Home Covid ୧୦ଦିନ ମଧ୍ୟରେ ଆହୁରି କମିବ ସଂକ୍ରମଣ

୧୦ଦିନ ମଧ୍ୟରେ ଆହୁରି କମିବ ସଂକ୍ରମଣ

ଭୁବନେଶ୍ୱର : ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇବ । ପଶ୍ଚିମ ଓ ଦକ୍ଷିଣ ଓଡିଶରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଏଭଳି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

ଶ୍ରୀ ମହାପାତ୍ର ଆଜି ରାଜ୍ୟର କୋଭିଡ ପରିସ୍ଥିତି ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି ଯେ ମଇ ୨୨ତାରିଖରେ ରାଜ୍ୟରେ ସର୍ବାଧିକ ୧୨,୮୫୨ କରେନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହି ସମୟରେ ସଂକ୍ରମଣ ପିକ୍‍ରେ ଥିବାବେଳେ ସଂକ୍ରମିତ ହାର ୨୨% ପ୍ରତିଶତ ରହିଥିଲା । ବର୍ତ୍ତମାନ ଏହି ହାର ୧୪ ପ୍ରତିଶତରେ ପହଞ୍ଚିଛି । ରାଜ୍ୟର ୫ଟି ଜିଲ୍ଲାରେ ସଂକ୍ରମଣ ହାର ୫%ରୁ କମ୍‍ ରହିଥିବାବେଳେ ୧୯ଟି ଜିଲ୍ଲାରେ ଲଗାତାର ଭାବେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ ଚିହ୍ନଟ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୦ ପ୍ରତିଶତ ୯ଟି ଜିଲ୍ଲାରେ ରହିଛନ୍ତି ।

ପଡୋଶୀ ଛତିଶଗଡ ଓ ଝାଡଖଣ୍ଡରେ ସଂକ୍ରମଣ ହ୍ରାସ ପାଇଥିବାବେଳେ ଏବେ ବି ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଆମ ପାଇଁ ବିପଦ ହୋଇ ରହିଥିବା ଶ୍ରୀ ମହାପାତ୍ର କହିଛନ୍ତି । ଏଥିପାଇଁ ଦୁଇ ରାଜ୍ୟକୁ ଲାଗିଥିବା ସୀମାକୁ ସିଲ୍‍ କରାଯିବା ସହିତ ସେଠାକୁ ଓଡିଶା ଭିତରେ ପ୍ରବେଶପାଇଁ ନେଗେଟିଭ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

କେବଳ ଓଡିଶା ନୁହେଁ ସମଗ୍ର ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ବିଶ୍ୱରେ ଯେତେ କରୋନା ସଂକ୍ରମିତ ଅଛନ୍ତି ସେମାନଙ୍କ ମଧ୍ୟରୁ ୩୪ ପ୍ରତିଶତ ଆମ ଦେଶରେ ଚିହ୍ନଟ ହୋଇଛନ୍ତି । ତେବେ ମଇ ୬ତାରିଖରେ ଭାରତରେ ସର୍ବାଧିକ ୪ଲକ୍ଷ ୧୪ହଜାର ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ଏହା ଏକ ଲକ୍ଷ ୬୫ହଜାରକୁ ହ୍ରାସ ପାଇଛି ।

କରୋନାର ପ୍ରଥମ ଲହରରେ ଯେତେ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହୋଇଥିଲେ ଦ୍ୱିତୀୟ ଲହରରେ ତାହାର ୪ଗୁଣା ଚିହ୍ନଟ ହୋଇଥିବା ଶ୍ରୀ ମହାପାତ୍ର କହିଛନ୍ତି । ପ୍ରଥମ ଲହର ସମୟରେ ୨୦୨୦ ସେପ୍ଟେମ୍ବର ୧୬ତାରିଖରେ ଦେଶରେ ସର୍ବାଧିକ ୯୭ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଆଦେଶରେ କରୋନାର ବିଭନ୍ନ ଷ୍ଟ୍ରେନ ପରିଲକ୍ଷିତ ହେବାରେ ଲାଗିଛି ।

ରାଜ୍ୟର କୋଭିଡ ଚିକିତ୍ସା ସଂକାନ୍ତରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ବର୍ତ୍ତମାନ ୮୬ପ୍ରତିଶତ ସଂକ୍ରମିତ ହୋମ ଆଇସୋଲେସନରେ ରହିଛନ୍ତି । ସାଧାରଣ ଶଯ୍ୟାରେ ଚିକିତ୍ସିତ କୋଭିଡ ରୋଗୀ ସଂଖ୍ୟା ୪୬ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଆଇସିୟୁ/ଏଚ୍‍ଡିୟୁ/ଭେଣ୍ଟିଲେଟରରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୮୨ପ୍ରତିଶତରୁ ୭୨ ପତିଶତକୁ ହ୍ରାସ ପାଇଛି । ପ୍ରତିଦିନ ଗୁରୁତର ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିବା ଶ୍ରୀ ମହାପାତ୍ର କହିଛନ୍ତି ।

