ଚର ୫୦ ପ୍ରତିଶତ ବହନ କରୁଛନ୍ତି ।

ତାଳଚେର-ବିମଳାଗଡ ସମେତ ସମସ୍ତ ୧୪ଟି ଚାଲୁ ରହିଥିବା ରେଳପ୍ରକଳ୍ପଗୁଡିକ ରାଜ୍ୟର ସର୍ବାଙ୍ଗ ବିକାଶ ତଥା ଅର୍ଥନୈତିକ ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ଅଗ୍ରାଧିକାର ଦେଇଛନ୍ତି । ଜମି ଅଧିଗ୍ରହଣ କାର୍ଯ୍ୟ ବିଳମ୍ବିତ ହେଲାପରି ପରିଲକ୍ଷିତ ହେଉଛି । ରାଜ୍ୟ ସରକାର ବଡବିଲ-ବାଂଶପାଣି ରେଳ ପ୍ରକଳ୍ପର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବା ନିମନ୍ତେ ବିଚାର କରୁଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।