ସେହିଭଳି ଖୁବ୍‍ଶୀଘ୍ର ରାଜ୍ୟରେ ଆଉ ୩୬୮ ଆଇସିୟୁ/ଏଚ୍‍ଡିୟୁ ଅତିରିକ୍ତ ଭାବେ ସୃଷ୍ଟି କରାଯିବ । ରାଜ୍ୟରେ କୋଭିଡ ମୁକାବିଲା ଲାଗି ଆବଶ୍ୟକ ହେଉଥିବା ଫାବିପିରାଭର, ରାମଡେସିଭିର ଆଦି ଔଷଧର ଅଭାବ ନାହିଁ । ଡିଆରଡିଓ ଦ୍ୱାରା ପ୍ରସ୍ତୁତ ୨ଜିଡି ଔଷଧ ଆସନ୍ତା ୧୦ତାରିଖ ମଧ୍ୟରେ ଓଡିଶାରେ ଉପଲବ୍ଧ ହେବ । ଆଗାମୀ ଦିନରେ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରଟିପିସିଆର ପରୀକ୍ଷା ବ୍ୟବସ୍ଥା କରାଯିବ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଓଡିଶାରେ ଏବେ ଦୈନିକ ପ୍ରାୟ ୬୭ ମେଟ୍ରିକ ଟନ୍‍ ଅକ୍ସିଜେନ ଆବଶ୍ୟକ ପଡୁଥିବାବେଳେ ଓଡିଶା ନିଜର ଆବଶ୍ୟକତା ପୂରଣ କରି ୧୮ଟି ରାଜ୍ୟକୁ ଅକ୍ସିଜେନ୍‍ ଯୋଗାଉଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟକୁ ୨୫ହଜାର ଟନ୍‍ ଅକ୍ସିଜେନ ଯୋଗାଯାଇ ସାରିଲାଣି । ଅକ୍ସିଜେନର ସଫଳ ମନିଟରିଂ ଯୋଗୁଁ ରାଜ୍ୟର କୌଣସି ଚିକିତ୍ସ।।ଳୟରେ ଅକ୍ସିଜେନ୍‍ ଅଭାବ ପଡୁନାହିଁ । ପ୍ରତିଦିନ ଏହାର ହିସାବ ନିଆଯାଉଛି ।

ରାଜ୍ୟରେ କୋଭିଡି ମୁକାବିଲା ପାଇଁ ବର୍ତ୍ତମାନ ୭୦୦ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିବାବେଳେ ଇଣ୍ଟର୍ଣ୍ଣସିପ୍‍, ପିଜି କରୁଥିବା ଡାକ୍ତରଙ୍କୁ ମିଶାଇ ଆଉ ୩୮୦୦ଙ୍କୁ ବ୍ୟାକଅପ୍‍ ଭାବେ ରଖାଯାଇଛି । ଆବଶ୍ୟକ ସ୍ଥଳେ ସେମାନଙ୍କୁ ନିୟୋଜିତ କରାଯିବ । ସେହିଭଳି ୫୬୯୫ ଜଣ ନର୍ସିଂ ଅଫିସରଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ସେମାନେ ଖୁବ୍‍ଶୀଘ୍ର କାର୍ଯ୍ୟରେ ଯୋଗଦେବେ । ଯେଉଁମାନେ କୋଭିଡ ପରିଚାଳନାରେ ଅଛନ୍ତି ସେମାନେ ସେଠାରେ କାର୍ଯ୍ୟ ଜାରି ରଖିବା ସହିତ ବ୍ୟକ୍ତିଗତ ଭାବେ ନଆସି ଇମେଲ୍‍ ଯୋଗେ ନିଯୁକ୍ତି ସଂକ୍ରାନ୍ତୀୟ କାଗଜପତ୍ର ପଠାଇବାକୁ କୁହାଯାଇଛି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଆଗକୁ ସାବିତ୍ରୀ ଓ ରଜ ଭଳି ପର୍ବ ଆସୁଛି । ଉପକୂଳ ଜିଲ୍ଲାଗୁଡିକରେ ଏହା ବଡ ଆକାରରେ ପାଳନ କରାଯାଏ । ବଜାରରେ ଏଥିପାଇଁ ଭିଷଣ ଭିଡ ଆଶଙ୍କା କରାଯାଉଛି । ତେଣୁ ଘରୁ ପଦାକୁ ବାହାରିବା ସମୟରେ ଭଲ ଭାବେ ନିଜେ ମାସ୍କ ପିନ୍ଧିବା ସହିତ ଅନ୍ୟମାନଙ୍କୁ ସଚେତନ କରିବାଲାଗି ସେ କହିଛନ୍ତି । ସେହିଭଳି ଯେତେଶୀଘ୍ର ସମ୍ଭବ ବାହାରେ କାର୍ଯ୍ୟ ସାରି ଘରକୁ ଫେରି ନିଜକୁ ତଥା ଅନ୍ୟମାନଙ୍କୁ ସଂକ୍ରମଣରୁ ଦୂରେଇ ରଖିବାଲାଗି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।